ନୂଆଦିଲ୍ଲୀ : ନୀମ କରୋଲି ବାବାଙ୍କ ପ୍ରସିଦ୍ଧ କୈଞ୍ଚିଧାମରେ ଦିନକୁ ଦିନ ବଢ଼ୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଏବେ ନୂଆ ବ୍ୟବସ୍ଥା ଉପରେ ବିଚାର କରୁଛି । ଭବିଷ୍ୟତରେ କୈଞ୍ଚିଧାମ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରାଯିବା ସହ ଗୋଟିଏ ଦିନରେ କେତେ ଭକ୍ତ ଦର୍ଶନ କରିପାରିବେ, ସେଥିପାଇଁ ସୀମା ନିର୍ଦ୍ଧାରଣ କରାଯାଇପାରେ । କୈଞ୍ଚିଧାମରେ ବଢ଼ୁଥିବା ଟ୍ରାଫିକ୍ ଚାପ, ପାର୍କିଂ ସମସ୍ୟା ଓ ଅସମ୍ଭବ ଭିଡ଼କୁ ନେଇ କୁମାଉଁ ଆୟୁକ୍ତ ଦୀପକ ରାୱତ ବିଭାଗୀୟ ଅଧିକାରୀ, ହୋଟେଲ ବ୍ୟବସାୟୀ ଏବଂ ଅନ୍ୟ ଷ୍ଟେକ୍ହୋଲ୍ଡରଙ୍କ ସହ ବୈଠକ କରିଛନ୍ତି । ତେବେ ରେଜିଷ୍ଟ୍ରେସନ୍ କିମ୍ବା ଦୈନିକ ଭକ୍ତ ସଂଖ୍ୟା ସୀମିତ କରିବା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବିଶେଷକରି ସପ୍ତାହାନ୍ତ ଏବଂ ଛୁଟିଦିନରେ କୈଞ୍ଚିଧାମରେ ଭକ୍ତଙ୍କ ଭିଡ଼ ବହୁଗୁଣା ବଢ଼ୁଛି। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ଓ ପାର୍କିଂ ସମସ୍ୟା ସୃଷ୍ଟି ହେଉଛି । ପ୍ରଶାସନର ଲକ୍ଷ୍ୟ ହେଉଛି ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ ଦର୍ଶନ ଯୋଗାଇବା ସହ ସ୍ଥାନୀୟ ଯାତାୟାତ, ପର୍ଯ୍ୟଟନ ଏବଂ ବ୍ୟବସାୟ ଉପରେ ପଡ଼ୁଥିବା ଚାପକୁ ସନ୍ତୁଳିତ କରିବା ।










