40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶକଂଗ୍ରେସ ନେତୃତ୍ୱଙ୍କୁ ସ୍ମୃତି ଇରାନୀଙ୍କ ତାତ୍ସଲ୍ୟଭରା ପ୍ରଶ୍ନ; ପ୍ରାର୍ଥୀ ଘୋଷଣା କରିବାରେ ଏତେ ଭୟଭୀତ କାହିଁକି?

କଂଗ୍ରେସ ନେତୃତ୍ୱଙ୍କୁ ସ୍ମୃତି ଇରାନୀଙ୍କ ତାତ୍ସଲ୍ୟଭରା ପ୍ରଶ୍ନ; ପ୍ରାର୍ଥୀ ଘୋଷଣା କରିବାରେ ଏତେ ଭୟଭୀତ କାହିଁକି?

ଆମେଥି: କଂଗ୍ରେସକୁ ଟାର୍ଗେଟ୍ କରିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିରୋଧୀ ଦଳର କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିଛନ୍ତି? ସ୍ମୃତି ପଚାରିଛନ୍ତି କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଆମେଥି ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା ନକରିବାର କାରଣ କ’ଣ? କଂଗ୍ରେସ କ’ଣ ଏଠାରେ ନିଶ୍ଚିତ ପରାଜୟକୁ ନେଇ ଭୟଭୀତ ହୋଇପଡ଼ିଛି କି? କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କିମ୍ବା ଗାନ୍ଧୀ ପରିବାରର ଅନ୍ୟ କେହି (ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ) ସଦସ୍ୟ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଛଘୁଞ୍ଚା ହେଉଛନ୍ତି? ସ୍ମୃତି ଇରାନୀଙ୍କ ପ୍ରଶ୍ନ ଏପରି ସମୟରେ ଆସିଛି ଯେତେବେଳେ କି ଆସନ୍ତା ସପ୍ତାହରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆମେଥି ଆସନ ପାଇଁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇପାରୁନଥିବା ବେଳେ ସ୍ମୃତିଙ୍କ ଏପ୍ରକାର ପ୍ରଶ୍ନ କଂଗ୍ରେସ ପ୍ରତି ତୀବ୍ର ସମାଲୋଚନାମୂଳକ ତଥା କଟକ୍ଷ ଭଳି ହୋଇଛି ବୋଲି ମତପ୍ରକାଶ ପାଇଛି ।
ଆମେଥିରେ ଆୟୋଜିତ ଏକ ରାଲିରେ ଯୋଗଦେବା ଅବସରରେ ସ୍ମୃତି ଏପ୍ରକାର ପ୍ରଶ୍ନ କରିଛନ୍ତି । ଆମେଥି ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେବା ସମ୍ପର୍କରେ ସ୍ମୃତି କହିଛନ୍ତି, ଏହା ସୂଚାଉଛି ଯେ, କଂଗ୍ରେସ ବର୍ତ୍ତମାନ ଭଲଭାବେ ଜାଣିସାରିଛି ଯେ, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆମେଥିରେ ପୁଣିଥରେ ବିଜେପି ହିଁ ବିଜୟୀ ହେବ । ଆମେଥିବାସୀ କଂଗ୍ରେସର ୫୦ବର୍ଷର ଶାସନ ଏବଂ ରାହୁଲ ଗାନ୍ଧୀଙ୍କ ୧୫ବର୍ଷର ସାଂସଦ ଭାବେ ଏଠାରେ କାର୍ଯ୍ୟକାଳ ବନାମ୍ ବିଜେପି ସାଂସଦଙ୍କ ୫ବର୍ଷର କାର୍ଯ୍ୟକାଳକୁ ବେଶ୍ ଭଲଭାବେ ତର୍ଜମା କରିସାରିଛନ୍ତି ଏବଂ କାହାକୁ ଭୋଟ୍ ଦେବା ଉଚିତ୍ ତାହା ଭଲଭାବେ ନିଶ୍ଚିତ କରିସାରିଛନ୍ତି ବୋଲି କଂଗ୍ରେସ ବୁଝିସାରିଛି । ଏହିକାରଣରୁ ଭୟଭୀତ ହୋଇ କଂଗ୍ରେସ ଆମେଥି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଛି ବୋଲି ସ୍ମୃତି ଇରାନୀ କହିଛନ୍ତି । ସ୍ମୃତି କହିଛନ୍ତି, କରୋନା ସମୟରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଆମେଥିବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଥରୁଟିଏ ମଧ୍ୟ ଏଠାକୁ ଆସିନଥିଲେ । କିନ୍ତୁ ସାଂସଦ ଭାବେ ସେ ନିଜେ ସବୁସମୟରେ ଆମେଥିବାସୀଙ୍କ ପାଖରେ ଛିଡା ହୋଇଥିଲେ । ଜାତିଭିତ୍ତିରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ ଆଧାରରେ ଏବଂ ଜଣେ କର୍ତ୍ତବ୍ୟନିଷ୍ଠ ନାଗରିକ ଭାବେ ସେ ଆମେଥିବାସୀଙ୍କ ପାଇଁ କାମ କରିଛନ୍ତି । ଏହି କାରଣରୁ ଆମେଥିବାସୀ ପୁନର୍ବାର ତାଙ୍କୁ ବିଜୟୀ କରିବେ ବୋଲି ସେ ନିଶ୍ଚିତ ଅଛନ୍ତି । ପ୍ରକାଶ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବେ ଆମେଥିରୁ ଲୋକସଭା ସାଂସଦ ରହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ହେଭିୱେଟ୍ ନେତା ରାହୁଲ ଗାନ୍ଧୀଙ୍କୁ ସେ ଏହି ଆସନରେ ବିପୁଳ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ । ଅବଶ୍ୟ ରାହୁଲ ଗାନ୍ଧୀ, ଆମେଥି ସହ କେରଳର ୱାୟନାଡ ଲୋକସଭା ଆସନରୁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ସେହି ଆସନରେ ବିଜୟୀ ମଧ୍ୟ ହୋଇଥିଲେ । ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ବଜାୟ ରହିଥିଲା । କିନ୍ତୁ ଦୀର୍ଘ ୧୫ ବର୍ଷ ଧରି ଆମେଥି ଲୋକସଭା ଆସନରୁ ସହଜରେ ବିଜୟୀ ହୋଇଆସୁଥିବା ରାହୁଲ ଗାନ୍ଧୀ ଆମେଥିରୁ ପରାଜିତ ହେବା କଂଗ୍ରେସ ପାଇଁ ବଡ଼ ଝଟ୍‌କା ସଦୃଶ ଥିଲା ।
ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ନିଜ ହିସାବରେ ରଣନୀତି ପ୍ରସ୍ତୁତି କରିବା ପୂର୍ବକ ସେଦିଗରେ ଲାଗିପଡ଼ିଛନ୍ତି । ପ୍ରତିପକ୍ଷଙ୍କୁ ହରାଇବା ପାଇଁ ବୁଝିବିଚାରି ନିର୍ବାଚନୀ ମଣ୍ଡଳୀ ବା ଲୋକସଭା କ୍ଷେତ୍ର ପାଇଁ ସର୍ବାଧିକ ଯୋଗ୍ୟ ତଥା ପ୍ରଭାବୀ ଆଶାୟୀଙ୍କୁ ଦଳ ଟିକେଟ୍ ଦେଉଥିବା ଦେଖିବାକୁ ମିଳୁଛି । ତେବେ କେତେକ ଦଳ ବର୍ତ୍ତମାନ ସୁଦ୍ଧା କେତେକ ଆସନରେ ଚୂଡାନ୍ତ ପ୍ରାର୍ଥୀ ଘୋଷଣା କରୁନାହାନ୍ତି । ହୁଏତ ସେମାନେ ଅପେକ୍ଷା କରିଛନ୍ତି ପ୍ରତିପକ୍ଷ ଦଳ ପକ୍ଷରୁ କେଉଁ ପ୍ରାର୍ଥୀଙ୍କୁ ଉକ୍ତ ଆସନରେ ପ୍ରାର୍ଥୀ କରାଯାଉଛି ପ୍ରଥମେ ସେସମ୍ପର୍କରେ ସେମାନେ ଦେଖିବା ପରେ ତଦନୁସାରେ ସେଠାରେ ନିଜ ଦଳର କେଉଁ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବା ଉଚିତ୍ ହେବ ସେନେଇ ବିଚାର କରିପାରିବେ । ତେବେ ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ଅନେକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରାଯାଇସାରିଥିବା ବେଳେ କଂଗ୍ରେସ କିନ୍ତୁ ଏପର୍ଯ୍ୟନ୍ତ ଏଠାରେ କାହାକୁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାକୁ ନେଇ ସ୍ମୃତି ଇରାନୀ ବରାବର କଂଗ୍ରେସକୁ ତୀବ୍ର ସମାଲୋଚନା କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking