33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଆପ୍‌କୁ ନିର୍ବାଚନ ଆୟୋଗଙ୍କ ଛାଟ; ପ୍ରଚାର ସଂଗୀତରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ

ଆପ୍‌କୁ ନିର୍ବାଚନ ଆୟୋଗଙ୍କ ଛାଟ; ପ୍ରଚାର ସଂଗୀତରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ପକ୍ଷରୁ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ନିଜ ନିର୍ବାଚନୀ ପ୍ରଚାର ସଂଗୀତ ‘ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ’ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆୟୋଗ, କେବୁଲ ଟେଲିଭିଜନ୍ ନେଟୱାର୍କ ନିୟମ-୧୯୯୪ ଏବଂ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍‌ର ଦ୍ୱାହି ଦେଇ ଏହି ସଂଗୀତରେ କେତେକ ପରିବର୍ତ୍ତନ କରିବାକୁ ଏବଂ ଦ୍ୱିତୀୟ ଥର ଏହାକୁ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଆପ୍‌କୁ କହିଛନ୍ତି । ତେବେ ଏହି ସଂଶୋଧିତ ସଂଗୀତକୁ ଭଲଭାବେ ଯାଞ୍ଚ୍ କରାଯିବା ପରେ ହିଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାର୍ଟିଫିକେଟ୍ ଦିଆଯିବ ଏବଂ ଦଳ ଏହାକୁ ନିଜ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିପାରିବ ବୋଲି ଆୟୋଗ ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷେ ନିର୍ବାଚନ ଆୟୋଗଙ୍କ ଏପ୍ରକାର ନିର୍ଦ୍ଦେଶ ଆସିବା ପରେ ପରେ ଆମ୍ ଆଦ୍‌ମୀ ପାର୍ଟି ପ୍ରତିକ୍ରିୟାଶୀଳ ହୋଇପଡିଛି । ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସାମ୍ବାଦିକ ସମ୍ମିଳନୀ ଯୋଗେ ନିର୍ବାଚନ ଆୟୋଗଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଆତିଶୀଙ୍କ କହିବାନୁସାରେ ନିର୍ବାଚନ ଆୟୋଗ ପକ୍ଷପାତିତା କରୁଛନ୍ତି । ବିଜେପି ଯେତେବେଳେ ବିରୋଧୀ ଦଳର ନେତାମାନଙ୍କୁ ଥାନାରେ ରଖିବା ପାଇଁ ଇଡି, ସିବିଆଇଙ୍କୁ ବ୍ୟବହାର କରୁଛି ସେତେବେଳେ ଆୟୋଗ କିଛି ବଦଳାଇ ପାରୁନାହାନ୍ତି । ନିର୍ବାଚନ ପୂର୍ବରୁ ଊଦ୍ଦେଶ୍ୟମୂଳକ ଭାବେ କଂଗ୍ରେସର ଦଳୀୟ ପାଣ୍ଠିକୁ ଫ୍ରିଜ୍ କରିଦିଆଗଲା, ସେତେବେଳେ ତ କାହିଁ ନିର୍ବାଚନ ଆୟୋଗ କିଛି କହିପାରିଲେନି । କିନ୍ତୁ କେହି ଯଦି ନିଜ ନିର୍ବାଚନୀ ପ୍ରଚାର ସଂଗୀତ ମାଧ୍ୟମରେ କିଛି କହିବାକୁ ଚାହୁଁଛି ତେବେ ନିର୍ବାଚନ ଆୟୋଗଙ୍କୁ ଅସୁବିଧା ହୋଇଯାଉଛି । ତେବେ ନିର୍ବାଚନ ଆୟୋଗଙ୍କ ପଛରେ ରହି ବିଜେପି ଏସବୁ କରୁଛି ଏବଂ ଏହା କେବଳ ଏକଛତ୍ରବାଦୀ ସରକାରର ଲକ୍ଷଣ ବୋଲି ଆତିଶୀ କହିଛନ୍ତି । ଆତିଶୀଙ୍କ କହିବାନୁସାରେ ଆପ୍‌ର ଏହି ଗୀତରେ କୌଣସି ଧାଡିରେ ମଧ୍ୟ ବିଜେପିର ନାମ ନାହିଁ, କେବଳ ଏକଛତ୍ରବାଦୀ ଶବ୍ଦ ବ୍ୟବହାର କରାଯାଇଛି । କିନ୍ତୁ ତଥାପି ନିର୍ବାଚନ ଆୟୋଗ, ଆମ କୁଆଡେ ସରକାରଙ୍କୁ ଟାର୍ଗେଟ କରୁଛୁ ବୋଲି ଦର୍ଶାଇଛନ୍ତି । ସେହିପରି ଗୀତରେ ଭୋଟ୍ ଶବ୍ଦ ବ୍ୟବହାର କରାଯାଇଛି, କିନ୍ତୁ ଏହାଦ୍ୱାରା ନ୍ୟାୟପାଳିକାର ଅପମାନ ହେଉଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି, କିନ୍ତୁ ବାସ୍ତବରେ ଏହା ଆମ ବୁଝିବା ବାହାରେ ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆପ୍‌କୁ ଦିଆଯାଇଥିବା ନିର୍ଦ୍ଦେଶାନାମା ଅନୁସାରେ ଆପ୍‌ର ନିର୍ବାଚନୀ ପ୍ରଚାର ପାଇଁ ରଚନା କରାଯାଇଥିବା ସଂଗୀତରେ ‘ଜେଲ୍ କେ ଜବାବ୍ ମେ ହମ୍ ଭୋଟ୍ ଦେଙ୍ଗେ’ ସହ ଆକ୍ରୋଶ ପରାୟଣ ଜନତାଙ୍କ ଭିଡ ଏବଂ ଭିଡରେ ସାମିଲ ହୋଇଥିବା ଜନତାଙ୍କ ହାତରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଜେଲ୍‌ରେ ଥିବାର ଫଟୋ ସମ୍ବଳିତ ପୋଷ୍ଟର ଦେଖିବାକୁ ମିଳୁଛି । ତେବେ ଏପ୍ରକାର ଭିଜୁଆଲ ଦ୍ୱାରା ନ୍ୟାୟପାଳିକାଙ୍କ ଛବି ଖରାପ ହେଉଛି । ଏତଦ୍‌ବ୍ୟତୀତ ସଂଗୀତରେ ‘ଜେଲ୍ କେ ଜବାବ୍ ମେ ହମ୍ ଭୋଟ୍ ଦେଙ୍ଗେ’କୁ ବାରମ୍ବାର ରିପିଟ୍ କରାଯାଇଛି, ଯାହା କେବୁଲ ଟେଲିଭିଜନ୍ ନେଟୱାର୍କ ନିୟମ-୧୯୯୪ ଅନ୍ତର୍ଗତ ପ୍ରୋଗ୍ରାମ୍ ଆଣ୍ଡ୍ ଆଡଭରଟାଇଜିଂ କୋଡ୍‌ର ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍ ଏବଂ ନିୟମ ୧(ଜି)କୁ ଉଲ୍ଲଂଘନ କରୁଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ରର ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ପ୍ରଚାର ସଂଗୀତରୁ ମଧ୍ୟ କିଛି ଶବ୍ଦ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ସଂଗୀତରେ ଥିବା ‘ହିନ୍ଦୁ’ ଏବଂ ‘ଜୟ ଭବାନୀ’ ଶବ୍ଦ ବଦଳାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏ ଶବ୍ଦ ଆମେ ହଟାଇବୁ ନାହିଁ ବୋଲି ଉଦ୍ଧବ ଠାକରେ ସିଧା ସିଧା ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking