ପ୍ରମୁଖ ବିନ୍ଦୁ
• ଉପଲବ୍ଧ ରହିଛି ପର୍ଯ୍ୟାପ୍ତ ପରିମାଣର ସାର, ଆବଶ୍ୟକତାଠାରୁ ଅଧିକ ଯୋଗାଣ ଜାରି
• ବିଶ୍ୱ ବଜାରରେ ସାର ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ବଢ଼ିନାହିଁ ଖୁଚୁରା ଦର;
• ବେଆଇନ ଏଲପିଜି କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଜାରି; ଗତକାଲି ଦେଶର ୧୮୦୦ରୁ ଅଧିକ ସ୍ଥାନରେ ଚଢ଼ାଉ
• ୧ ଏପ୍ରିଲ ୨୦୨୬ ପରଠାରୁ ପ୍ରାୟ ୧୯.୫ ଲକ୍ଷ – ୫ କେଜି ଏଫଟିଏଲ ସିଲିଣ୍ଡର ବିକ୍ରି
• ଅଟୋ ଏଲପିଜି ବିକ୍ରି କ୍ଷେତ୍ରରେ ୯୫% ବୃଦ୍ଧି;
• ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ; ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଜାହାଜ ସମ୍ବନ୍ଧୀୟ କୌଣସି ଅଘଟଣ ରିପୋର୍ଟ ନାହିଁ
• ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଲ୍ଫ ଅଞ୍ଚଳ ସହ ଭାରତର ସମ୍ପର୍କ ସମ୍ପ୍ରସାରିତ; ଗୋଟିଏ ମାସ ମଧ୍ୟରେ ଦୁଇଥର ଭାରତ-ୟୁଏଇ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ସୃଷ୍ଟ ପରିସ୍ଥିତି ଧିରେ ଧିରେ ସ୍ୱଭାବିକ ହେବାକୁ ଲାଗିଛି। ଏ ଅଞ୍ଚଳର ବିଭିନ୍ନ ଦେଶସହ ବ୍ୟବସାୟିକ ଓ କୂଟନୀତିକ ସହଯୋଗ ବୃଦ୍ଧି ହେତୁ କାରବାର ଓ ଜନଭାଗିଦାରୀ ମଧ୍ୟ ସ୍ୱଭାବିକ ହେବାକୁ ଲାଗିଛି। ଉତ୍ତେଜନା ଅଞ୍ଚଳରୁ ବିମାନ ଚଳାଚଳ ସ୍ଥିତିରେ ସୁଧାର ଆସୁଥିବାଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୨୮ ଫେବୃଆରୀ ପରଠାରୁ ପ୍ରାୟ ୧୩,୧୯,୦୦୦ ଯାତ୍ରୀ ସେହି ଅଞ୍ଚଳରୁ ଭାରତକୁ ଯାତ୍ରା କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟ ପକ୍ଷରୁ ସୂଚନା ଦିଆଯିବା ସହ ଆସନ୍ତା କିଛିଦିନ ଭିତରେ କତାରରୁ ଭାରତକୁ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ସୂଚନା ଦେଇଛି ମନ୍ତ୍ରଣାଳୟ।
ଜନସାଧାରଣଙ୍କୁ ପରିସ୍ଥିତି ବାବଦରେ ସଚେତନ ରଖିବା ତଥା ଭାରତ ସରକାରଙ୍କ ନିରନ୍ତର ଉଦ୍ୟମ ବିଷୟରେ ସୂଚନା ଦେବା ପାଇଁ ନିୟମିତ ଅପଡେଟ୍ ପ୍ରଦାନ କରି ଆସୁଛନ୍ତି ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ। ଏହି ପରିପ୍ରେକ୍ଷୀରେ ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣି ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସାର ମନ୍ତ୍ରଣାଳୟ ମଧ୍ୟ ଏହି କ୍ଷେତ୍ରର ସ୍ଥିତି ସମ୍ପର୍କରେ ବିବରଣୀ ଦେଇଛନ୍ତି।
ଦେଶରେ ସାର ମହଜୁତ ସ୍ଥିତି
ଦେଶରେ ଏବେ ପର୍ଯ୍ୟାପ୍ତ ସାର ଉପଲବ୍ଧ ରହିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ସରକାର ଚାଷୀଙ୍କ ଚାହିଦାକୁ ପୂରଣ କରିବା ପାଇଁ ଆବଶ୍ୟକତାଠାରୁ ଯୋଗାଣ ଜାରି ରଖିଥିବା ସାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖାଲି ସେତିକି ନୁହେଁ, ଚାଷୀମାନଙ୍କୁ ସୁଲଭ ଦରରେ ସାର ଯୋଗାଇବା ପାଇଁ ସରକାର ଦେଇଥିବା ପ୍ରତିଶୃତିକୁ ମଧ୍ୟ ପାଳନ କରୁଛନ୍ତି। ଏହିକ୍ରମରେ ବିଶ୍ୱରେ ସାର ଦର ବୃଦ୍ଧି ପାଇଥିବା ବେଳେ ଭାରତରେ ଖୁଚୁରା ବିକ୍ରି ଦରରେ କୌଣସି ପ୍ରଭାବ ପଡ଼ି ନାହିଁ। ଆସନ୍ତୁ ନଜର ପକାଇବା ଦେଶରେ ମହଜୁଦ ଥିବା ସାର ପରିମାଣ ଉପରେ, ନିମ୍ନ ସାରଣୀରେ ସାର ପ୍ରକାର ଅନୁସାରେ ମହଜୁତ ଥିବା ପରିମାଣ ଓ ଗତ ବର୍ଷର ଏକ ତୁଳାନାତ୍ମକ ତଥ୍ୟ ଉପସ୍ଥାପନ କରାଗଲା:
ସାର ପ୍ରକାର ଆଜି ସୁଦ୍ଧା ମହଜୁଦ ପରିମାଣ ଗତ ବର୍ଷ ଆଜି ସୁଦ୍ଧା
ୟୁରିଆ ୭୧.୫୮ ୭୦.୬୭
ଡିଏପି ୨୨.୩୫ ୧୫.୦୭
ଏନପିକେ ୫୭.୫୬ ୪୪.୪୯
ଏସଏସପି ୨୬.୨୬ ୨୬.୧୪
ଏମଓପି ୧୨.୪୬ ୧୨.୮୭
ମୋଟ ୧୯୦.୨୧ ୧୬୯.୨୪
ମନ୍ତ୍ରଣାଳୟର ସୂଚନା ଅନୁସାରେ, ଖରିଫ- ୨୦୨୬ ପାଇଁ ସମୁଦାୟ ସାର ଆବଶ୍ୟକତା ୩୯୦.୫୪ ଲକ୍ଷ ମେଟ୍ରିକ୍ ଟନ୍ ରହିବ ବୋଲି ଆକଳନ କରାଯାଇଛି। ଆଜି ସୁଦ୍ଧା ୧୯୦ ଲକ୍ଷ ମେଟ୍ରିକ୍ ଟନ୍ ସାର ଅର୍ଥାତ ୪୯% ମହଜୁଦ ରହିଛି, ଯାହା ସାଧାରଣ ଠାରୁ ୩୩% ଠାରୁ ଅଧିକ। ୧ ଏପ୍ରିଲରୁ ୨୬ ଏପ୍ରିଲ ୨୦୨୬ ମଧ୍ୟରେ ସାରର ଉପଲବ୍ଧତା ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଏହା ଚଳିତ ଖରିଫ ଋତୁ ପାଇଁ ଏକ ସୁଦୃଢ଼ ସ୍ଥିତିକୁ ଦର୍ଶାଉଛି। ସେହିପରି ପ୍ରମୁଖ ସାରର ସର୍ବୋଚ୍ଚ ଖୁଚୁରା ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ କେଉଁ ପ୍ରକାର ସାରର ଦର ଯୁଦ୍ଧ ପୂର୍ବରୁ କେତେ ଥିଲା ଏବଂ ଏହା ଏବେ କେତେ ଦରରେ ଉପଲବ୍ଧ ରହିଛି ତାହାର ଏକ ବିବରଣୀ ନିମ୍ନ ସାରଣୀ ମାଧ୍ୟମରେ ସୂଚିତ କରାଯାଇଛି:
ସାର ପ୍ରକାର ଯୁଦ୍ଧ ପୂର୍ବରୁ (ଟଙ୍କା/ବ୍ୟାଗ୍) ଯୁଦ୍ଧ ପରେ (ଟଙ୍କା/ବ୍ୟାଗ୍)
ୟୁରିଆ ୨୬୬.୫ ୨୬୬.୫
ଡିଏପି ୧୩୫୦ ୧୩୫୦
ଟିଏସପି ୧୩୦୦ ୧୩୦୦
ଅପରପକ୍ଷେ ଅନ୍ତର୍ଜାତୀୟ ବଜାରରେ ୟୁରିଆ ମୂଲ୍ୟ ବ୍ୟାଗ୍ ପିଛା ୪,୦୦୦ ଟଙ୍କା ଅତିକ୍ରମ କରିଥିଲେ ମଧ୍ୟ ସରକାର ଚାଷୀଙ୍କୁ ମାତ୍ର ୨୬୬.୫ ଟଙ୍କାରେ (୪୫ କେଜି ବ୍ୟାଗ୍) ୟୁରିଆ ଯୋଗାଣ ଜାରି ରଖିଛନ୍ତି।
ଉତ୍ତେଜନା ପରିସ୍ଥିତିକୁ ଦେଖି ଭାରତ ସରକାର ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶ ଭିତରେ ଆବଶ୍ୟକ ସାର ଉତ୍ପାଦନକୁ ବୃଦ୍ଧି କରାଯାଇଛି। ନିମ୍ନରେ ଉତ୍ତେଜନା ପରବର୍ତ୍ତୀ ଘରୋଇ ଉତ୍ପାଦନ ଏବଂ ଆମଦାନୀ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କରାଯାଇଛି:
ଉତ୍ପାଦ ସଙ୍କଟ ପରବର୍ତ୍ତୀ ଘରୋଇ ଉତ୍ପାଦନ ଭାରତୀୟ ବନ୍ଦରରେ ପହଞ୍ଚିଥିବା ଆମଦାନୀ
ୟୁରିଆ ୩୫.୪୨ ୯.୪
ଡିଏପି ୪.୫୦ ୦.୭୬
ଏନପିକେ ୧୨.୦୮ ୧.୯୫
ମୋଟ ୫୯.୦୧ ୧୩.୯୬
ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସାର କାରଖାନାଗୁଡ଼ିକୁ ପ୍ରାକୃତିକ ଗ୍ୟାସର ସ୍ଥିର ଯୋଗାଣ ଜାରି ରହିଛି ଏବଂ ବର୍ତ୍ତମାନ ୯୭% ଗ୍ୟାସ ଉପଲବ୍ଧ ଅଛି। ଅଧିକାଂଶ ପ୍ଲାଣ୍ଟ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି। ସରକାର ଆମଦାନୀ ଉତ୍ସଗୁଡ଼ିକର ବିବିଧକରଣ କରିଛନ୍ତି ଏବଂ ବିଶ୍ୱ ସ୍ତରୀୟ ଟେଣ୍ଡର ମାଧ୍ୟମରେ ୨୫ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଣ ସୁରକ୍ଷିତ କରିଛନ୍ତି।
ଶକ୍ତି ଯୋଗାଣ ଏବଂ ଜାଳେଣି ଉପଲବ୍ଧତା
ପଶ୍ଚିମ ଏସିଆର ପରିସ୍ଥିତି ଭାରତୀୟ ତୈଳ ଓ ଇନ୍ଧନ ବଜାରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହିକ୍ରମରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଦେଶରେ ଚାହିଦା ପୂରଣ କରାଯାଉଛି। ଏହାସହ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ନାଗରିକମାନଙ୍କୁ ଆତଙ୍କିତ ହୋଇ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି କିଣାକିଣି ନକରିବାକୁ ପରାମର୍ଶ ଦିଆଯାଇଛି। ଗୁଜବ ପ୍ରତି ସତର୍କ ରୁହନ୍ତୁ ଏବଂ କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ କୁହାଯାଇଛି। ଏଲପିଜି ଗ୍ରାହକମାନେ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବା ଏବଂ ପିଏନଜି ଏବଂ ଇଲେକ୍ଟ୍ରିକ ଚୁଲା ପରି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଇଛି।
ଏେବ ଘରୋଇ ଏଲପିଜି, ପିଏନଜି ଏବଂ ସିଏନଜି ପାଇଁ ୧୦୦% ଯୋଗାଣ ନିଶ୍ଚିତ କରାଯାଇଛି। ବ୍ୟବସାୟିକ ଏଲପିଜି କ୍ଷେତ୍ରରେ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଏବଂ ଫାର୍ମା କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ରିଫାଇନାରୀ ଉତ୍ପାଦନ ବୃଦ୍ଧି ଏବଂ ବୁକିଂ ବ୍ୟବଧାନ ବୃଦ୍ଧି (ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନ) ଭଳି ପଦକ୍ଷେପ ନିଆଯାଇଛି। ଏଲପିଜି ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି। କୋଲ୍ ଇଣ୍ଡିଆକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି େବାଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଖାଲି ସେତିକି ନୁହେଁ ରାଜ୍ୟ ଓ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ଗୋଟିଏ ଟିମ୍ ଭଳି କାର୍ଯ୍ୟ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅଧୀନରେ ରାଜ୍ୟ ସରକାରମାନଙ୍କୁ ଯୋଗାଣ ଉପରେ ନଜର ରଖିବା ଏବଂ ମହଜୁଦକାରୀ ତଥା କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତି ଅନୁଧ୍ୟାନ ଓ ନିୟନ୍ତ୍ରଣରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ଭାରତ ସରକାର ଏଥିପାଇଁ ବିଭିନ୍ନ ଚିଠି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି। ଇନ୍ଧନର ପର୍ଯ୍ୟାପ୍ତ ଉପଲବ୍ଧତା ସମ୍ପର୍କରେ ନାଗରିକଙ୍କୁ ଆଶ୍ୱାସନା ଦେବା ପାଇଁ ସରକାର ସକ୍ରିୟ ଜନସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଏପ୍ରିଲ ମାସରେ ଅନୁଷ୍ଠିତ ବୈଠକଗୁଡ଼ିକରେ ନିମ୍ନଲିଖିତ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି:
o ଦୈନିକ ପ୍ରେସ ବ୍ରିଫିଂ ଏବଂ ନିୟମିତ ସାର୍ବଜନୀନ ପରାମର୍ଶାବଳୀ ଜାରି କରିବା।
o ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ବିଭ୍ରାନ୍ତିକର ସୂଚନା ଉପରେ ନଜର ରଖିବା ଓ ତାହାର ମୁକାବିଲା କରିବା।
o ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ଏବଂ ତୈଳ କମ୍ପାନୀଗୁଡ଼ିକ ସହ ମିଶି ଚଢ଼ାଉ ଜାରି ରଖିବା।
o ନିଜ ନିଜ ରାଜ୍ୟରେ ବ୍ୟବସାୟିକ ଏଲପିଜି ଏବଂ ଅତିରିକ୍ତ କିରୋସିନ (SKO) ଆବଣ୍ଟନ ଆଦେଶ ଜାରି କରିବା।
o ପିଏନଜି ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା।
o ଏଲପିଜି ଯୋଗାଣ, ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ ପ୍ରାଥମିକତା ଦେବା ଏବଂ ୫ କେଜି ଏଫଟିଏଲ ସିଲିଣ୍ଡରର ସ୍ଥିର ବଣ୍ଟନ ନିଶ୍ଚିତ କରିବା।
ସମସ୍ତ ରାଜ୍ୟରେ କଳାବଜାରୀ ରୋକିବା ପାଇଁ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଏଲପିଜିର ବେଆଇନ ମହଜୁଦକାରୀ ଏବଂ କଳାବଜାରୀ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି ସାରା ଦେଶରେ ୧୮୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଆକସ୍ମିକ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି ଏବଂ ଗତକାଲି ସୁଦ୍ଧା ୩୧୦ଟି ଏଲପିଜି ବିତରକଙ୍କ ଉପରେ ଜରିମାନା ଲଗାଇବା ସହ ୭୧ଟି ବିତରକ କେନ୍ଦ୍ରକୁ ନିଲମ୍ବିତ କରିଛନ୍ତି।
ଏଲପିଜି ଯୋଗାଣ
ଘରୋଇ ଏଲପିଜି ଯୋଗାଣ ସ୍ଥିତି:
• ପ୍ରଚଳିତ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି।
• ଘରୋଇ ଉପଭୋକ୍ତାମାନଙ୍କୁ ଏଲପିଜି ଯୋଗାଣ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି।
• ଏଲପିଜି ବିତରକ କେନ୍ଦ୍ରଗୁଡ଼ିକରେ କୌଣସି ଶୂନ୍ୟତା (dry-outs) ରିପୋର୍ଟ ହୋଇନାହିଁ।
• ଗତକାଲି ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ୯୯% କୁ ବୃଦ୍ଧି ପାଇଛି।
• ଚୋରା ଚାଲାଣ ରୋକିବା ପାଇଁ ‘ଡେଲିଭରି ଅଥେଣ୍ଟିକେସନ କୋଡ୍’ ଆଧାରିତ ବିତରଣ ପ୍ରାୟ ୯୩% କୁ ବୃଦ୍ଧି ପାଇଛି।
• ଘରୋଇ ଉପଭୋକ୍ତାଙ୍କୁ ସୁରୁଖୁରୁରେ ସିଲିଣ୍ଡର ଯୋଗାଇବା ପାଇଁ ଗତ ରବିବାର ଦିନ ଅଧିକାଂଶ ଏଲପିଜି ବିତରକ କେନ୍ଦ୍ର ଖୋଲା ରହିଥିଲା।
ବ୍ୟବସାୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ:
• ମୋଟ ବ୍ୟବସାୟିକ ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦% କୁ ବୃଦ୍ଧି କରାଯାଇଛି।
• ୧ ଏପ୍ରିଲ ୨୦୨୬ ପରଠାରୁ ପ୍ରାୟ ୧୯.୫ ଲକ୍ଷ – ୫ କେଜି ଏଫଟିଏଲ ସିଲିଣ୍ଡର ବିକ୍ରି ହୋଇଛି।
• ୩ ଏପ୍ରିଲ ୨୦୨୬ ପରଠାରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୯୦୮୦ରୁ ଅଧିକ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ୧,୪୬,୦୦୦ରୁ ଅଧିକ ୫ କେଜି ସିଲିଣ୍ଡର ବିକ୍ରି ହୋଇଛି।
• ଏପ୍ରିଲ ମାସରେ ଅଟୋ ଏଲପିଜି ବିକ୍ରି କ୍ଷେତ୍ରରେ ୯୫% ବୃଦ୍ଧି ପରିଲକ୍ଷିତ ହୋଇଛି।
ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ଉଦ୍ୟମ
• ଘରୋଇ ପିଏନଜି ଏବଂ ପରିବହନ ସିଏନଜି ୧୦୦% ଯୋଗାଣ ଜାରି ରହିଛି।
• ସାର କାରଖାନାଗୁଡ଼ିକୁ ସେମାନଙ୍କ ହାରାହାରି ବ୍ୟବହାରର ପ୍ରାୟ ୯୫% ଗ୍ୟାସ ଆବଣ୍ଟନ ବୃଦ୍ଧି କରାଯାଇଛି।
• ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ପରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନଜି ସଂଯୋଗକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି।
• ମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୫.୫୨ ଲକ୍ଷ ପିଏନଜି ସଂଯୋଗ କାର୍ଯ୍ୟକ୍ଷମ କରାଯାଇଛି ଏବଂ ସମୁଦାୟ ସଂଯୋଗ ସଂଖ୍ୟା ୮.୧୫ ଲକ୍ଷରେ ପହଞ୍ଚିଛି।
ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ
• ସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମହଜୁଦ ସହ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି।
• ଫାର୍ମା ଏବଂ କେମିକାଲ୍ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଦୈନିକ ୧୦୦୦ ମେଟ୍ରିକ୍ ଟନ୍ ଏଲପିଜି ବ୍ୟବସ୍ଥା କରାଯାଇଛି।
ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଧାରଣ ପଦକ୍ଷେପ
• ରାଷ୍ଟ୍ରାୟତ୍ତ ତୈଳ ବିକ୍ରୟ କେନ୍ଦ୍ରଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି। ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ରହିଛି।
• ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଅବକାରୀ ଶୁଳ୍କ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।
• ଖୁଚୁରା ମୂଲ୍ୟରେ କୌଣସି ବୃଦ୍ଧି କରାଯାଇ ନାହିଁ।
ସାମୁଦ୍ରିକ ସୁରକ୍ଷା ଏବଂ ସିପିଂ
• ୨୫ ଏପ୍ରିଲରେ ଓମାନ ନିକଟରେ ଟୋଗୋ-ଫ୍ଲାଗ୍ ବିଶିଷ୍ଟ ଟ୍ୟାଙ୍କର ‘ଏମ୍ଟି ଚିରନ୍-୭ ‘ ସମ୍ବନ୍ଧୀୟ ଏକ ଘଟଣା ଘଟିଥିଲା, ଯେଉଁଥିରେ ୧୭ ଜଣ ଭାରତୀୟ ନାବିକ ଥିଲେ। ସେହି ଜାହାଜ ନିକଟରେ ଇରାନ କୋଷ୍ଟ ଗାର୍ଡଙ୍କ ଦ୍ୱାରା ଚେତାବନୀ ସୂଚକ ଗୁଳି ଚାଳନା କରାଯାଇଥିଲା, ତେବେ ସମସ୍ତ ୧୭ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି।
• ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୭,୭୮୦ଟି କଲ୍ ଏବଂ ୧୬,୬୫୮ରୁ ଅଧିକ ଇମେଲ୍ ପରିଚାଳନା କରିଛି।
• ଏପର୍ଯ୍ୟନ୍ତ ସମୁଦାୟ ୨,୭୭୬ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି।
• ଭାରତର ସମସ୍ତ ବନ୍ଦରରେ କାର୍ଯ୍ୟକଳାପ ସ୍ୱାଭାବିକ ରହିଛି।
ଉତ୍ତେଜନା ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଲ୍ଫ ଏବଂ ପଶ୍ଚିମ ଏସିଆ ଅଞ୍ଚଳର ପରିସ୍ଥିତି ଉପରେ ନଜର ରଖିଛି ଏବଂ ସେଠାରେ ଥିବା ଭାରତୀୟ ସମୁଦାୟର ସୁରକ୍ଷା ଓ କଲ୍ୟାଣ ଉପରେ ବିଶେଷ ଗୁରୁତ୍ୱ ଦେଉଛି। ଏ ସମ୍ପର୍କରେ ନିମ୍ନଲିଖିତ ସୂଚନା ଦିଆଯାଇଛି:
• ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରର ପ୍ରଶ୍ନର ଉତ୍ତର ଦେବା ପାଇଁ ମନ୍ତ୍ରଣାଳୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି।
• ସୂଚନା ଆଦାନପ୍ରଦାନ ଏବଂ ସମନ୍ୱିତ ପ୍ରୟାସ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିୟମିତ ଭାବେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଯୋଗାଯୋଗରେ ଅଛି।
• ଭାରତୀୟ ଦୂତାବାସ ଏବଂ କନସୁଲେଟ୍ଗୁଡ଼ିକ ୨୪ ଘଣ୍ଟିଆ ହେଲ୍ପଲାଇନ ଜରିଆରେ ନିରନ୍ତର ସହାୟତା ଯୋଗାଉଛନ୍ତି। ସେମାନେ ସ୍ଥାନୀୟ ସରକାରଙ୍କ ସହ ମଧ୍ୟ ନିବିଡ଼ ସମ୍ପର୍କରେ ଅଛନ୍ତି।
• ସ୍ଥାନୀୟ ସରକାରଙ୍କ ନିର୍ଦ୍ଦେଶାବଳୀ, ବିମାନ ଚଳାଚଳ ସ୍ଥିତି ଏବଂ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ନିୟମିତ ଭାବେ ଅଦ୍ୟତନ ପରାମର୍ଶାବଳୀ ଜାରି କରାଯାଉଛି।
• ଭାରତୀୟ ମିଶନଗୁଡ଼ିକ ସେଠାରେ ରହୁଥିବା ଭାରତୀୟ ସମୁଦାୟ, ବିଭିନ୍ନ ସଂଗଠନ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ସହ ସକ୍ରିୟ ଭାବେ ଜଡ଼ିତ ରହି ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି।
• ସେହି ଅଞ୍ଚଳରେ ଥିବା ଭାରତୀୟ ନାବିକଙ୍କ କଲ୍ୟାଣକୁ ସରକାର ଉଚ୍ଚ ପ୍ରାଥମିକତା ଦେଉଛନ୍ତି। ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ଏବଂ ଅନ୍ୟାନ୍ୟ ସହାୟତା ପାଇଁ ଭାରତୀୟ ମିଶନଗୁଡ଼ିକ କାର୍ଯ୍ୟ କରୁଛନ୍ତି।
• ୟୁଏଇ: ସୁରକ୍ଷା ଦୃଷ୍ଟିରୁ ସୀମିତ ବିମାନ ଚଳାଚଳ ଜାରି ରହିଛି। ଆଜି ୟୁଏଇ ଏବଂ ଭାରତ ମଧ୍ୟରେ ପ୍ରାୟ ୧୦୫ଟି ବିମାନ ଚଳାଚଳ କରିବାର ସମ୍ଭାବନା ଅଛି।
• ସୌଦି ଆରବ ଏବଂ ଓମାନ: ବିଭିନ୍ନ ବିମାନ ବନ୍ଦରରୁ ଭାରତକୁ ବିମାନ ଚଳାଚଳ ଜାରି ରହିଛି।
• କତାର: କତାର ଆକାଶମାର୍ଗ ଆଂଶିକ ଖୋଲା ଅଛି ଏବଂ କତାର ଏୟାରୱେଜ୍ ବିମାନ ଚଳାଚଳ କରୁଛି। ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ମଧ୍ୟ ଶୀଘ୍ର ବିମାନ ସେବା ପୁନର୍ବାର ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।
• କୁଏତ ଏବଂ ବାହାରିନ: ଏହି ଦେଶଗୁଡ଼ିକର ଆକାଶମାର୍ଗ ଖୋଲା ଅଛି ଏବଂ ସୀମିତ ବିମାନ ସେବା ଜାରି ରହିଛି।
• ଇରାକ: ଆକାଶମାର୍ଗ ଖୋଲା ଅଛି ଏବଂ ସୀମିତ ବିମାନ ସେବା ଉପଲବ୍ଧ।
• ଇରାନ: ଇରାନ ଆକାଶମାର୍ଗ କାର୍ଗୋ ଏବଂ ଚାର୍ଟାର୍ଡ ବିମାନ ପାଇଁ ଆଂଶିକ ଖୋଲା ଅଛି। ଭାରତୀୟ ନାଗରିକଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ଏପର୍ଯ୍ୟନ୍ତ ୨,୪୬୧ ଭାରତୀୟଙ୍କୁ ସ୍ଥଳ ସୀମା ଦେଇ ବାହାରକୁ ଆସିବାରେ ସହାୟତା କରିଛି।
• ଇସ୍ରାଏଲ: ଇସ୍ରାଏଲ ଆକାଶମାର୍ଗ ଖୋଲା ଅଛି ଏବଂ ସୀମିତ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି।
ଗଲ୍ଫ ଅଞ୍ଚଳ ସହ ଯୋଗାଯୋଗ
ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭାରତ ଗଲ୍ଫ ଅଞ୍ଚଳର ଦେଶଗୁଡ଼ିକ ସହ ନିଜର ସମ୍ପର୍କକୁ ଅଧିକ ସମ୍ପ୍ରସାରିତ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ୨୫-୨୬ ଏପ୍ରିଲ, ୨୦୨୬ରେ ୟୁଏଇ ଗସ୍ତ କରିଥିଲେ। ସେ ସେଠାରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ ଜଣାଇଥିଲେ। ଉଭୟ ପକ୍ଷ ଭାରତ-ୟୁଏଇ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଏବଂ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଏହା ଗୋଟିଏ ମାସ ମଧ୍ୟରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିତୀୟ ଉଚ୍ଚସ୍ତରୀୟ ଆଲୋଚନା। ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କର ୧୧-୧୨ ଏପ୍ରିଲରେ ୟୁଏଇ ଗସ୍ତ କରିଥିଲେ। ସେ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଭାରତୀୟ ସମୁଦାୟର ସୁରକ୍ଷା ନିଶ୍ଚିତ କରିଥିବାରୁ ୟୁଏଇ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି।










