ନୂଆଦିଲ୍ଲୀ: ବଢ଼ୁଥିବା ବାୟୁ ପ୍ରଦୂଷଣ ଉପରେ ଲଗାମ ଲଗାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ। ଆସନ୍ତା ନଭେମ୍ବର ୧ରୁ ଦିଲ୍ଲୀ ବାହାରେ ପଞ୍ଜୀକୃତ ଏବଂ BS-VI ନିର୍ଗମନ ମାନଦଣ୍ଡ ପୂରଣ କରୁନଥିବା ଗାଡ଼ିର ପ୍ରବେଶ ଉପରେ କଟକଣା ଲାଗୁ ହେବା ନେଇ ସୂଚନା ମିଳିଛି। ଏହାଦ୍ୱାରା ଜାତୀୟ ରାଜଧାନୀ ଅଞ୍ଚଳ (NCR)ର ୧୦ ଲକ୍ଷରୁ ଅଧିକ ଗାଡ଼ି ପ୍ରଭାବିତ ହୋଇପାରନ୍ତି।
ନୋଏଡା ଓ ଗ୍ରେଟର ନୋଏଡାର ୪ ଲକ୍ଷରୁ ଅଧିକ, ଗାଜିଆବାଦର ପ୍ରାୟ ୪ ଲକ୍ଷ ଏବଂ ଗୁରୁଗ୍ରାମ ଓ ଫରିଦାବାଦର ପ୍ରାୟ ୨ ଲକ୍ଷ ଗାଡ଼ି ଏହି କଟକଣାର ପ୍ରଭାବରେ ଆସିପାରନ୍ତି। ଶୀତ ଋତୁରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ହେଉଥିବାରୁ ପୁରୁଣା ଓ ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ିର ଚଳାଚଳ ନିୟନ୍ତ୍ରଣ କରିବାକୁ ଏହି ପଦକ୍ଷେପ ନିଆଯାଉଛି। ଏହି କଟକଣା ୨୦୨୭ ଜାନୁଆରୀ ୩୧ ପର୍ଯ୍ୟନ୍ତ ରହିବା ନେଇ ସୂଚନା ରହିଛି।ତେବେ BS-VI ମାନଦଣ୍ଡ ପୂରଣ କରୁଥିବା ଗାଡ଼ିଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। CNG ଓ ବୈଦ୍ୟୁତିକ ଗାଡ଼ି ସମେତ ନିର୍ଦ୍ଦିଷ୍ଟ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ମଧ୍ୟ ନିୟମ ଅନୁଯାୟୀ ଛାଡ଼ ମିଳିପାରେ।କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦିଲ୍ଲୀ ସୀମାରେ ଯାଞ୍ଚ ବ୍ୟବସ୍ଥାକୁ ମଜବୁତ କରାଯିବ। ଏଥିସହ ନମ୍ବର ପ୍ଲେଟ୍ ଚିହ୍ନଟ କରୁଥିବା AI ଆଧାରିତ କ୍ୟାମେରା ମାଧ୍ୟମରେ ନିୟମ ଉଲ୍ଲଂଘନକାରୀ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯିବ।










