38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲୀ, ଲଣ୍ଡନ ଆତଙ୍କୀ ପଛରେ ସୁଲେମାନୀ : ଟ୍ରମ୍ପ

ଦିଲ୍ଲୀ, ଲଣ୍ଡନ ଆତଙ୍କୀ ପଛରେ ସୁଲେମାନୀ : ଟ୍ରମ୍ପ

ଲସ୍ ଏଞ୍ଜଲସ୍ : ଅତୀତରେ ନୂଆଦିଲ୍ଲୀ ଓ ଲଣ୍ଡନରେ ସଂଘଟିତ ଆତଙ୍କୀ କାର୍ଯ୍ୟକଳାପ ପଛରେ ମୃତ ଇରାନ୍ ଜେନେରାଲ୍ କାସେମ୍ ସୁଲେମାନୀଙ୍କ ଧୂତ ଦିମାଗ କାମ କରିଥିଲା ବୋଲି ଶୁକ୍ରବାର ଫ୍ଲୋରିଡାର ପାମ୍ ବିଚ୍ ସମାବେଶରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ଅଭିଭାଷଣ ଆରମ୍ଭରୁ ଟ୍ରମ୍ପ ବଡ଼ପାଟିରେ କହିଥିଲେ, ସୁଲେମାନୀର ଆତଙ୍କୀ ଯୁଗ ଶେଷ ହୋଇଛି । ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳିବା ତା’ର ସଉକ ଥିଲା ।
ତା’ର ଆତଙ୍କୀ କାର୍ଯ୍ୟକଳାପରୁ ନୂଆଦିଲ୍ଲୀ ଓ ଲଣ୍ଡନ ମଧ୍ୟ ବାଦ୍ ପଡ଼ି ନଥିଲା । ଭାରତର କେଉଁ ଆତଙ୍କୀ ହମଲା ପ୍ରତି ରାଷ୍ଟ୍ରପତି ଟ୍ରମ୍ପ ଇଙ୍ଗିତ କରିଥିଲେ, ତାହା ଅସ୍ପଷ୍ଟ ଅଛି । ତେବେ ୨୦୧୨ରେ ଭାରତରେ ଇସ୍ରାଏଲ୍ ପ୍ରତିରକ୍ଷା ଅଧିକାରୀଙ୍କ ପତ୍ନୀଙ୍କ କାର୍ ଉପରକୁ ହୋଇଥିବା ବୋମାମାଡ଼ ଘଟଣା ପ୍ରତି ଟ୍ରମ୍ପ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା କୁହାଯାଉଛି । ୨୦୧୨ ଫେବୃଆରୀ ୧୩ରେ ଆତଙ୍କୀମାନେ ପ୍ରତିରକ୍ଷା ଅଧିକାରୀଙ୍କ ପତ୍ନୀଙ୍କ ଗାଡ଼ିରେ ଚୁମ୍ବକ ବୋମା ଖଞ୍ଜିଥିଲେ । ବୋମା ଫୁଟିବା ଫଳରେ ଗାଡ଼ିଚାଳକଙ୍କ ସମେତ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ । ପ୍ରତିରକ୍ଷା ଅଧିକାରୀଙ୍କ ପତ୍ନୀ ତାଲ ୟେହୋସୁଆ କୋରେନଙ୍କ ଅସ୍ତ୍ରୋପଚାର କରାଯାଇଥିଲା ।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉକ୍ତ ହମଲା ପଛରେ ଇରାନର ହାତ ଥିବା ଅଭିଯୋଗ କରିଥିଲେ । ପରେପରେ ଜର୍ଜିଆରେ ସଂଘଟିତ ଆତଙ୍କୀ ହମଲାରେ ସମାନ କୌଶଳ ପ୍ରୟୋଗ କରାଯାଇଥିଲା । ଇରାନର ପରମାଣୁ ବୋମା ନିର୍ମାଣ ପ୍ରୟାସକୁ ଭଣ୍ଡୁର କରିବା ପାଇଁ ଇସ୍ରାଏଲ୍ ଚୁମ୍ବକ ବୋମା ସାହାଯ୍ୟରେ ପରମାଣୁ ବୈଜ୍ଞାନିକ ମୁସ୍ତାଫା ଅହମାଦି ରୋଷନଙ୍କୁ ହତ୍ୟା କରିଥିଲା । ତା’ର ପ୍ରତିଶୋଧ ନେବା ପାଇଁ ଜେନେରାଲ୍ ସୁଲେମାନୀ ନୂଆଦିଲ୍ଲୀରେ ଇସ୍ରାଏଲ୍ ପ୍ରତିରକ୍ଷା ଅଧିକାରୀଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ।
ନୂଆଦିଲ୍ଲୀ ବୋମା ହମଲା ଅଭିଯୋଗରେ ଭାରତୀୟ ସାମ୍ବାଦିକ ସୈଦ ମହମ୍ମଦ ଅହମଦ କାଜମୀଙ୍କୁ ମାର୍ଚ୍ଚ ୬ରେ ଗିରଫ କରାଯାଇଥିଲା । ସେହିବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟରୁ ଜାମିନ ପାଇ କାଜମୀ ଜେଲରୁ ମୁକୁଳିଥିଲେ । ତେବେ କାଜମୀଙ୍କୁ ବିଦେଶ ଯାତ୍ରା ପାଇଁ ସୁପ୍ରିମକୋର୍ଟ ବାରଣ କରିଛନ୍ତି । ଇରାନ୍ ପାଇଁ କାଜମୀ ଆତଙ୍କୀ ଷଡ଼ଯନ୍ତ୍ର କରିଥିବାର ସନ୍ଦେହ କରାଯାଉଥିଲା । ସେତେବେଳେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡର ୫ ଜଣ ଇରାନ୍ ସଭ୍ୟ ଦିଲ୍ଲୀକୁ ଆସିଥିଲେ । ପୁଲିସ ସେମାନଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ଗିରଫ କରିନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking