33.1 C
Bhubaneswar
Friday, April 26, 2024
Homeଓଡିଶାଗଣଶିକ୍ଷା ବିଭାଗର କଡ଼ା ଚେତାବନୀ : ସ୍କୁଲ ଠାରୁ ୩୦୦ ଫୁଟ ପରିଧିରେ ସିଗାରେଟ୍‌, ଗୁଟଖା...

ଗଣଶିକ୍ଷା ବିଭାଗର କଡ଼ା ଚେତାବନୀ : ସ୍କୁଲ ଠାରୁ ୩୦୦ ଫୁଟ ପରିଧିରେ ସିଗାରେଟ୍‌, ଗୁଟଖା ବିକ୍ରି ମନା

ଭୁବନେଶ୍ୱର: ରାଜ୍ୟରେ ସବୁ ସ୍କୁଲଗୁଡିକର ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଣିକି ସ୍କୁଲ ପରିସରରେ ସିଗାରେଟ୍‌, ବିଡି, ପାନ, ଗୁଟ୍‌ଖା ବ୍ୟବହାର ଉପରେ କଟକଣା ଯୋରଦାର ହେଲା । ସ୍କୁଲରେ କୌଣସି ଶିକ୍ଷକ ତଥା କର୍ମଚାରୀମାନେ ପାନ, ବିଡି, ସିଗାରେଟ୍‌, ଗୁଟଖା ଖାଇପାରିବେ ନାହିଁ । ଯଦି କୌଣସି ଶିକ୍ଷକ ବା କର୍ମଚାରୀ ଏପରି ଅବକାରୀ ଖାଉଥିବାର ଅଭିଯୋଗ ହୁଏ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସବୁ ସ୍କୁଲକୁ ଟୋବାକ୍ ଫ୍ରି ଅନୁଷ୍ଠାନ ଭାବେ ନିର୍ମାଣ ଲାଗି ବିଭାଗ ପକ୍ଷରୁ କସରତ ଆରମ୍ଭ ହୋଇଛି । ପୂର୍ବରୁ ସ୍କୁଲ ପରିସର କିମ୍ବା ସ୍କୁଲ ପାଖରେ ବିଭିନ୍ନ ଗୁଟଖା ସାମଗ୍ରୀ କିମ୍ବା ସିଗାରେଟ୍ ପାନ ବିକ୍ରି କରାନଯିବା ଲାଗି ନିୟମ ଲାଗୁ ହୋଇଥିଲା । ମାତ୍ର ସମ୍ପୃକ୍ତ ନିୟମକୁ ଯାଞ୍ଚ କରାନଯିବା ଫଳରେ ଯେଉଁ ବ୍ୟବସ୍ଥା ହୋଇଥିଲା ତାହା ଫେଲ୍ ମାରିଲା ।

ମାତ୍ର ଏଥର ଏହି ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କୌଣସି ସ୍କୁଲ ପରିସରରେ ସିଗାରେଟ୍ କିମ୍ବା ଗୁଟ୍‌ଖାର ଯାଞ୍ଚ  ସହ ସ୍କୁଲ ଠାରୁ ୩୦୦ ଫୁଟ ପରିଧିରେ ଏପରି ଅବକାରୀ ସାମଗ୍ରୀର ବିକ୍ରି ଯାଞ୍ଚ କରାଯିବ । ଏନେଇ ବିଇଓ ଏବଂ ଡିଇଓଙ୍କୁ ତଦାରଖ ଲାଗି ଦାୟିତ୍ୱ ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ବ୍ଲକ୍ ଶିକ୍ଷା ଅଧୀକାରୀ ସେମାନଙ୍କ ଅଧୀନରେ ଥିବା ସ୍କୁଲ ପରିଦର୍ଶନ କରିବା ସହ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଡାକି ସେମାନେ ପାନ କିମ୍ବା ସିଗାରେଟ୍ ଖାଉଛନ୍ତି କି ନାହିଁ ତାହାର ତଦନ୍ତ କରିବେ । ଏହାବ୍ୟତୀତ ଯଦି କୌଣସି ଶିକ୍ଷକ କିମ୍ବା କର୍ମଚାରୀ ସ୍କୁଲରେ ଏପରି ଅବକାରୀ ଖାଉଥିବାର ଅଭିଯୋଗ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ସ୍କୁଲ ଠାରୁ ୩୦୦ ଫୁଟ ପରିଧି ମଧ୍ୟରେ କୌଣସି ଦୋକନରେ ସିଗାରେଟ୍ କିମ୍ବା ଗୁଟ୍‌ଖା ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ । ସ୍କୁଲ  ଠାରୁ ୩୦୦ ଫୁଟ ପରିଧିରେ  ମଧ୍ୟରେ ଯେଉଁ ସବୁ ଦୋକାନ ଥିବ ସେହି ସବୁ ଦୋକନଗୁଡିକ ମଧ୍ୟ ଯାଞ୍ଚ କରାଯିବ । ଯଦି ସମ୍ପୃକ୍ତ ଦୋକାନରେ ଏପରି ଅବକାରୀ ସାମଗ୍ରୀ ବିକ୍ରି ହେଉଥିବା ଧରାପଡେ ତେବେ ସମ୍ପୃକ୍ତ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ ସାଙ୍ଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି । ବିଭିନ୍ନ ସ୍କୁଲରେ ସୁସ୍ଥ ପରିବେଶ ସାଙ୍ଗକୁ ପିଲାମାନେ ଯେପରି  ସିଗାରେଟ୍‌, ଗୁଟଖା ଭଳି ବଦ ଅଭ୍ୟାସ ଠାରୁ ଦୂରେଇ ରହନ୍ତି ସେ ସମ୍ପର୍କରେ ଗୁରୁତ୍ୱ ଦିଆଯିବ । ସେହିପରି ସିଗାରେଟ୍‌, ଗୁଟଖା  ଦ୍ୱାରା କିଭଳି ଲୋକମାନେ ବିଭିନ୍ନ ରୋଗର ଶିକାର ହୁଅନ୍ତି ସେ ସମ୍ପର୍କରେ ମଧ୍ୟ ପିଲାଙ୍କୁ ସଚେତନ କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking