33.1 C
Bhubaneswar
Wednesday, April 24, 2024
Homeଓଡିଶାଆଜି ରାଜ୍ୟରେ ମଧ୍ୟମ ଧରଣର ବନ୍ୟା, ଆସିବ ବହିଯିବ

ଆଜି ରାଜ୍ୟରେ ମଧ୍ୟମ ଧରଣର ବନ୍ୟା, ଆସିବ ବହିଯିବ

ଭୁବନେଶ୍ୱର:  ଆଜି  ଓଡିଶାର ଜୀବନ ରେଖା, ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିବ । ଛତିଶଗଡରେ ବର୍ଷା କମିବା ଯୋଗୁଁ କଲମା ବ୍ୟାରେଜରୁ ମହାନଦୀକୁ ଜଳ ନିଷ୍କାସନ ପରିମାଣ କମି ଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ କମ୍ ପାଣି ଆସୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା ଆଉ ନାହିଁ । ଆଗକୁ କିଛି ଗେଟ୍ ମଧ୍ୟ ବନ୍ଦ କରାଯାଇପାରେ । ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ବୈତରଣୀ, ଜଳକା, ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହ୍ରାସ ପାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ରହିଛି । ହେଲେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଶୁକ୍ରବାର ସକାଳୁ କ୍ରମଶଃ ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକ ଉପରେ କଡା ନଜର ରଖାଯାଇଛି । ବର୍ତ୍ତମାନ ଲାଗି ବିଶେଷ ବିପଦ ନାହିଁ, ବନ୍ୟାପାଣି ବହିଯିବାର ଆଶଙ୍କା ଅଧିକ ଥିବା ପ୍ରକାଶ ପାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନାଙ୍କ ସୂଚନା ମୂତାବକ, ଶୁକ୍ରବାର ସନ୍ଧ୍ୟା ୮ଟା ସୁଦ୍ଧା ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ଉପୁଜିନାହିଁ । ପୂର୍ବାପେକ୍ଷା ହୀରାକୁଦକୁ ଉପରମୁଣ୍ଡରୁ ଜଳପ୍ରବାହ ହ୍ରାସ ପାଇଛି । ଗୁରୁବାର ସୁଦ୍ଧା ହୀରାକୁଦକୁ ୫ଲକ୍ଷ ୫୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା, ଯାହାକି ଶୁକ୍ରବାର ହ୍ରାସ ପାଇ ୪ଲକ୍ଷ ୭୦ହଜାରରେ ପହଞ୍ଚିଛି । ଫଳରେ ମୁଣ୍ଡଳି ଦେଇ ଶନିବାର ୮ ଲକ୍ଷ ନୁୂହେଁ ବରଂ ୭ଲକ୍ଷ ୫୦ହଜାରରୁ ୮ଲକ୍ଷ କ୍ୟୁସେକ ମଧ୍ୟରେ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି । ରାତି ସୁଦ୍ଧା ଉତ୍ତର ଉପକୂଳବର୍ତ୍ତୀ ୬ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଶ୍ରୀ ଜେନା କହିଛନ୍ତି । ଏହାଦ୍ୱାରା ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନାହିଁ ।

ସେପଟେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଝାଡଖଣ୍ଡ ଗାଲୁଡିହି ବ୍ୟାରେଜରୁ ଆସୁଥିବା ପାଣି ଯୋଗୁଁ ସୁବର୍ଣ୍ଣରେଖା ଫୁଲୁଛି । ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି । ଘଣ୍ଟାକୁ ୪ ସେଣ୍ଟିମିଟର ହାରରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଶୁକ୍ରବାର ମଧ୍ୟରାତ୍ରି ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ପିକ୍‌ରେ ରହିବା ଆଶଙ୍କା ରହିଛି । ଏହା ସର୍ବାଧିକ ୧୧.୫ ମିଟର ଯାଏ ବଢ଼ିବା ଆଶଙ୍କା ଥିବାବେଳେ ଏହାଦ୍ୱାରା ବାଲେଶ୍ୱର ଭୋଗରାଇ, ବାଲିଆପାଳ ଆଦି ତଳି ଅଞ୍ଚଳରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଥିବାବେଳେ ସାଙ୍ଗରେ ଜରୁରୀ କାଗଜ ପତ୍ର ଓ ଶୁଖିଲା ଖାଦ୍ୟ ଧରି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଆସିବା ପାଇଁ ମାଇକ୍ ଯୋଗେ କୁହାଯାଉଛି ବୋଲି ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ।

ସୂଚନା ମୂତାବକ, ସନ୍ଧ୍ୟା ୮ଟା ସୁଦ୍ଧା ହୀରାକୂଦରେ ୪,୨୨,୧୯୯ କ୍ୟୁସେକ ଜଳ ପଶୁଛି ଓ ବିଭିନ୍ନ ଚ୍ୟାନେଲ୍‌ରେ ୪,୭୩,୦୨୩ ବାହାରୁଛି। ମୋଟ ୨୮ ଗେଟ୍ ଖୋଲା ଥିବାବେଳେ ଜଳଭଣ୍ଡାରରେ ୬୨୮.୬୫ ମିଟର ଉଚ୍ଚ ଯାଏଁ ଜଳ ରହିଛି । ସନ୍ଧ୍ୟା ୮ଟା ସୁଦ୍ଧା ମୁଣ୍ଡଳିରେ ୬.୫୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ । ୨୮ ଗେଟ୍ ଖୋଲା ଥିବାରୁ ହୀରାକୁଦ ଜଳଭଣ୍ଡାର ତଳମୁଣ୍ଡରେ ଥିବା ଅନେକ ଗାଁରେ ପଶିଛି ପାଣି । ସୁବର୍ଣ୍ଣପୂର ବିନିକା ଅଞ୍ଚଳରେ ବି ପଶିଛି ପାଣି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ସୋନପୁର-ବୀରମହାରାଜପୁର ରାସ୍ତାର ବିଜେପୁର ସେତୁ ଉପରେ ପାଣି ଚାଲୁଥିବାରୁ ଦୁଇ ସ୍ଥାନ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ମାଳତି ଯୋର ଉପରେ ୨ ଫୁଟ୍ ବନ୍ୟାପାଣି ପ୍ରଭାବିତ ହେଉଥିବାରୁ ସୋନପୁର-ସମ୍ବଲପୁର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି ।

ସେହିପରି ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟା ନଦୀ ଫୁଲି ଥିବାରୁ ତଳିଅଞ୍ଚଳର ଗାଁ ପାଣି ଘେରରେ ରହିଛି । ହୀରାକୁଦ ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ହ୍ରାସ ପାଇଛି । ତେଣୁ ସତର୍କ ରହିବାକୁ ତଳି ଅଞ୍ଚଳର ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ରେଙ୍ଗାଲି ଡ୍ୟାମର ଜଳସ୍ତର ବଢୁଛି, ଫଳରେ ୨ଟି ଗେଟ୍ ଖୋଲା ଯାଇଛି । ରେଙ୍ଗାଲିରୁ ପାଣି ଆସୁଥିବାରୁ ବ୍ରହ୍ମଣୀରେ ଜଳସ୍ତର ବଢିବ ବୋଲି ପୂର୍ବାନୁମାନ କରାଯାଉଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବ୍ରାହ୍ମଣୀର ଜଳସ୍ତର ନିୟନ୍ତ୍ରଣରେ ଥିବାବେଳେ ଶନିବାର ଏହା ସାମାନ୍ୟତମ ଉପରକୁ ଯାଇପାରେ ।

ବର୍ଷା ନ ହେଲେ ଏପରି ସ୍ଥିତି ଜାରି ରହିବ । ଆଉ ବେଶି ପାଣି ଆସିବନି, ପୂର୍ଣ୍ଣିମା ତିଥି ଆଗକୁ ଥିବାରୁ ସମୁଦ୍ର ଜୁଆରି ରହୁଛି । ନଦୀ ମୁହାଣ ଦେଇ ଅଧିକ ପାଣି ସମୁଦ୍ରକୁ ଯାଇପାରୁନି । ଏଥିଯୋଗୁଁ ତଳିଆ ଅଞ୍ଚଳରେ କିଛିଟା ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍‌, ୧୨ ଟିମ୍ ଏନ୍‌ଡିଆର୍‌ଏଫ୍ ଏବଂ ୧୦ ଅଗ୍ନିଶମ ବିଭାଗ ଟିମ୍‌କୁ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking