33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତାଲିବାନ ସରକାରକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ !

ତାଲିବାନ ସରକାରକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ !

କାବୁଲ: ଆଫଗାନିସ୍ତାନରେ ଅସରଫ ଘନିଙ୍କ ସରକାରର ପତନ ପରେ ଆରମ୍ଭ ହୋଇଥିବା ତାଲିବାନ ଶାସନକୁ ବର୍ଷେ ପୂରିବାକୁ ଯାଉଛି । ବର୍ଷେ ଭିତରେ ଆଫଗାନିସ୍ତାନରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି । ପୂର୍ବ ଶାସନ ଭଳି ନ ହୋଇ ଆଫଗାନିସ୍ତାନରେ ଶାନ୍ତିର ସହ ଶାସନ ଚାଲିବ ବୋଲି ତାଲିବାନ ନେତା ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଅନେକ କ୍ଷେତ୍ରରେ ସରିଆ ଆଇନ ଲାଗୁ କରାଯାଇଛି । କୁହାଯାଇପାରେ ଯେ, ତାଲିବାନ ଶାସନକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ । ଆଫଗାନିସ୍ତାନରେ ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ସଂଗଠନର ବର୍ବରତା ଲାଗି ରହିଛି । ଯିଏ ବି ବିରୋଧ କଲା, ତାକୁ ହତ୍ୟା କରୁଛନ୍ତି ଆଇଏସ୍‌ଆଇଏସ୍ ଆତଙ୍କୀ । ଏପରିକି ଆତଙ୍କୀ ବିଚାରଧାରାକୁ ସମର୍ଥନ କରୁନଥିବା ସାଧାରଣ ନାଗରିକ ହୁଅନ୍ତୁ ବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସମସ୍ତଙ୍କୁ ମାରି ଚାଲିଛନ୍ତି । ଗତକାଲି ପ୍ରଖ୍ୟାତ ତାଲିବାନ୍ ଧର୍ମଗୁରୁ ରହିମୁଲ୍ଲା ହକାନିଙ୍କୁ ହତ୍ୟା କରିଛନ୍ତି । ପୂର୍ବରୁ ଦୁଇ ଥର ଆତ୍ମଘାତୀ ଆକ୍ରମଣରୁ ବର୍ତ୍ତି ଯାଇଥିବା ହକାନି, ଗତକାଲି ପ୍ରାଣ ହରାଇଛନ୍ତି ।

ଗତବର୍ଷ ଅଗଷ୍ଟ ୧୫ରେ ତାଲିବାନୀ ନେତା କାବୁଲ ଦଖଲ କରିଥିଲେ । ଆଉ ତା ପରଠୁ ଦେଶରେ ଦୁର୍ଦ୍ଦିନ ଆରମ୍ଭ ହୋଇଛି । ତାଲିବାନ ଶାସନ ଭାର ନେବାକ୍ଷଣି କେନ୍ଦ୍ରୀୟ ବ୍ୟାଙ୍କରେ ଗଚ୍ଛିତ ଥିବା ୭୦୦ କୋଟି ଡଲାରକୁ ଆମେରିକା ଫ୍ରିଜ୍ କରିଦେଇଥିଲା । ଆଉ ରାତାରାତି ବିଦେଶୀ ସହାୟତା ବି ବନ୍ଦ ହୋଇଗଲା । ଦେଶରେ ଯେତିକି ଅର୍ଥ ଗଚ୍ଛିତ ଅଛି, ସେସବୁକୁ ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରାଯାଉଛି । ଯାହାକି ଦେଶର ଅର୍ଥନୀତିକୁ ଆହୁରି ଜଟିଳ ଅବସ୍ଥାକୁ ଠେଲି ଦେଉଛି । ଗତ ଜୁନ୍ ମାସରେ ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନର ପୂର୍ବାଞ୍ଚଳରେ ନାହିଁ ନଥିବା କ୍ଷତି ହୋଇଛି ।

ଏଥିରେ ପ୍ରାୟ ହଜାରେ ଲୋକ ପ୍ରାଣ ହରାଇଥିଲେ । ଏଣୁ ଆର୍ôଥକ ସଂକଟରେ ଥିବା ଆଫଗାନିସ୍ତାନର ତାଲିବାନ ସରକାର ପାଇଁ ପୁନରୁଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତାଲିବାନ ଶାସନ ଆସିବା ପରେ ଦେଶରେ ମହିଳାଙ୍କ ପ୍ରତି ଅବିଚାର ବଢ଼ିଛି । ୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି । ସରକାରୀ ଦପ୍ତରରୁ ମହିଳା କର୍ମଚାରୀଙ୍କୁ ଛଟେଇ କରାଯାଉଛି । ମହିଳାଙ୍କ ଦୂରସ୍ଥାନକୁ ଯାତ୍ରା ଉପରେ ବି କଟକଣା ଲାଗିଛି । ଝିଅଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ଉପରେ ରୋକ୍ ଲାଗିଛି । ସରକାରୀ ପୁରୁଷ କର୍ମଚାରୀମାନେ ଲମ୍ବା ଦାଢ଼ି ରଖିବାକୁ ବାଧ୍ୟ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଲିବାନ ଶାସନକୁ ଦେଶର କିଛି ପ୍ରାନ୍ତରେ ଲୋକ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking