29.1 C
Bhubaneswar
Monday, May 6, 2024
Homeଓଡିଶାସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି : ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ ବର୍ଷା

ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି : ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ ବର୍ଷା

ଭୁବନେଶ୍ବର : ସାରା ରାଜ୍ୟରେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି। ଏହାର ପରିମାଣସ୍ବରୂପ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ ବର୍ଷା ହୋଇଛି। ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ , ପାରାଦୀପରେ ୨୧୯ ମିଲିମିଟର୍‌, ଭୁବନେଶ୍ୱରରେ ୧୯୫ ମିଲିମିଟର୍‌, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର୍‌ ବର୍ଷା ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି।

ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ଏଣୁ ଜଳ ନିଷ୍କାସନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପରିକି ଘରୁ ବାହାରକୁ ନ ଯିବା ଲାଗି ବି ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ। ରବିବାର ସକାଳୁ ରାତି ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନର୍ଗଳ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।

ପାଣିପାଗ ବିଭାଗ କହିବା ଅନୁସାରେ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳକୁ ଆଚ୍ଛାଦିତ କରିଥିବା ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର୍ ବେଗ ପବନ ସହ ଗତିକରି ସେପ୍ଟେମ୍ବର ୧୨ ତାରିଖ ରାତି ୧୧.୩୦ ସୁଦ୍ଧା ଚାନ୍ଦବାଲିର ଦକ୍ଷିଣପୂର୍ବକୁ ୬୦ କିଲୋମିଟର୍‌ ଏବଂ ପାରାଦୀପର ଉତ୍ତର-ଉତ୍ତରପୂର୍ବକୁ ୪୦ କିଲୋମିଟର ଅଞ୍ଚଳ ମଧ୍ୟରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଆଜି ସକାଳ ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇ ଚାନ୍ଦବାଲିର ଦକ୍ଷିଣ ପାର୍ଶ୍ବ ନିକଟ ଦେଇ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାତ୍ରା ଜାରି ରଖି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଅତିକ୍ରମ କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତ ପାଲଟିଯିବ। ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ବତାସ ଲାଗି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking