24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଜଲାଲାବାଦରେ ତାଲିବାନୀ ହିଂସା, ୩ ମୃତ

ଜଲାଲାବାଦରେ ତାଲିବାନୀ ହିଂସା, ୩ ମୃତ

କାବୁଲ:  ଶାନ୍ତି ପ୍ରତିଷ୍ଠା କରିବାକୁ ତାଲିବାନ ଆତଙ୍କବାଦୀମାନେ ଯେତେ ପ୍ରତିଶ୍ରୁତି ଦେଲେ ସୁଦ୍ଧା ଏହାକୁ କାର୍ଯ୍ୟରେ ପ୍ରତିପାଦନ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି । ଆଫଗାନିସ୍ତାନ ଦଖଲ କରିବାର ୭୨ ଘଣ୍ଟା ନପୂରୁଣୁ ତାଲିବାନ ଆତଙ୍କବାଦୀଙ୍କ ଅସଲ ଚେହେରା ସାମନାକୁ ଆସିଛି । ଆଫଗାନିସ୍ତାନର ଅନ୍ୟତମ ପ୍ରମୁଖ ସହର ଜଲାଲାବାଦରେ ବୁଧବାର ତାଲିବାନ ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ବୋଲି ଅଲ୍‌-ଜଜିରା ନ୍ୟୁଜ୍ ଚାନେଲ ସୂତ୍ରରୁ ଜଣାପଡିଛି । ବୁଧବାର ଜଲାଲାବାଦରେ ତାଲିବାନ ବିରୋଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ଏମାନେ ସହରର ଏକ ପ୍ରମୁଖ ଛକରେ ଆଫଗାନିସ୍ତାନର ଜାତୀୟ ପତାକା ଉଡାଇବାକୁ ଉଦ୍ୟମ କରୁଥିବାବେଳେ ସେଠାରେ ପଇଁତରା ମାରୁଥିବା ତାଲିବାନ ଆତଙ୍କବାଦୀମାନେ ଏହାକୁ ବିରୋଧ କରିଥିଲେ । ଜାତୀୟ ପତାକା ପରିବର୍ତ୍ତେ ଦେଶର ସବୁ ସ୍ଥାନରେ କେବଳ ତାଲିବାନ ପତାକା ଉଡିବ ବୋଲି କହିବା ସହ ଆତଙ୍କବାଦୀମାନେ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ ।

ତେବେ ବିକ୍ଷୋଭକାରୀମାନେ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ତିନିଜଣ ପ୍ରାଣ ହରାଇଥିବାବେଳେ କୋଡିଏରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । କୋଡିଏ ବର୍ଷ ପରେ ପୁଣି କ୍ଷମତାକୁ ଆସିବାପରେ ସେମାନେ ନିଜର ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବେ ବୋଲି ତାଲିବାନ ନେତୃବର୍ଗ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି, ତାହା ବାସ୍ତବିକ ପାଣିରେ ଗାର ସଦୃଶ ପ୍ରମାଣିତ ହେବାରେ ଲାଗିଛି । ବିରୋଧୀଙ୍କ ପ୍ରତି କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ତାଲିବାନ କମାଣ୍ଡରମାନେ ଯେଉଁ ପ୍ରତିଶ୍ରୂତି ଶୁଣାଇଥିଲେ, ଜଲାଲାବାଦ ଗୁଳିକାଣ୍ଡ ଘଟଣା ଏହାକୁ ଭୁଲ ସାବ୍ୟସ୍ତ କରିଛି । ଆଫଗାନବାସୀ କୌଣସି ପରିସ୍ଥିତିରେ ତାଲିବାନ ସଂଗଠନକୁ ବିଶ୍ୱାସକୁ ନେଉନାହାନ୍ତି । ରବିବାର ତାଲିବାନ ଆତଙ୍କବାଦୀ ରାଜଧାନୀ କାବୁଲ ଅକ୍ତିଆର କରିବା ପରଠାରୁ ସହସ୍ରାଧିକ ଆଫଗାନ ନାଗରିକ ପ୍ରାଣବିକଳରେ ଦେଶ ଛାଡିସାରିଛନ୍ତି । ଯେଉଁମାନେ କୌଣସି ଉପାୟ ନପାଇ ରହିଛନ୍ତି, ସେମାନେ ଆସନ୍ନ ବିପଦରୁ କିଭଳି ମୁକ୍ତି ପାଇବେ, ସେଥିନେଇ କେବଳ ଦିନ ଗଣୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking