29.1 C
Bhubaneswar
Monday, April 27, 2026
Homeଓଡିଶାଅଧିଗ୍ରହୀତ ଜମି ସମ୍ବନ୍ଧୀୟ ଭୂମି ରାଜସ୍ୱ ମାଫ୍ ଏବଂ ଜମିପଟ୍ଟାର ସମୟୋପଯୋଗୀ ସଂଶୋଧନ ନିମନ୍ତେ ରାଜସ୍ୱ...

ଅଧିଗ୍ରହୀତ ଜମି ସମ୍ବନ୍ଧୀୟ ଭୂମି ରାଜସ୍ୱ ମାଫ୍ ଏବଂ ଜମିପଟ୍ଟାର ସମୟୋପଯୋଗୀ ସଂଶୋଧନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି

– ୩୦ ମଇ ୨୦୨୬ ସୁଦ୍ଧା ସମସ୍ତ ବକେୟା ମାମଲା ସଂଶୋଧନ ସାରିବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅଧିଗ୍ରହୀତ ଜମି ମାମଲାରେ ଭୂମି ରାଜସ୍ୱ ମାଫ୍ (ଏବେଟ୍ ମେଣ୍ଟ୍) ଏବଂ ଜମିପଟ୍ଟା ବା ରେକର୍ଡ ଅଫ ରାଇଟସ୍‌ ସଂଶୋଧନକୁ ତ୍ୱରିତ ଓ ସମୟୋପଯୋଗୀ ଭାବେ ସମ୍ପାଦନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଚିଠି ଲେଖି ଉଚିତ୍ ସମୟରେ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ସମ୍ଵନ୍ଧରେ ଉଚିତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାର ଆଇନ, ୨୦୧୩ ଅନୁଯାୟୀ ଅଧିଗ୍ରହଣ ସମ୍ଵନ୍ଧୀୟ ସଂଶୋଧନ ସୁନିଶ୍ଚିତ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି l

ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଅନେକ ମାମଲାରେ ଭୂମି ରାଜସ୍ୱ ମାଫ୍ ଓ ଜମିପଟ୍ଟା ସଂଶୋଧନ କାର୍ଯ୍ୟ ବକେୟା ରହିଛି। ଯାହା ଫଳରେ ଜମି ସମ୍ବନ୍ଧୀୟ ରେକର୍ଡ଼୍ ନିୟମିତ ଭାବେ ସଂଶୋଧନ ହେବାରେ ବ୍ୟାଘାତ ସୃଷ୍ଟି ହେଉଛି l ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବକେୟା ମାମଲାଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମାଭିତରେ ସମାଧାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାପାଳମାନେ ମାସିକ ଭିତ୍ତିରେ ଲକ୍ଷ୍ୟ ଧାର୍ଯ୍ୟ କରି ତହସିଲଦାରମାନଙ୍କ ମାଧ୍ୟମରେ ଆବଶ୍ୟକୀୟ ସଂଶୋଧନ କାର୍ଯ୍ୟ ସମ୍ପାଦନ କରିବେ। ଉପ-ଜିଲ୍ଲାପାଳମାନଙ୍କୁ ଏହି କାର୍ଯ୍ୟର ନିରୀକ୍ଷଣ ଦାୟିତ୍ଵ ଦିଆଯିବା ସହ ରେଭେନ୍ୟୁ ଡିଭିଜନାଲ କମିଶନରମାନେ (ଆରଡିସି) ପ୍ରତି ଦୁଇ ମାସରେ ଏହାର ସମୀକ୍ଷା କରିବେ ଏବଂ ରାଜସ୍ୱ ପର୍ଷଦ (ବୋର୍ଡ୍ ଅଫ ରେଭେନ୍ୟୁ) ପ୍ରତି ତିନି ମାସରେ ସମୀକ୍ଷା କରି ବିଭାଗକୁ ସଂକଳିତ ରିପୋର୍ଟ ପ୍ରଦାନ କରିବେ। ତେବେ ରାଜସ୍ୱ ବିଭାଗ ଦ୍ଵାରା ଏପର୍ଯ୍ୟନ୍ତ ସଂଶୋଧିତ ରିପୋର୍ଟ୍ ସଠିକ୍ ସମୟରେ ହସ୍ତଗତ ହୋଇନାହିଁ l

ଏହି ପରିପ୍ରେକ୍ଷୀରେ ସଂଶୋଧିତ ରେକର୍ଡ ନଥିବା ଯୋଗୁଁ ଅନଧିକୃତ କିମ୍ବା ବିବାଦୀୟ ଜମି ପୁନର୍ବାର କିଣାବିକା ଘଟିବାକୁ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ରାଜସ୍ୱ ମାଫ୍ ପ୍ରସ୍ତାବକୁ ଶୀଘ୍ର ସମ୍ପାଦନ କରିବା ସହିତ ଜମି ଅଧିଗ୍ରହଣ ଅଧିକାରୀଙ୍କ (ଏଲଏଓ) ଦ୍ୱାରା ପ୍ରସ୍ତାବିତ ମାମଲାରେ ନିୟମାନୁସାରେ ଜମିପଟ୍ଟା ସମୁଚିତ ସମୟରେ ସଂଶୋଧନ କରିବେ। ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ବକେୟା ରାଜସ୍ୱ ମାଫ୍ ଓ ଜମିପଟ୍ଟା ସଂଶୋଧନ କାର୍ଯ୍ୟକୁ ୩୦ ମଇ ୨୦୨୬ ମଧ୍ୟରେ ସମ୍ପନ୍ନ କରିବାକୁ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହା ପରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ ଅନୁସାରେ ସମ୍ବନ୍ଧିତ ସୂଚନା ୧୫ ଜୁନ ୨୦୨୬ ମଧ୍ୟରେ ରାଜସ୍ୱ ବିଭାଗକୁ ପ୍ରେରଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି l ସରକାର ଜମି ସମ୍ବନ୍ଧୀୟ ରେକର୍ଡର ସମୟୋପଯୋଗୀ ସଂଶୋଧନ, ଜମି ଅଧିଗ୍ରହଣ ପ୍ରକ୍ରିୟାର ସଠିକ୍ କାର୍ଯ୍ୟାନୁଷ୍ଠାନ ଦ୍ଵାରା ସ୍ଵଚ୍ଛ, ଦକ୍ଷ ତଥା ପାରଦର୍ଶୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ କରିବା ନିମନ୍ତେ ନିଜର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking