ବଲାଙ୍ଗିର : ଦୁଇ ସ୍କୁଲ ପିଲାଙ୍କ କଳିରୁ ଆରମ୍ଭ ହେଲା ଗଣ୍ଡଗୋଳ । ମାଆଙ୍କୁ ପିଟିପିଟି ମାରିଦେଲେ । ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଛି । ହତ୍ୟା ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି । ଏହାକୁ ନେଇ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । କଣ୍ଟାବାଞ୍ଜି ସହରର ନୂଆପଡା ଗାଁର ସୁଦାମ ବେହେରା ଓ ଚିଙ୍ଗିରିପଡା ଗ୍ରାମର ପୁଷ୍ପା ବଚ୍ଛାଙ୍କ ପୁଅ ଗୋଟିଏ ସ୍କୁଲରେ ପାଠ ପଢ଼ନ୍ତି । ଆଜି କୌଣସି କଥାକୁ ନେଇ ଦୁଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଷ୍ପାଙ୍କ ପୁଅକୁ ସୁଦାମ ବେହେରାଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ପୁଷ୍ପାଙ୍କୁ ତାଙ୍କ ପୁଅ ଜଣାଇଥିଲେ । ଏହାପରେ ସୁଦାମଙ୍କ ଘରକୁ ଯାଇଥିଲେ ପୁଷ୍ପା ।
ସେ ଏନେଇ ସୁଦାମଙ୍କୁ କହିଥିଲେ । ହେଲେ ସୁଦାମ କିଛି କଥା ଶୁଣିବା ଆଗରୁ ରାଗ ତମ ତମ ହୋଇ ପୁଷ୍ପାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏକ ଲୁହା ରଡ୍ରେ ସେ ପୁଷ୍ପା ବଚ୍ଛାଙ୍କୁ ପ୍ରବଳ ପିଟିଥିଲେ । ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ଷାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସୁଦାମ କଣ୍ଟାବାଞ୍ଜି ଥାନାରେ ଆତ୍ମସମର୍ପଣ କରିଥିଲେ । ପୁଷ୍ପାଙ୍କ ମୃତ୍ୟୁ ଖର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏବେ ମଧ୍ୟ ଉତ୍ତେଜା ଲାଗି ରହିଛି । ପୁଲିସ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛି ।