38.1 C
Bhubaneswar
Friday, April 26, 2024
Homeଓଡିଶାଦୃଷ୍ଟି ଶକ୍ତି ହରାଇ ପାଠପଢାରୁ ବଞ୍ଚିତ ସୁରଭି; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦୃଷ୍ଟି ଶକ୍ତି ହରାଇ ପାଠପଢାରୁ ବଞ୍ଚିତ ସୁରଭି; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କବିସୂର୍ଯ୍ୟନଗର: ଦୁନିଆ ଦେଖି ବୁଝିବା ଆଗରୁ ଅନ୍ଧକାର ହୋଇଗଲା ଜୀବନ । ଜନ୍ମରୁ ସବୁ ଦେଖିପାରୁଥିବା ଝିଅ ଦୃଷ୍ଟିଶକ୍ତି ହରାଇଥିବାରୁ ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର । ଝିଅ ଭଲ ପାଠ ପଢିବ, ମଣିଷ ହେବ । ଘରର ଦୁଃଖ ଦୂର କରିବା ସହ ବାହା ହୋଇ ଶାନ୍ତିରେ ଜୀବନ କାଟିବ ଆଦି ବିଭିନ୍ନ ସ୍ୱପ୍ନ ଦେଖିଥିବା ବାପା, ମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ପ୍ରଶାସନ ସେମାନଙ୍କ ଦୁଃଖ ବୁଝିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କବିସୂର୍ଯ୍ୟନଗର ବ୍ଲକ ବାଉଁସିଆ ଗ୍ରାମରେ । ଗ୍ରାମର ନାରାୟଣ ପାଟଣା ସାହିରେ ରହୁଥିବା ରାଜେଶ୍ୱରୀ ଦାଶଙ୍କ ଏକମାତ୍ର କନ୍ୟା ସୁରଭି ରାଣୀ ଦାଶ ଦୃଷ୍ଟିଶକ୍ତି ହରାଇଛନ୍ତି । ଜନ୍ମରୁ ସୁରଭି ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସବୁକିଛି ଦେଖିପାରୁଥିଲେ ଏବଂ ଭଲ ପାଠ ପଢ଼ୁଥିଲେ ।

ଝିଅର ପାଠପଢା ଦେଖି ବାପା ମା ଙ୍କ ଆଶା ଥିଲା ଦିନେ ଝିଅ ସେମାନଙ୍କ ସାହାରା ହେବ । ସାତ ବର୍ଷ ବୟସରେ ବସନ୍ତ ରୋଗରେ ପୀଡିତ ହେଲେ ସୁରଭୀ । ହେଲେ ଝିଅ ପଞ୍ଚମ ଶ୍ରେଣୀରେ ପଢିବା ବେଳେ ତାଙ୍କ ବାମ ଆଖି ଲାଲ ହେବା ସହିତ ଆଉ ଦେଖାଗଲା ନାହିଁ। ପରେ ସପ୍ତମ ଶ୍ରେଣୀ ପଢିବା ବେଳକୁ ଆର ଆଖିରେ ମଧ୍ୟ ଦୃଷ୍ଟି ଶକ୍ତି କମିବାରେ ଲାଗିଲା । ପରିବାର ଲୋକେ ଧାର କରଜ କରି ସୁରଭିଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ବାଙ୍ଗାଲୁରୁ, ଚେନ୍ନାଇର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ହେଲେ ସେଥିରେ ସୁରଭିଙ୍କୁ କୌଣସି ସୁଫଳ ମିଳିଲା ନାହିଁ । ଦୁଃଖ କଷ୍ଟେ ସୁରଭି ପାଠପଢ଼ି ଦଶମ ପାସ କରି ଯୁକ୍ତ ଦୁଇରେ ନାମ ଲେଖାଇଲେ ।

ହେଲେ ଦୁଇଟି ଯାକ ଆଖିକୁ ସମ୍ପୂର୍ଣ୍ଣର୍ ଭାବେ ନ ଦେଖାଯିବା କାରଣରୁ ସୁରଭି ଯୁକ୍ତ ଦୁଇ ପାଠପଢା ଅଧାରୁ ଛାଡି ଏବେ ଘରେ ରହୁଛନ୍ତି। ତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଯାହାକିଛି ସଞ୍ଚିତ ଟଙ୍କା ଓ ସୁନାରୁପା ଥିଲା, ସବୁ କିଛି ସୁରଭିଙ୍କ ଚିକିତ୍ସାରେ ସରିଯାଇଥିବା ପରିବାର ଲୋକେ କହିଛନ୍ତି । ଏବେ ବାପା ଅନୁପ ବାହାର ରାଜ୍ୟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପଠାଉଥିବା ଅର୍ଥରେ ଦୁଃଖ କଷ୍ଟେ ତାଙ୍କ ପରିବାର ଚାଲୁଛି । ଏଭଳି ସ୍ଥିିତିରେ ଝିଅର ବା ଚିକିତ୍ସା କିପରି କରାଇବେ ବୋଲି ପରିବାର ଲୋକେ କହିଛନ୍ତି । ସରକାରୀ ସହାୟତା କହିଲେ ସୁରଭୀଙ୍କୁ ବିକଳାଙ୍ଗ ଭତ୍ତା ୭୦୦ ଟଙ୍କା ସହ ରାସନ କାର୍ଡ ମିଳିଛି । ସୁରଭୀଙ୍କୁ ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ସେବା ସହ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ଓ ସରପଞ୍ଚ ମିନତୀରାଣୀ ଦାସ।

ଚଳିତ ମାସରେ ବ୍ରହ୍ମପୁର ଏଲ. ଭି ପ୍ରସାଦ ଆଇ ହସ୍ପିଟାଲ ଚିକିତ୍ସା ଲାଗି ଯାଇଥିଲେ । ସେଠାରେ ଡାକ୍ତର ଅପରେସନ ଲାଗି ଭୁବନେଶ୍ୱର ପଟିଆସ୍ଥିତ ଏଲ. ଭି ପ୍ରସାଦ ଆଇ ହସ୍ପିଟାଲକୁ ପଠାଇଥିଲେ । ଗତ ୧୫ ତାରିଖରେ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଯୋଗେ ସୁରଭି ଏଲ.ଭି. ପ୍ରସାଦ ଆଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ଗତ ମେ ୧୬ ତାରିଖରେ ବିକେଏସ୍‌ୱାଇ କାର୍ଡ଼ରେ ତାଙ୍କର ସଫଳ ଅପରେସନ ହୋଇଥିଲା । ଯଦ୍ୱାରା ଆଂଶିକ ଦେଖିପାରୁଥିବା ସୁରଭି କହିଛନ୍ତି । ତେବେ ଆଗକୁ ପୁଣି ଆଉ ଅପେରସନ ହେବାକୁ ଥିବା ଡାକ୍ତର କହିଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି । ବିଭିନ୍ନ ଆନୁସଙ୍ଗିକ ଖର୍ଚ୍ଚ ଓ ଭବିଷ୍ୟତ ଗଢିବା ପାଇଁ ଆର୍ôଥକ ଚିନ୍ତାରେ ପରିବାର । ପ୍ରଶାସନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking