ଆଜିଠାରୁ ପିଜିରେ ନାମଲେଖା : ପ୍ରଥମ ପର୍ଯ୍ୟାୟରେ ୧୨,୨୧୪ ମନୋନୀତ

+2 entollment

ଭୁବନେଶ୍ୱର: ୨୦୨୧-୨୨ଶିକ୍ଷା ବର୍ଷ ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ହଜାର ୨୧୪ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନାମଲେଖା ଲାଗି ଚୟନ ହୋଇଛନ୍ତି । ଏହି ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ ହେବ । ରାଜ୍ୟରେ ୧୪ଟି ବିଶ୍ୱବିଦ୍ୟାଳୟ ଏବଂ ୫୯ଟି କଲେଜରେ ପିଜି ପାଠ୍ୟକ୍ରମର ବ୍ୟବସ୍ଥା ରହିଛି । ବିଭିନ୍ନ ପାଠ୍ୟକ୍ରମରେ ମୋଟ୍ ୧୫ହଜାର ସିଟ୍ ରହିଛି ।

ସେଥିରୁ ବିଶ୍ୱବିଦ୍ୟାଳୟଗୁଡିକରେ ୮,୪୧୦ ସିଟ୍ ରହିଥିବା ବେଳେ କଲେଜରେ ୬,୫୯୦ ସିଟ୍ ରହିଛି । ଚଳିତବର୍ଷ ଏକକ ପିଜି ପ୍ରବେଶିକା ପରୀକ୍ଷା ଲାଗି ମୋଟ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ମୋଟ୍ ୩୭ ହଜାର ୪୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ର‌୍ୟାଙ୍କ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ କେବଳ ୧୨ ହଜାର ୨୧୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏଥିରୁ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ୭,୫୦୧ ଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୪,୭୧୩ ରହିଛି । ଯୋଗ୍ୟ ବିବେଚିତ ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୩୯୨ଜଣ ଏସ୍‌ସି ଓ ୨୬୮୫ ଜଣ ଏସ୍‌ଟି ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନାମଲେଖା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨ୟ ପର୍ଯ୍ୟାୟ ମେଧା ତାଲିକା ନଭେମ୍ବର ୪ରେ ପ୍ରକାଶ ପାଇବ । ୨ୟ ପର୍ଯ୍ୟାୟ ନାମଲେଖା ନଭେମ୍ବର ୫ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ସିଟ୍ ବଳକା ପଡେ ତେବେ ବଳକା ସିଟ୍ ତାଲିକା ନଭେମ୍ବର ୧୨ରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here