29.1 C
Bhubaneswar
Thursday, May 23, 2024
Homeବ୍ରେକୀଙ୍ଗନାହିଁ ଅବସର ବିନୋଦନ କେନ୍ଦ୍ର!

ନାହିଁ ଅବସର ବିନୋଦନ କେନ୍ଦ୍ର!

ରାଉରକେଲା:  ସ୍ମାର୍ଟ ସିଟି ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ହେଲେ ଦକ୍ଷିଣ ରାଉରକେଲା ଏବେ ମଧ୍ୟ ଅବହେଳିତ ଓ ସ୍ଥାଣୁ ଅବସ୍ଥାରେ ରହିଥିବା ଜଳଜଳ ଦିଶୁଛି! ଦକ୍ଷିଣ ରାଉରକେଲାର କିଛି ଅଂଚଳ ଯେପରି ନବକୃଷ୍ଣନଗର,ବାଲିଯୋଡ଼ି, ଭଂଜ କଲୋନୀ  ତଥା ଗୋପବନ୍ଧୁ ନଗର ରାଉରକେଲା ମହାନଗର ନିଗମ ଅଧିନରେ ଆସୁଥିବା ବେଳେ ଅନେକ ଅଂଚଳ ଯେପରି ଆରଏଚ୍ କଲୋନୀ, କନଷ୍ଟ୍ରକସନ କଲୋନୀ ସମେତ କିଛି କଲୋନୀ  ରାଉରକେଲା ମହାନଗର ନିଗମ ଅଧିନରେ ଆସୁନାହିଁ, ଯାହାଫଳରେ ଏହି ଅଂଚଳର ଯେଉଁପ୍ରକାର  ବିକାଶ ହେବା କଥା ତାହା ହୋଇ ପାରୁ ନଥିବା ସାଧାରଣରେ ଆଲୋଚନା ହେଉଛି । ଦକ୍ଷିଣ ରାଉରକେଲା ଅର୍ନ୍ତଗତ ସାରନଗରୀରେ ବହୁ ଅବସରପ୍ରାପ୍ତ ଆରଏସପି କର୍ମଚାରୀ ଓ ବରିଷ୍ଠ ବେସରକାରୀ କର୍ମଚାରୀ,ଅନେକ ବ୍ୟବସାୟୀ ବସବାସ କରୁଛନ୍ତି । ସାଧାରଣତଃ ବୟସ୍କ ବ୍ୟକ୍ତି ମାନେ ଜୀବନର ଅପରାହ୍ନରେ ଖୁସିର ଦୁଇ ମୂହୂର୍ତ ସେମାନଙ୍କ ସମବୟସ୍କ ବନ୍ଧୁଙ୍କ ସହ କାଟିବାକୁ ଯୋଜନା କରୁଥିଲେହେଁ, ଏହା ପାଣି ଫୋଟକା ଭଳି ମିଳାଇ ଯାଉଛି ।  ଏଯାଏ  ସାରନଗରୀରେ ପ୍ରଶାସନ ପକ୍ଷରୁ ବୟସ୍କ ବ୍ୟକ୍ତି ମାନଙ୍କ ସମୟ ଅତିବାହିତ ଅବା  ମନୋରଂଜନ ପାଇଁ କୌଣସି  ଏକ ଅବସର ବିନୋଦନ କେନ୍ଦ୍ର ନିର୍ମାଣ ହୋଇ ପାରିନାହିଁ । ଯାହା ଫଳରେ ନିରୁପାୟ ହୋଇ ବୟସ୍କ ବ୍ୟକ୍ତି ମାନେ ସମୟ କାଟିବାକୁ ଏଣେତେଣେ ଶୁଣ୍ଢିପିଣ୍ଡା ହେଉଥିବା ଲକ୍ଷ୍ୟ କରାଯାଉଛି । କରୋନା ମହାମାରୀ ପୂର୍ବରୁ ବୟସ୍କ ବ୍ୟକ୍ତି ମାନଙ୍କୁ ସାରନଗରୀ କିଛି ପ୍ରମୁଖ ଛକ ପ୍ରତ୍ୟହ ଦେଖିବାକୁ ମିଳୁଥିଲା । ଅବସର ବିନୋଦନ କେନ୍ଦ୍ର ଅଭାବରୁ ଗଛ ଛାଇରେ ଅବା ଦୋକାନ ପିଣ୍ଡାରେ ଦିମୁଠା ତାସର ଆସର ଜମାଇ ଏଭଳି ବ୍ୟକ୍ତି ମାନେ ସମୟ କାଟିଥାନ୍ତି । ସେହିପରି  ସାରନଗରୀ ଅଂଚଳର କିଛି ବୟସ୍କ ବ୍ୟକ୍ତି ଅଂଚଳରେ ଥିବା ମନ୍ଦିର ଗୁଡ଼ିକରେ ସଂଧ୍ୟା ସମୟକୁ ଅତିବାହିତ କରିବା ଦେଖିବାକୁ ମିଳେ । ମାତ୍ର ଏବେ କୋଭିଡ଼ କଟକଣା ଫଳରେ ମନ୍ଦିରସ୍ଥଳ ଗୁଡ଼ିକ ନଖୋଲିବା କାରଣରୁ ମନ୍ଦିରରେ ମାନସିକ ଶାନ୍ତିର କିଛି କ୍ଷଣ ମଧ୍ୟ କାଟିବା ସମ୍ଭବପର ହୋଇ ପାରୁନାହିଁ । ଏଣୁ ସାରନଗରୀ ଅଂଚଳରେ ବରିଷ୍ଠ ନାଗରିକଙ୍କ ପାଇଁ ଅବସର ବିନୋଦନ କେନ୍ଦ୍ର ଖୋଲିଲେ ଏହା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ସହାୟକ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking