27.1 C
Bhubaneswar
Sunday, October 25, 2026
Homeଓଡିଶାସିପିଆଇ ରାଜ୍ୟ ପରିଷଦ ବୈଠକ : ଆନ୍ଧ୍ରପ୍ରଦେଶ ପାଖରେ ‘କୋଟିଆ’ ସମର୍ପଣ କରିଥିବାରୁ ନିନ୍ଦା ପ୍ରସ୍ତାବ...

ସିପିଆଇ ରାଜ୍ୟ ପରିଷଦ ବୈଠକ : ଆନ୍ଧ୍ରପ୍ରଦେଶ ପାଖରେ ‘କୋଟିଆ’ ସମର୍ପଣ କରିଥିବାରୁ ନିନ୍ଦା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଓ ରାଜ୍ୟ ପରିଷଦ ବୈଠକ ୨୪ ଓ ୨୫ ଅକ୍ଟୋବରରେ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ରାଜ୍ୟ ସମ୍ପାଦକମଣ୍ଡଳୀର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ବିବରଣୀ ଉପସ୍ଥାପନ କରିବା ସହ ନଭେମ୍ବର ୭ ତାରିଖରେ ସମଗ୍ର ରାଜ୍ୟରେ ବ୍ଲକସ୍ତରୀୟ ସମାବେଶ ସହ ଡିସେମ୍ବର ୧, ୨ ଓ ୩ ଜେଲ୍ ଭରୋ ଆନ୍ଦୋଳନ ପାଇଁ ନଭେମ୍ବର ମାସ ବ୍ୟାପୀ ବ୍ରାଞ୍ଚ ସମ୍ମିଳନୀ ଓ ପରିବର୍ତ୍ତନ ଜରୁରୀ ପଦଯାତ୍ରା ଅଭଯାନ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଉଦ୍‌ବୋଧନ ଦେଇ ଜାତୀୟ ପରିଷଦର ଅନ୍ୟତମ ସମ୍ପାଦକ ରାମକୃଷ୍ଣ ପଣ୍ଡା ଦେଶର ପ୍ରଚଳିତ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ସିପିଆଇ ଚଳାଇଥିବା ସମୟୋପଯୋଗୀ ‘ପରିବର୍ତ୍ତନ ଜରୁରୀ’ ଅଭିଯାନକୁ ଆହୁରି ଶାଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମଗ୍ର ଦେଶରେ ଯୁବଛାତ୍ର ଆନ୍ଦୋଳନ ବ୍ୟବସ୍ଥା ପରିବର୍ତ୍ତନ ଆନ୍ଦୋଳନର ରୂପ ନେଉଥିବା ଭୂମିକାକୁ ଅଭିନନ୍ଦନ ଜଣାଇବା ସହ ସିପିଆଇ ସମେତ ଇଣ୍ଡିଆ ବ୍ଲକର ଐତିହାସିକ ଭୂମିକାର ସୂଚନା ଦେଇଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ୨୦୨୭ ଜାନୁଆରୀ ପହିଲାକୁ ୧୮ ବର୍ଷ ହେଉଥିବା ଓ ତତୋଽଧିକ ବୟସର ପ୍ରତ୍ୟେକ ନାଗରିକଙ୍କ ନାମ ସଂଯୋଗ କରିବା ପାଇଁ ପାର୍ଟି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀର ସୂଚନା ଦେଇ ସିପିଆଇ ନିଜସ୍ୱ ଗଣଭିତ୍ତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ ଆହ୍ୱାନ ଦେଇଥିଲେ। ରାଜ୍ୟର ଡବଲ ଇଞ୍ଜିନ ସରକାର ମୋଦିଙ୍କ ଚଉକି ସୁରକ୍ଷା ପାଇଁ ଓଡ଼ିଶାର କୋଟିଆ ଅଞ୍ଚଳ ଆନ୍ଧ୍ରପ୍ରଦେଶ ନିକଟରେ ସମର୍ପଣ କରିଥିବାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି। ରାଜ୍ୟର ଗୋଟିଏ ଇଞ୍ଚ ମାଟି ଉପରେ ଅନ୍ୟ କାହାର ହସ୍ତକ୍ଷେପକୁ ସିପିଆଇ ବରଦାସ୍ତ କରିବ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇଅଛି। ସମଗ୍ର ଓଡ଼ିଶାରେ ବିଜେପିର ଲୁଣ୍ଠନ, ଅତ୍ୟାଚାର, ଦୁର୍ନୀତି ଓ ଭ୍ରଷ୍ଟଚାରର ବିରୋଧରେ ୭ ନଭେମ୍ବର ରାଜ୍ୟବ୍ୟାପୀ ବ୍ଲକସ୍ତରୀୟ ବିପ୍ଳବ ଦିବସ ଆନ୍ଦୋଳନରୁ ରାଜ୍ୟ ବ୍ୟାପୀ ପରିବର୍ତ୍ତନ ଜରୁରୀ ଅଭିଯାନ ଜାରି ରହିବ।

ମୁଖ୍ୟ ନିର୍ବାଚନ କମିଶନ ପଦରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିର୍ବାଚନ କମିଶନ ଚୟନ ପୂର୍ବ ପଦ୍ଧତିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ମତ ନେଇ ଚୟନ ବ୍ୟବସ୍ଥା, ନିର୍ବାଚନ କମିଶନଙ୍କ ଉତ୍ତରଦାୟିତ୍ୱ ବାଧ୍ୟତାମୂଳକ କରାଇବା, ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଅପପ୍ରୟୋଗରେ ଭୋଟର ତାଲିକାରୁ ବାଦ୍ ଦେଇଥିବା ୧୩ କୋଟିରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଭୋଟର ତାଲିକାରେ ପୁନର୍ବାହାଲ କରି ତାଙ୍କ ଭୋଟଦାନ ଅଧିକାର ସୁନିଶ୍ଚିତ କରିବା, ଇଭିଏମ୍ ପରିବର୍ତ୍ତେ ବାଲଟ ପେପରରେ ଭୋଟଦାନ ପୁନର୍ବାହାଲ କରି ଗଣତନ୍ତ୍ର ରକ୍ଷା କରିବା, ଏମଏମଡିଆର ସଂଶୋଧନ ଆଇନ ୨୦୨୬ ରଦ୍ଦ କର, ପେସା ଓ ଜଙ୍ଗଲ ଅଧିକାର ଆଇନ ଓଡ଼ିଶରେ କଡ଼ାକଡ଼ି ଲାଗୁ କର, ଡବଲ ଇଞ୍ଜିନ ବିଜେପି ସରକାର ଓଡ଼ିଶାର ଛାତ୍ର ସମାଜକୁ ଅଜ୍ଞାନ ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ପ୍ରଥମରୁ ୮ମ ପର୍ଯ୍ୟନ୍ତ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନର ଉତ୍ତରଦାୟିତ୍ୱ ବାବଦରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର, ବିଜ୍ଞାନ ସମ୍ମତ ସାର୍ବଜନୀନ ନିଃଶୁଳ୍କ ଶିକ୍ଷା ସୁନିଶ୍ଚିତ କରିବା, ସମସ୍ତ ସରକାରୀ ବିଭାଗ ଓ ଘରୋଇ କମ୍ପାନୀମାନଙ୍କରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ବେରୋଜଗାର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଗ୍ୟାରେଣ୍ଟି ଦେବା, ଗାଁ ଗାଁରେ ବିଜେପିର ଲୁଣ୍ଠନ ବିରୋଧରେ ସିପିଆଇ ପକ୍ଷରୁ ନଭେମ୍ବର ୭ ବିପ୍ଳବ ଦିବସ ଆନ୍ଦୋଳନ ଓ ସମାବେଶ ପ୍ରତି ବ୍ଲକରେ ଅନୁଷ୍ଠିତ ହେବ।

ଉପରୋକ୍ତ ଦାବିରେ ପରିବର୍ତ୍ତନ ଜରୁରୀ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଡିସେମ୍ବର ୧, ୨ ଓ ୩ ତାରିଖରେ ଜେଲ୍ ଭରୋ ଆନ୍ଦୋଳନରେ ହଜାର ହଜାର କମ୍ୟୁନିଷ୍ଟ ସଭ୍ୟ ସମର୍ଥକ ଜେଲ ବରଣ କରିବେ ବୋଲି ନିଷ୍ପତ୍ତି କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ କଲେଜ ଛାତ୍ର ସଂସଦ ନିର୍ବାଚନରେ କେତେକ ପଦବୀରେ ଏଆଇଏସଏଫର ସାଥିମାନେ ବିଜୟ ହାସଲ ଓ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ଓ କଲେଜ ଛାତ୍ର ସଂସଦ ଗଠନରେ ଭାଗିଦାର ନେଇଥିବା ସାଥିମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ବୈଠକରେ ସମ୍ପାଦକ ମଣ୍ଡଳୀ ସଦସ୍ୟ ଅଶୋକ କୁମାର ଦାଶ, ଆଶିଷ କାନୁନ୍‌ଗୋ, ବିଜୟ ଜେନା, ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ସୁର ଜେନା, ଶୁଭେନ୍ଦୁ ପ୍ରତାପ ମହାନ୍ତି, ନିରଞ୍ଜନ ବାରିକ, ବିଦ୍ୟାଧର ମହାନ୍ତ, ଅମରେନ୍ଦୁ ମହାନ୍ତି, ଜିନ୍ମୟୀ ସାହାଣୀ, ଅଜୟ କୁମାର ବେହେରା, ପ୍ରମୋଦିନୀ ପାଇକରାୟ, ବ୍ରଜବନ୍ଧୁ ପ୍ରଧାନ, ମହେଶ୍ୱର ରାଉତ, ସଂଘମିତ୍ରା ଜେନା, ନୀଳକଣ୍ଠ ଦାଶ, ବସନ୍ତ କୁମାର ପାଇକରାୟ, ଶଶିଭୂଷଣ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ଦେବେନ୍ଦ୍ର ସାହୁ, ବିପିନ ରାଉତ, ରାମକୃଷ୍ଣ ଦାଶ, ନମିତା ସାହୁ, ମାୟାଧର ନାୟକ, ବିଜୟ ମହାନ୍ତି, ରମେଶ ଚନ୍ଦ୍ର ପାଢ଼ୀ, ସଦାନନ୍ଦ ସାହୁ, ନାରାୟଣ ତ୍ରିପାଠୀ, ଦିଲ୍ଲିପ କୁମାର ନାୟକ, କୈଳାସ ଚନ୍ଦ୍ର ପୁହାଣ, ପ୍ରସନ୍ନ କୁମାର ମହାପାତ୍ର, ପୀତାମ୍ବର ଦାସ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking