ଭୁବନେଶ୍ୱର : ବାତ୍ୟା ଅକୱାନର ସଫଳ ମୁକାବିଲା ଉପରେ ଗୁରୁ୍ତ୍ୱାରୋପ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବାତ୍ୟା ମୁକାବିଲା ଟିମ୍ ଗଠିତ ହୋଇଛି । ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ନେତା ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲେ । ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଅନୁଧ୍ୟାନ କରିଥିଲେ ।
ଜଗତସିଂହପୁର ଜିଲ୍ଲା ବାତ୍ୟା ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ନେତା ଶ୍ରୀ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଶ୍ରୀ ସମ୍ୱିତ ରାଉତରାୟ, ପୂର୍ବତନ ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ ଓ ବରିଷ୍ଠ ନେତା ଶ୍ରୀ ଅରବିନ୍ଦ ସାର୍କେଲଙ୍କ ସମେତ ଅନ୍ୟାନ୍ୟ ନେତା ପ୍ରତିନିଧି ଦଳରେ ସାମିଲ ଥିଲେ । ଜିଲ୍ଲାର ସମ୍ୱେଦନଶୀଳ ସ୍ଥାନ ଗୁଡିକ ପରିଦର୍ଶନ କରି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲା ବିଜେଡି ପ୍ରତିନିଧି ଦଳ । ଜନସାଧାରଣଙ୍କ ଜୀବନ ସୁରକ୍ଷା ଓ ଦୁର୍ଦ୍ଦଶା ହ୍ରାସ ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଭାବିତଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସହ ବାତ୍ୟା ପରବର୍ତ୍ତୀ ଥଇଥାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ସହାୟତା ଯୋଗାଇ ଦେବାବାକୁ ଜିଲ୍ଲା ପ୍ରଶାସନକୁ କହିଥିଲା ପ୍ରତିନିଧି ଦଳ । ଡ଼ ଅରୁଣ ସାହୁ କହିଥିଲେ ଯେ, ବାତ୍ୟା “ଅକୱାନ’ ଯୋଗୁଁ କ୍ଷେତରେ ପାଣି ଜମିବା ଫଳରେ ଧାନଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହା ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।
କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ କରିବା ସହ ସେମାନଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି ପ୍ରତିନିଧି ଦଳ ।ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ବାତ୍ୟା ପରିଚାଳନା ଦାୟିତ୍ୱରେ ଥିବା ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ନେତା ଶ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ବିଧାୟକ ଶ୍ରୀ ଧ୍ରୁବ ସାହୁ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିନିଧି ଦଳରେ ସାମିଲ ଥିଲେ । ସମ୍ୱେଦନଶୀଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ରିଲିଫ ଓ ପୁନରୁଦ୍ଧାର ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲା ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ ବିପର୍ଯ୍ୟୟ ସମୟରେ ଗ୍ରାଉଣ୍ଡ ଜିରୋରେ ଲୋକଙ୍କୁ ସହଯୋଗ ଯୋଗାଇବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଛି ।
ଶ୍ରୀ ପ୍ରଦୀପ ଅମାତ କହିଥିଲେ ଯେ, ବାତ୍ୟା ଯୋଗୁଁ ଚାଷୀ କୂଳକୁ ଅନେକ କ୍ଷତି ସହିବାକୁ ପଡିଛି । ଚାଷୀ ମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉ । ସ୍ଥାନୀୟ ଲୋକେ ଗତ ଅଢେଇ ବର୍ଷ ମଧ୍ୟରେ କୌଣସି ସରକାରୀ ସହାୟତା ପାଇଲେ ନାହିଁ । ଆବାସ ଗୃହ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ବାତ୍ୟା ଯୋଗୁଁ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର । ଶ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ, ପ୍ରବଳ ବର୍ଷା ଯୋଗୁଁ ଧାନ ଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଫଳରେ ଚାଷୀକୂଳ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଜିଲ୍ଲାରେ ଅନେକ ବାସହୀନ ଲୋକ ରହିଛନ୍ତି, ତାଙ୍କୁ ଆବାସ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯାଉ । ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପେଣ୍ଠ ଅଞ୍ଚଳର ଲୋକେ ଅନେକ କଷ୍ଟ ଭୋଗୁଛନ୍ତି । ରାଜ୍ୟ ସରକାର ପେଣ୍ଠବାସୀଙ୍କ ପ୍ରତି ଅବିଚାର ନକରି ସେମାନଙ୍କ ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ । ଶ୍ରୀ ଧ୍ରୁବ ସାହୁ କହିଥିଲେ ଯେ, ତଳିଆ ଅଞ୍ଚଳର ଲୋକଙ୍କ ଘରେ ପାଣି ପଶିଥିବାରୁ, ସେମାନେ ଆଶ୍ରୟ ନେବାକୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିଲେ । ରାତିରେ ବାତ୍ୟା ଆଶ୍ରୟସ୍ଥଳୀକୁ ହଠାତ୍ ବନ୍ଦ କରିଦିଆଯାଇ ଥିବାରୁ ସେମାନେ ଏବେ କେଉଁଠି ରହିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଅବ୍ୟବସ୍ଥା ଜାରି ଥିବାବେଳେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି । ଚାଷୀ କୂଳ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀ ମାନଙ୍କୁ ଆର୍ଥିକ ସହାୟତା, ଋଣ, ସବସିଡି ଆଦି ରାଜ୍ୟ ସରକାର ପ୍ରଦାନ କରନ୍ତୁ । ବାସହୀନଙ୍କୁ ତୁରନ୍ତ ଆବାସ ଗୃହ ଯୋଗାଇ ଦେବା ସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକର ମରାମତି କରିବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।ଏହି ବିପଦ ସମୟରେ ଓଡ଼ିଶାବାସୀଙ୍କ ସହ ବିଜେଡି ଦୃଢ଼ ଭାବେ ଠିଆ ହୋଇଛି, ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଦଳ ପ୍ରତିବଦ୍ଧ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ସଫଳ ବିପର୍ଯ୍ୟୟ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା । ବିଜେଡି ଶୂନ୍ୟ ମୃତାହତକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରିଥିଲା । ବର୍ତ୍ତମାନର ସରକାର ବାତ୍ୟା ମୁକାବିଲା କରିବାରେ ବିଫଳ ହୋଇଛନ୍ତି, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ସହ ଜୀବନହାନି ହେଉଛି ।










