28.1 C
Bhubaneswar
Friday, October 23, 2026
Homeଓଡିଶାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ., ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର (SRC) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ର ବରିଷ୍ଠ ଅଧିକାରୀମାନେ ଓ ଉପସ୍ଥିତ ଥିଲେ। ପୋଲିସ ମହାନିର୍ଦ୍ଦେଶକ ,ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ, ଆଇନ ଓ ଶୃଙ୍ଖଳା (The Additional Director General of Police, Law & Order) ନିର୍ଦ୍ଦେଶକ, ଆଇଏମଡି (Director, IMD, Bhubaneswar) ,ଏହାସହ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ୨୪ ଅକ୍ଟୋବରରେ ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛିଏବଂ ୨୬ ଅକ୍ଟୋବର ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା (Cyclonic Storm)ରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି ଏହାପରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମୁହାଁ ହେବ |

ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନଙ୍କୁ ଆକସ୍ମିକ ଯୋଜନା (Contingency Plans) ଏବଂ ସମସ୍ତ ବିଭାଗୀୟ ପ୍ରସ୍ତୁତି ସମ୍ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ କୁହାଯାଇଛି। ବଡ଼ ବଡ଼ ଟ୍ରଲର୍ ଏବଂ ଜାହାଜର ମାଲିକମାନଙ୍କୁ ମଧ୍ୟ ସତର୍କ କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ OSDMA ପକ୍ଷରୁ କୁହାଯାଇଛି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରସବ ସମୟ ନିକଟବର୍ତ୍ତୀ ହୋଇଥିବା (Expected Date of Delivery) ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଗୁଆ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ରିଲିଫ୍ କେନ୍ଦ୍ର, ମୋବାଇଲ ସ୍ୱାସ୍ଥ୍ୟ ଟିମ୍ ଏବଂ ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ଔଷଧ ସହିତ ଅବିଚ୍ଛିନ୍ନ ବିଦ୍ୟୁତ୍ ସେବା (Power Backup) ଏବଂ ଜରୁରୀ ପ୍ରସବ ସେବା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆଶ୍ରୟସ୍ଥଳୀଗୁଡ଼ିକରେ ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ଜରୁରୀ ସ୍ୱାସ୍ଥ୍ୟ ପରାମର୍ଶର ବ୍ୟବସ୍ଥା କରିବାକୁ OSDMA ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାର ‘ଶୂନ୍ୟ କାଜୁଆଲ୍ଟି’ (Zero Casualty) ନୀତିକୁ ଆପଣାଇ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଏକ ଡିପ୍ରେସନ୍ ଏବଂ ୨୫ ତାରିଖ ବେଳକୁ ଏହା ଏକ ଗଭୀର ଅବପାତ (Deep Depression) ତଥା ପରବର୍ତ୍ତୀ ଅବସ୍ଥାରେ ଏହା ଏକ ବାତ୍ୟା (Cyclonic Storm) ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ଏବଂ ୨୬, ୨୭ ଓ ୨୮ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୭ ତାରିଖ ପାଇଁ ରେଡ୍ ଜୋନ୍: ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟାନ୍ୟ ଜିଲ୍ଲା: ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ବର୍ଷା ପାଇଁ ସତର୍କ ଜାରି କରାଯାଇଛି। ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଲୋକଙ୍କୁ କ୍ରମାଗତ ଭାବେ ସଚେତନ କରାଯାଉଛି। ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ସଚେତନ ରହି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। NDRF, ODRAF ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଗୁଜବରୁ ଦୂରେଇ ରୁହନ୍ତୁ,କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ପ୍ରଶାସନ ତରଫରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking