32.1 C
Bhubaneswar
Thursday, May 2, 2024
Homeଓଡିଶାରାଜ୍ୟରେ ଦୈନିକ ୩.୫ ଲକ୍ଷ ଟିକା ଦେବାକୁ ଟାର୍ଗେଟ ଦେଲେ ଏସିଏସ୍‌

ରାଜ୍ୟରେ ଦୈନିକ ୩.୫ ଲକ୍ଷ ଟିକା ଦେବାକୁ ଟାର୍ଗେଟ ଦେଲେ ଏସିଏସ୍‌

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଡୋଜ୍ ଟିକା ପ୍ରଦାନ କରିବାକୁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର ସରକାର ଦେଉଥିବା ମାସିକ ଟିକା କୋଟାକୁ ଏବେ ଦ୍ୱିଗୁଣ କରିସାରିଥିବାରୁ ସେହି ଆଧାରରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ଦୈନିକ କୋଭିଡ୍ ଟିକା ଟାର୍ଗେଟକୁ ପୂରଣ କରିବାକୁ କହିଛନ୍ତି ।

୩୦ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରେ ଦୈନିକ ୩.୫ ଲକ୍ଷ କୋଭିଡ୍ ଟିକା ଲୋକଙ୍କୁ ଦିଆଯିବ । ଏଥିରେ ଦୈନିକ ସର୍ବାଧିକ ୩୦ହଜାର ଡୋଜ୍ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପ୍ରଦାନ କରିବାକୁ ସେ କହିଛନ୍ତି । ଟିକାଦାନ ପାଇଁ ଆବଶ୍ୟକ ପଡ଼ୁଥିବା ସିରିଞ୍ଜ ସମସ୍ୟା ଏବେ ନାହିଁ । ତେଣୁ ଏବେ ସମସ୍ତ ଜିଲ୍ଲା ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦରକାର ।

ଟିକାକରଣ ସମୟରେ ତିନୋଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଦେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଯେଉଁ ହିତାଧିକାରୀମାନେ ନିଜର ଦ୍ୱିତୀୟ ଡୋଜ୍ ମିସ୍ କରିଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ କୁହାଯାଇଛି । ଏହାସହିତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଶିକ୍ଷକ ଏବଂ ଅଣଶିକ୍ଷକ, ଗର୍ଭବତୀ ମହିଳାଙ୍କୁ ଟିକାକରଣରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଦୈନିକ ସାଢ଼େ ୩ଲକ୍ଷର ଟିକା ଟାର୍ଗେଟ୍ ପୂରଣ କରିବାକୁ ଜିଲ୍ଲାୱାରି କୋଭିଟ୍ ଟିକା ପରିମାଣ ମଧ୍ୟ ଧାର୍ଯ୍ୟ ହୋଇଛି ।

ସେଥିରେ ଦୈନିକ ସର୍ବାଧିକ ଭୁବନେଶ୍ୱର ସହରାଂଚଳ ପାଇଁ ୩୦ହଜାର ଡୋଜ୍ , ଗଞ୍ଜାମ ପାଇଁ ୨୮୫୦୦, କଟକ ପାଇଁ ୨୦ହଜାର, ମୟୂରଭଞ୍ଜ ପାଇଁ ୧୯ହଜାର, ପୁରୀ ଜିଲ୍ଲାରେ ୧୪ହଜାର, ଯାଜପୁରରେ ୧୫ହଜାର, କଳାହାଣ୍ଡିରେ ୧୨ହଜାର, କେନ୍ଦୁଝରରେ ୧୪୫୦୦, ସୁନ୍ଦରଗଡ଼ରେ ୧୬ହଜାର, ବାଲେଶ୍ୱର ୧୮ହଜାର, ବଲାଙ୍ଗିର ୧୨ହଜାର ଟିକା ଦୈନିକ ଲୋକଙ୍କୁ ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଦେବଗଡ଼ରେ ସବଠୁ କମ୍ ୨୫୦୦, ଗଜପତି, ମାଲକାନଗିରି ଓ ନୂଆପଡ଼ାରେ ଦୈନିକ ସାଢ଼େ ୪ହଜାର, ଝାରସୁଗୁଡ଼ା ଓ ସୋନପୁରରେ ଦୈନିକ ୫ହଜାର ଏବଂ ବୌଦ୍ଧରେ ଦୈନିକ ୩ହଜାର ଡୋଜ୍ ଟିକାକରଣ କରାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏବେ ଦୈନିକ ପ୍ରାୟ ୧ଲକ୍ଷ ଡୋଜ୍ ଟିକା ପ୍ରଦାନ କରାଯାଉଛି । ଆଜିସୁଦ୍ଧା ରାଜ୍ୟରେ ୧କୋଟି ୬୩ଲକ୍ଷ ୩୦ହଜାର ୮୭ଜଣ ପ୍ରଥମ ଡୋଜ୍ ଏବଂ ୫୧ଲକ୍ଷ ୬୩ହଜାର ୪୪ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ ହୋଇସାରିଛି । ଓଡ଼ିଶାରେ ମୋଟ ୨ କୋଟି ୧୪ଲକ୍ଷ ୯୩ହଜାର ୧୩୧ ଡୋଜ୍ ଟିକାକରଣ ଆଜିସୁଦ୍ଧା ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking