ସୁନ୍ଦରଗଡ: ଘରେ କେହିନଥିବା ବେଳେ ପାଚେରୀ ଡେଇଁ ତାଲା କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ । ଆଲମିରା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନା ଓ ନଗଦ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ କୁତ୍ରା ଚୁନିପଡା ଅଞ୍ଚଳରେ ଏହି ଲୁଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଚୂନିପଡାର ବ୍ୟବସାୟୀ ଅବକାଶ ଦାସଙ୍କ ଘରୁ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ସହ ସୁନା ଚୋରି କରି ଫେରାର ହୋଇଯାଇଛନ୍ତି । ଅଭିଯୋଗ ଅନୁସାରେ ଅବକାଶ କୌଣସି କାମରେ ବୁର୍ଲାରେ ଥିବା ଶ୍ୱଶୁର ଘରକୁ ଯାଇଥିଲେ । ତାଙ୍କ ସାନ ଭାଇ ରମେଶ ଦାସ ରାଜଗାଙ୍ଗପୁରକୁ ଯାଇଥିଲେ । ଏହି ସୁଯୋଗର ଫାଇଦା ଉଠାଇ କିଛି ଚୋର ଘର ପଛପଟ ପାଚେରୀ ଡେଇଁ ଘରର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ । ଚୋରମାନେ ଘରର ତିନିଟି ରୁମର ଆଲମିରା ଭାଙ୍ଗି ସେଥିରେ ରଖାଯାଇଥିବା ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ନଗଦ ସହ ୧୦ ଭରି ସୁନା ନେଇ ପଳାଇଯାଇଥିବା ଜଣାପଡିଛି । ସନ୍ଧ୍ୟା ପ୍ରାୟ ୮ଟା ସମୟରେ ରମେଶ ଦାସ ଘରକୁ ଫେରି ଘଟଣା ଦେଖି କୁତ୍ରା ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।










