ପୁରୀ : କୁମାର ପୂର୍ଣ୍ଣିମା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ କରିବେ। ଅନ୍ୟପଟେ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ ପାରମ୍ପରିକ ଦ୍ୟୂତକ୍ରୀଡ଼ା ବା ପଶା-କଉଡ଼ି ଖେଳ ।ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ଏହାପରେ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀସୁଦର୍ଶନ ଚଉଦୋଳରେ ଶ୍ରୀକ୍ଷେତ୍ରର ଚାରି ଆଶ୍ରମକୁ ବିଜେ କରିବେ। ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସମ୍ପନ୍ନ ହେବ।ରାତିରେ ବଡ଼ସିଂହାର ଭୋଗ ପରେ ରତ୍ନସିଂହାସନ ଉପରେ ଏବଂ ତଳେ ପାରମ୍ପରିକ ଦ୍ୟୂତକ୍ରୀଡ଼ା ଆରମ୍ଭ ହେବ। ଏହି ଖେଳରେ ମହାପ୍ରଭୁଙ୍କ ପକ୍ଷରୁ ମୁଦିରସ୍ତ ଏବଂ ମା’ ମହାଲକ୍ଷ୍ମୀଙ୍କ ପକ୍ଷରୁ ଭିତରଚ୍ଛ ମହାପାତ୍ର ପ୍ରତିନିଧିତ୍ୱ କରିବେ। ୨୧ଟି ହିଙ୍ଗୁଳ କଉଡ଼ି ଓ ୨୧ଟି ରୂପା କଉଡ଼ିରେ ପଶା-ଶକଟା ଖେଳ ଅନୁଷ୍ଠିତ ହେବ।










