ସମ୍ବଲପୁର: ରେଢାଖୋଲ ଥାନା ତ୍ରିବଣପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ପେଟ୍ରୋଲ ଢାଳି ପୋଡି ହତ୍ୟା କରିଛନ୍ତି । ଏନେଇ ରେଢାଖୋଲ ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ବାପା ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମର କୃଷ୍ଣ ବେହେରା ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ ପରେ ଏ ସଂକ୍ରାନ୍ତରେ ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିବା ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ମାଧପୁର ଗ୍ରାମର କୃଷ୍ଣ ବେହେରାଙ୍କ ଝିଅ ରୁନୁ ବେହେରା ଗତ ୨୦୧୭ ଏପ୍ରିଲ ୧୯ ତାରିଖରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଗୋବିନ୍ଦପୁର ଗ୍ରାମର ଶିବ ବେହେରାଙ୍କ ପୁଅ ବସନ୍ତ ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଜ୍ୱାଇଁଙ୍କ ଦାବି ମୁତାବକ ସମସ୍ତ ଜିନିଷପତ୍ର ଦିଆଯାଇଥିଲା । ମାତ୍ର ବିବାହ ପରେ ରୁନୁଙ୍କ ସ୍ୱାମୀ, ତାଙ୍କ ଶାଶୂ ଭୂମି ବେହେରା ଓ ତାଙ୍କ ନଣନ୍ଦ ନମିତା ବେହେରା ତାଙ୍କୁ ବାପ ଘରୁ ଏକ ବାଇକ ଆଣିବା ପାଇଁ ସବୁବେଳେ ମାଡ଼ପିଟ କରନ୍ତି । ଦିନକୁ ଦିନ ଝିଅ ଉପରେ ମାରପିଟ ବଢୁଥିବାରୁ ମୃତ ମହିଳା ରୁନୁଙ୍କ ବାପା ଧାର କରଜ କରି ଏକ ବାଇକ ଦେଇଥିଲେ ।
ତଥାପି ତାଙ୍କ ଉପରେ ନିର୍ଯାତନା କମିନଥିଲା । ଗତ ଡିସେମ୍ବର ୨୯ ତାରିଖରେ ଶାଶୂଘର ଲୋକେ ତାଙ୍କ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇଦେଇଥିଲେ । ଖବର ପାଇ ରୁନୁଙ୍କ ବାପ ଘର ପରିବାର ଲୋକେ ବୁର୍ଲା ଡାକ୍ତରଖାନାରେ ଯାଇ ଦେଖିଥିଲେ ଯେ, ତାଙ୍କ ଝିଅର ସବୁ ଅଂଶ ପୋଡ଼ିଯାଇଛି । ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରା ଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜାନୁଆରୀ ୬ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକରେ କିଛି ଦିନ ଚିକିତ୍ସିତ ହେବା ପରେ ଫେବ୍ରୁଆରୀ ୨ ତାରିଖରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଥିଲେ ।
ଏହା ପରେ ରୁନୁଙ୍କୁ କଟକ ବଡ ମେଡ଼ିକାଲରୁ ନିଜ ବାପ ଘର ଗ୍ରାମ ଅନୁଗୁଳ ଜିଲ୍ଲା ମାଧପୁର ଗ୍ରାମକୁ ନେଇ ଆସିଥିଲେ । ମାତ୍ର ରୁନୁଙ୍କ ଅବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ପୁଣି ଆଠମଲ୍ଲିକ ଡାକ୍ତରଖାନା ଓ ପରେ ଅନୁଗୁଳ ଡାକ୍ତରଖାନାକୁ ଗତ ଫେବୃଆରୀ ୬ ତାରିଖ ଦିନ ନିଆଯାଇଥିଲା । ସନ୍ଧ୍ୟାରେ ରୁନୁଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୃତ ରୁନୁଙ୍କ ବାପା ରେଢାଖୋଲ ଥାନାକୁ ଆସି ତାଙ୍କ ମୃତ ଝିଅର ସ୍ୱାମୀ, ଶାଶୂ ଓ ନଣନ୍ଦ ମିଶି ପେଟ୍ରୋଲ ଢାଳି ପୋଡି ହତ୍ୟା କରି ଥିବା ଅଭିଯୋଗ କରିଛି । ପୁଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ।