39.1 C
Bhubaneswar
Friday, April 26, 2024
Homeଖେଳଅଣ୍ଡର-୧୯ ବିଶ୍ୱକପ୍ : ଇଂଲଣ୍ଡ, ସାଉଥ୍ ଆଫ୍ରିକା ଓ ଆଫଗାନିସ୍ତାନର ଧମାକାଦାର ବିଜୟ

ଅଣ୍ଡର-୧୯ ବିଶ୍ୱକପ୍ : ଇଂଲଣ୍ଡ, ସାଉଥ୍ ଆଫ୍ରିକା ଓ ଆଫଗାନିସ୍ତାନର ଧମାକାଦାର ବିଜୟ

ସେଣ୍ଟ୍ କିଟ୍ସ : କ୍ୟାପ୍‌ଟେନ୍ ଟମ୍ ପ୍ରେଷ୍ଟଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ସହାୟତାରେ ଏଠାରେ ଚାଲିଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍‌ର ଗ୍ରୁପ୍‌-ଏ ଲିଗ୍ ମ୍ୟାଚ୍‌ରେ କାନାଡା ବିପକ୍ଷରେ ଇଂଲଣ୍ଡ ୧୦୬ ରନ୍‌ର ବୃହତ୍ ବିଜୟ ହାସଲ କରିଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍ ହରାଇ ୩୨୦ ରନ୍ କରିଥିଲା । ପ୍ରେଷ୍ଟ ୯୩ ବଲ୍‌ର ଇନିଂସ୍‌ରେ ୧୦ ଚୌକା ସହାୟତାରେ ୯୩ ରନ୍ କରିଥିଲେ । ତାଙ୍କ ବ୍ୟତୀତ ଜର୍ଜ ବେଲ୍ (୫୭), ଜର୍ଜ ଥୋମାସ୍ (୫୧) ଓ ୱିଲିୟମ୍ ଲକ୍ସଟନ୍ (୪) ଉପଯୋଗୀ ଯୋଗଦାନ ଦେଇଥିଲେ । ଏହା ପରେ ବାମହାତୀ ଫାଷ୍ଟ ବୋଲର୍ ଜୋଶୁଆ ବୋଡେନ୍ (୪/୪୪) ତଥା ସ୍ପିନର୍ ଜ୍ୟାକବ୍ ବାଥେଲ୍ (୩/୪୫) ଓ ପ୍ରେଷ୍ଟ (୩/୩୮) ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି କାନାଡାକୁ ୪୮.୧ ଓଭର୍‌ରେ ୨୧୪ ରନ୍ ମଧ୍ୟରେ ସୀମିତ କରି ଦେଇଥିଲେ । ଟୁର୍ଣ୍ଣାମେଣ୍ଟ୍‌ରେ ଏହା ଇଂଲଣ୍ଡର ଦ୍ୱିତୀୟ ବିଜୟ ।

ଇତିମଧ୍ୟରେ ୟୁଗାଣ୍ଡା ବିପକ୍ଷରେ ସାଉଥ୍ ଆଫ୍ରିକାର ୧୨୧ ରନ୍‌ର ସହଜ ବିଜୟ ହାସଲ କରି ନେଇଥିଲା । ସାଉଥ୍ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଡେୱାଲ୍ଡ ବ୍ରେଭିସ୍‌ଙ୍କ ୧୦୪ ରନ୍ ସହାୟତାରେ ୯ ୱିକେଟ୍ ବିନିମୟରେ ୨୩୧ ରନ୍ କରିଥିଲା । ଜବାବରେ ୟୁଗାଣ୍ଡା ୩୩.୪ ଓଭର୍‌ରେ ମାତ୍ର ୧୧୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଟିମ୍‌ର କେବଳ ତିନିଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁବାରେ ସଫଳ ହୋଇଥିଲେ । ସେହିପରି ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ପାପୁଆ ନ୍ୟୁଗିନି (ପିଏନ୍‌ଜି)କୁ ୧୩୫ ରନ୍‌ରେ ଶୋଚନୀୟ ଭାବେ ହରାଇ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟ୍‌ରେ ନିଜର ଅଭିଯାନ ଆରମ୍ଭ କରିଛି । ଆଫଗାନିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭର୍‌ରେ ୨୦୦ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ତେବେ ପରେ ପିଏନ୍‌ଜିକୁ ମାତ୍ର ୨୦.୫ ଓଭର୍‌ରେ ୬୫ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲା । ଆଫଗାନିସ୍ତାନ ପକ୍ଷରୁ ଇଜରାହୁଲ୍ ହକ୍ ନବିଦ୍ ୩ ଓ ନାଭିଦ୍ ଜାଦରାନ୍‌, ନାଙ୍ଗୟାଲାଇ ଖାନ୍ ଓ ନୁର୍ ଅହମଦ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଏହା ପୂର୍ବରୁ ଆଫଗାନିସ୍ତାନ କ୍ୟାପ୍‌ଟେନ୍ ସୁଲେମାନ ସଫି (୬୨), ଏଜାଜ୍ ଅହମଦ ଅହମଦଜାଇ (୪୫) ଓ ଖୈବ ୱଲି (୩୦) ଉନ୍ନତ ଯୋଗଦାନ କରିଥିଲେ । ପିଏନ୍‌ଜି ପକ୍ଷରୁ କେଟେନାଲକି ସିଙ୍ଗୀ ୪ଟି ଓ ରାସନ୍ କେୱାଉ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking