33.1 C
Bhubaneswar
Saturday, April 27, 2024
Homeଓଡିଶାଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ପ୍ରସ୍ତାବ ଆଗତ

ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ପ୍ରସ୍ତାବ ଆଗତ

ଭୁବନେଶ୍ୱର: ଅଖିଳ ଭାରତ କିଷାନ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ବୈଠକ ମାର୍ଚ୍ଚ ୨୦ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ୨୪, ଆକବର ରୋଡ଼ କଂଗ୍ରେସ କାର୍ଯ୍ୟାଳୟଠାରେ କେନ୍ଦ୍ରୀୟ ଅଧ୍ୟକ୍ଷ ସୁଖପାଲ ସିଂ ଖୈରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କେନ୍ଦ୍ର ଉପାଧ୍ୟକ୍ଷ ଅଖିଳେଶ ଶୁକ୍ଲା ଆଲୋଚ୍ୟ ପ୍ରସ୍ତାବଗୁଡ଼ିକ ଆଗତ କରିବା ପରେ ଏହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କେନ୍ଦ୍ରର ବିଜେପି ସରକାରରେ ଦେଶର ସମଗ୍ର ଚାଷୀକୁଳ ଅସୁରକ୍ଷିତ । ଚାଷୀ ଫସଲ ବୀମା ଏବଂ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବାରୁ ବଂଚିତ । ଆଦାନି ଅମ୍ବାନୀ ଭଳି କେତେକ ବୃହତ୍ ଘରୋଇ କମ୍ପାନୀଙ୍କଠାରୁ ୧୬ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣଛାଡ଼ କରାଯାଇଥିବା ବେଳେ ଦେଶର ଋଣ ଭାରରେ ଥିବା ଚାଷୀଙ୍କଠାରୁ ମୋଟ ୧୭ଲକ୍ଷ କୋଟି ଟଙ୍କା ଛାଡ଼ କରାନଯିବା ମୋଦି ସରେକାରର ଅନ୍ନଦାତାଙ୍କ ପ୍ରତି ଉଦାସୀନତା । ନରେନ୍ଦ୍ର ମୋଦି ସରକାର ଶାସନକୁ ଆସିବା ପରେ ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ ଏମ.ଏସ.ପିର ଦେଢ଼ଗୁଣା ବୃଦ୍ଧି ଏବଂ ଏମ.ଏସ.ପିକୁ ଆଇନଗତ ଗ୍ୟାରେଂଟି ଦେବାପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପରିବର୍ତେ ଚାଷୀ ସେମାନଙ୍କ ହକ୍ ପାଇଁ ୧୩ମାସ ଲଢ଼େଇ କରିବା ଏବଂ ଏଥିରେ ୭୫୦ରୁ ଉର୍ଦ୍ଧ୍ୱ ଚାଷୀ ଶହୀଦ୍ ହେବା ପରେ ମଧ୍ୟ ଏହି ସରକାରର ଚାଷୀଙ୍କ ପ୍ରତି ତିଳେମାତ୍ର ଦରଦ ନାହିଁ ।

ଫଳରେ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଦୁର୍ଦ୍ଦଶା କ୍ରମାଗତ ଭାବେ ବଢ଼ିଚାଲିଛି ବୋଲି ଅଧ୍ୟକ୍ଷ ଶ୍ରୀ ଖୈରା ବିଜେପି ସରକାରକୁ ଟାର୍ଗେଟ କରିବା ସହ ୨୦୨୪ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାସୀନପରେ ପ୍ରଥମେ କୃଷି ଓ କୃଷକଙ୍କ ବିକାଶ ପ୍ରତି ସର୍ବାଧିକ ଗୁରୁତ୍ୱ ଦେବ । କିଷାନଙ୍କୁ ନ୍ୟାୟ ଗ୍ୟାରେଂଟି ଦେବା ପ୍ରସଙ୍ଗରେ ଶ୍ରୀ ରାହୁଲ ଗାନ୍ଧୀ କଂଗ୍ରେସ ସରକାର ଗଠନ କରିବା ପରେ ପ୍ରଥମେ ଚାଷୀଙ୍କଠାରୁ କୃଷିଋଣ ଛାଡ଼, ଏମ.ଏସ.ପି.ର ଆଇନଗତ ଗ୍ୟାରେଂଟି, ସ୍ୱାମୀନାଥନ କମିଟି ସୁପାରିଷ ଆଧାରରେ ଏମ.ଏସ୍‌୍‌.ପି. ପ୍ରଦାନ, କୃଷିଜାତ ସାମଗ୍ରୀ ଉପରୁ ଜି.ଏସ.ଟି ହଟାଇ ଚାଷୀଙ୍କୁ ଜି.ଏସ.ଟି ମୁକ୍ତ କରିିବା, ନୂଆ ଆମଦାନୀ ଓ ରପ୍ତାନୀ ନୀତି ପ୍ରସ୍ତୁତ, ଫସଲ ନଷ୍ଟ ହେଲେ ୩୦ ଦିନ ଭିତରେ ଦେୟ ପ୍ରଦାନ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ସମଗ୍ର ଦେଶରେ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରିବା ସହିତ ମୋଦି ସରକାରର ସମସ୍ତ ବିଫଳତାକୁ ଅନ୍ନଦାତାଙ୍କ ନିକଟରେ ଉପସ୍ଥାପିତ କରିବାକୁ ଶ୍ରୀ ଖୈରା ଉପସ୍ଥିତ କେନ୍ଦ୍ରୀୟ ଓ ସମସ୍ତ ରାଜ୍ୟର ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ସହିତ ଆଲୋଚନା କ୍ରମେ ନୂଆଦିଲ୍ଲୀଠାରେ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଓଡ଼ିଶାର ୨୪ବର୍ଷର ବିଜେଡ଼ି ଶାସନ ଓ ୯ବର୍ଷର କେନ୍ଦ୍ରର ବିଜେପି ଶାସନରେ ଓଡ଼ିଶାର ଚାଷୀମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ରଦେଶ କଂଗ୍ରେସ ପକ୍ଷରୁ ୨୦୨୪ସାଧରଣ ନର୍ବାଚନ ପାଇଁ ପ୍ରସ୍ତୁତ ନିର୍ବାଚନୀ ଇସ୍ତାହାରରେ କୃଷି ଓ କୃଷକର ସାମଗ୍ରୀକ ବିକାଶ ପାଇଁ ଘୋଷଣା କରାଯାଇଥିବା୧୯ଟି ପ୍ରସ୍ତାବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଶେଷ କରି କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରାଜ୍ୟର ୨୫ଲକ୍ଷ ଚାଷୀଙ୍କଠାରୁ ୨୬ହଜାର କୋଟି ଟଙ୍କାର କୃଷିଋଣ ଛାଡ଼, ବୈଦ୍ୟନାଥନ କମିଟି ସୁପାରିଷ ଆଧାରରେ ପ୍ୟାକ୍ସ, ଲ୍ୟାମ୍ପ୍ସ, କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ପୁନରୁଦ୍ଧାର, କମ୍ପ୍ୟୁଟରୀକରଣ, ମାନବ ସମ୍ବଳ ବୃଦ୍ଧି କରାଯିବା ସହିତ ଜାତୀୟ ଉଦ୍ୟାନ କୃଷି ମିଶନ୍‌, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଖାଦ୍ୟ ନିରାପତ୍ତା ମିଶନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ଅନେକ ଯୋଜନା ଗ୍ରହଣ କରାଯାଇଥିଲା ।

କିନ୍ତୁ ଆଜିର ଦିନରେ ଉଭୟ ବିଜେପି ଓ ବିଜେଡ଼ି ସରକାର ଚାଷୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ବୋଲି ସେ କହିଥିଲେ । ତେଣୁ ଆସନ୍ତା ନିର୍ବାଚନରେ ଓଡ଼ିଶାର ଚାଷୀମାନେ ଏହି ଉଭୟ ସରକାରକୁ ଉଚିତ୍ ଯବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ବୈଠକରେ ଉପାଧ୍ୟକ୍ଷ କୋଦଣ୍ଡ ରେଡ଼ି, ଆନ୍ଧ୍ରପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ପଞ୍ଜାବ, ରାଜସ୍ଥାନ, ନାଗାଲ୍ୟାଣ୍ଡ, ସିକିମ୍‌, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମିଜୋରାମ, ହରିଆନା, ହିମାଚଳ ପ୍ର୍ରଦେଶ, ଝାଡଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ଗୁଜୁରାଟ, ଗୋଆ, ବିହାର, ଆସାମ, ଅରୁଣାଞ୍ଚଳ ପ୍ରଦେଶ ପ୍ରଭୃତି ରାଜ୍ୟର କିଷାନ କଂଗ୍ରେସ ଅଧ୍ୟକ୍ଷ ଏବଂ ସମସ୍ତ କେନ୍ଦ୍ରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking