30.1 C
Bhubaneswar
Monday, May 6, 2024
Homeଓଡିଶାକୋଟିଆ ସମସ୍ୟା ସମାଧାନ ଖୁବ୍‌ଶୀଘ୍ର

କୋଟିଆ ସମସ୍ୟା ସମାଧାନ ଖୁବ୍‌ଶୀଘ୍ର

ଭୁବନେଶ୍ୱର: କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ବିନା କାରଣରେ ଆନ୍ଧ୍ରପ୍ରଦେଶ ସରକାର ଆମ ଜମିରେ ବିବାଦ ସୃଷ୍ଟି କରୁଛନ୍ତି । ଏଥିରେ ଆଦୌ ସଫଳତା ପାଇବ ନାହିଁ । କାରଣ କୋଟିଆର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିବା ପ୍ୟାକେଜ୍ ଉପରେ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି । ଶେଷ ହୋଇଛି ବହୁ ଉନ୍ନୟନ ପ୍ରକଳ୍ପ । ଏଥିଯୋଗୁଁ କୋଟିଆବାସୀ ବେଶ୍ ଖୁସି । ତେଣୁ କୋଟିଆକୁ ନେଇ ଆଉ ସମସ୍ୟା ରହିବ ନାହିଁ । ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିଭାଗର ଶାସନ ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଏହିକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସେଠୀ କୋରାପୁଟ ଜିଲ୍ଲା ଗସ୍ତ କରିବା ସହ ଜୟପୁରରେ ବିକାଶମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି । ତାଙ୍କ ସହିତ କୃଷି ବିଭାଗ କମିଶନର ତଥା ସଚିବ ସୁରେଶ କୁମାର ବଶିଷ୍ଠ ବି ସଂପୃକ୍ତ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସମ୍ପଦ, ଆର୍ôଥକ ଓ ଦକ୍ଷତା ବିକାଶ, ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହିଭଳି ୪୯ଟି ମୁଖ୍ୟ ବିକାଶ ସୂଚୀକୁ ସମୀକ୍ଷା କରାଯାଇଥିଲେ ହେଁ କୋଟିଆ ସମସ୍ୟା ସମାଧାନ ଉପରେ ଅଧିକ ଫୋକସ୍ କରାଯାଇଥିଲା । କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅଫଦ୍ଦୁଲ ଅଖତାରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଆବଶ୍ୟକ ତଥ୍ୟ ଯୋଗାଇଦେଇଥିଲେ ।

ଶ୍ରୀ ସେଠୀ କହିଥିଲେ, ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ ସୀମା ବିବାଦ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । କୋଟିଆରେ ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି । ସ୍କୁଲ, ଡାକ୍ତରଖାନା, ରାସ୍ତା ଆଦି କରାଯାଇଛି । ଭୂମିହୀନକୁ ସରକାରୀ ଜାଗା, ହିତାଧିକାରୀଙ୍କୁ ରାସନକାର୍ଡ ଓ ଅନ୍ୟାନ୍ୟ ସୁବଧା ଦିଆଯାଇଛି । କୋରାପୁଟ ଜିଲ୍ଲା ପ୍ରଶାସନ ସବୁବେଳେ ତୟାର ହୋଇ ରହିଛି । ସୀମାରେ ଫଳକ ଲଗାଇ ଦିଆଯାଇଛି । ବିନାନୁମତିରେ ଓଡ଼ିଶାସୀମାକୁ କେହି ପ୍ରବେଶ କରିପାରିବେ ନାହିଁ କି ରାଜ୍ୟର ଜମିକୁ ହଡ଼ପ କରିପାରିବେ ନାହିଁ । ତେଣୁ  ଆନ୍ଧ୍ର ଏବେ ଚାହିଁଲେ ବି କୋଟିଆରେ କିଛି ସମସ୍ୟା ସୃଷ୍ଟି କରିପାରିବ ନାହିଁ ।
ଉଲ୍ଲେଖନୀୟ ଯେ କେବଳ କୋରାପୁଟରେ କୋଟିଆକୁ ନେଇ ନୁହେଁ, ରାଜ୍ୟରେ ଆଉ ୬ ଜିଲ୍ଲାରେ ବି ପଡ଼ୋଶୀ ରାଜ୍ୟମାନଙ୍କ ସହିତ ସୀମା ବିବାଦ ରହିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ଗଞ୍ଜାମ ଓ ଗଜପତି । ପୂର୍ବରୁ ରାଜ୍ୟ ସରକାର ବିଧାନସଭାରେ ତାହା ସ୍ପଷ୍ଟ କରିଛନ୍ତି । ବତ୍ତର୍ମାନ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର ହୋଇଥିବା ଅଦାଲତ ଅବମାନନା ମାମଲା ବିଚାରାଧୀନ ରହିଛି । ଓଡ଼ିଶାର ସହିତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଏହି ସୀମା ବିବାଦ ରହିଛି । ଆନ୍ଧ୍ରପ୍ରଦେଶ ସରକାର କୋଟିଆର ତିନୋଟି ଗ୍ରାମ- ଗଞ୍ଜାଇପଦର, ଫାଟୁସିନେରି ଓ ଫାଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିଥିଲା ।

ଏ ବାବଦରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି । ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ଗ୍ରହଣ କରି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ସେହିପରି ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ ବାବଦରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ଏବଂ ଏହା ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ବୋଲି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ କହିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking