31.1 C
Bhubaneswar
Tuesday, April 30, 2024
Homeଖେଳଶେଷ ଓଭର୍‌ରେ ହେଟ୍‌ମେୟର୍‌ଙ୍କ ଦୁଇଟି ଛକା, ପଞ୍ଜାବ ନିରାଶ; ରାଜସ୍ଥାନର ସଂଘର୍ଷପୂର୍ଣ୍ଣ ବିଜୟ

ଶେଷ ଓଭର୍‌ରେ ହେଟ୍‌ମେୟର୍‌ଙ୍କ ଦୁଇଟି ଛକା, ପଞ୍ଜାବ ନିରାଶ; ରାଜସ୍ଥାନର ସଂଘର୍ଷପୂର୍ଣ୍ଣ ବିଜୟ

ମଲ୍ଲାନ୍‌ପୁର: ସ୍ଥାନୀୟ ମହାରାଜ ୟାଦବେନ୍ଦ୍ର ସିଂହ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ଚଳିତ ଆଇପିଏଲ୍ ସିଜନ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍‌ର ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ବ୍ୟାଟିଂ ଆମନ୍ତ୍ରଣ ପାଇ ପଞ୍ଜାବ କିଙ୍ଗ୍‌ସ ପ୍ରଥମେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ୧୯.୫ ଓଭର୍‌ରେ ୭ ୱିକେଟ୍ ବିନିମୟରେ ୧୫୨ ରନ୍ କରି ବିଜୟୀ ହୋଇଛି । ଚଳିତ ସିଜନ୍‌ରେ ଏହା ରାଜସ୍ଥାନର ୬ଟି ମ୍ୟାଚ୍‌ରୁ ପଞ୍ଚମ ବିଜୟ ହୋଇଥିବା ବେଳେ ୬ଟି ମ୍ୟାଚ୍‌ରେ ପଞ୍ଜାବର ଚତୁର୍ଥ ପରାଜୟ । ଏହି ବିଜୟ ସହ ରାଜସ୍ଥାନ ୧୦ ପଏଣ୍ଟ୍ ସହ ଟେବଲ୍ ଶୀର୍ଷରେ କାଏମ ଥିବାବେଳେ ପଞ୍ଜାବ ନବମ ସ୍ଥାନରେ ରହିଛି ।

୧୪୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନର ଦୁଇ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ ଓ ତନୁଷ କୋଟିୟାନ୍ ୮ ଓଭର୍‌ରେ ସ୍କୋର୍ ୫୬ ରନ୍‌ର ଭାଗୀଦାରି କରିଥିଲେ । ଏହା ଚଳିତ ସିଜନ୍‌ରେ ରାଜସ୍ଥାନର ପ୍ରଥମ ୫୦ ରନ୍‌ର ଓପ୍ନିଂ ଭାଗୀଦାରି ଥିଲା । ତେବେ ଡେବ୍ୟୁଟାଣ୍ଟ କୋଟିୟାନ୍ ୩୧ ବଲ୍‌ରେ ୨୪ ରନ୍ କରିଥିବା ବେଳେ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ଦ୍ୱାଦଶ ଓଭର୍‌ରେ ଯଶସ୍ୱୀଙ୍କୁ ହର୍ଷଲ୍ ପଟେଲ୍‌ଙ୍କ ହାତରେ କ୍ୟାଚ୍ କରାଇ କାଗିସୋ ରବାଡା ରାଜସ୍ଥାନକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ । ଯଶସ୍ୱୀ ୨୮ ବଲ୍‌ରେ ଚାରି ଚୌକା ସହାୟତାରେ ୩୯ ରନ୍ କରିଥିଲେ । ଏହାପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ (୧୮)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରି ରବାଡା ଦ୍ୱିତୀୟ ସଫଳତା ହାସଲ କରିଥିଲେ ।

ସଞ୍ଜୁଙ୍କ ୧୪ ବଲ୍‌ର ଇନିଂସ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସାମିଲ ଥିଲା । ସଞ୍ଜୁଙ୍କ ଆଉଟ୍ ପରେ ଧ୍ରୁବ ଜୁରେଲ୍‌ଙ୍କ ସହ ରିୟାନ୍ ପରାଗ ରାଜସ୍ଥାନ ଇନିଂସ୍ ଆଗେଇ ନେଉଥିବା ବେଳେ ଅର୍ଶଦୀପ୍ ସିଂହଙ୍କ ଶିକାର ହୋଇଥିଲେ । ରିୟାନ୍ ୧୮ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ବଳରେ ୨୩ ରନ୍‌ର ଇନିଂସ୍ ଖେଳିଥିଲେ । ରିୟାନ୍‌ଙ୍କ ପରେ ଧ୍ରୁବ ଜୁରେଲ୍ ମାତ୍ର ୬ ରନ୍ କରି ହର୍ଷଲ୍ ପଟେଲ୍‌ଙ୍କ ବଲ୍‌ରେ ଶଶଙ୍କା ସିଂହଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ସେତେବେଳକୁ ରାଜସ୍ଥାନର ସ୍କୋର୍ ୫ ୱିକେଟ୍ ବିନିମୟରେ ୧୧୫ ରନ୍ ହୋଇଥିଲା । ୧୯ତମ ଓଭର୍‌ରେ ରୋଭ୍‌ମାନ୍ ପୱେଲ୍ (୧୧) ଓ କେଶବ ମହାରାଜ (୧)ଙ୍କୁ ଆଉଟ୍ କରି ସାମ୍ କରନ୍ ରାଜସ୍ଥାନ ବିଜୟ ଆଶାକୁ ବଡ଼ ଧକ୍କା ଦେଇଥିଲେ । ଶେଷ ଓଭର୍‌ରେ ବିଜୟ ପାଇଁ ୧୦ ରନ୍ ଆବଶ୍ୟକ ଥିବାବେଳେ ଅର୍ଶଦୀପ୍‌ଙ୍କ ଓଭର୍‌ର ତୃତୀୟ ଏବଂ ପଞ୍ଚମ ବଲ୍‌ରେ ଶିମରନ୍ ହେଟ୍‌ମେୟର୍ ଦୁଇଟି ଛକା ମାରି ଟିମ୍‌କୁ ବିଜୟୀ କରାଇଥିଲେ ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ଅଥର୍ବ ତାୟଡେ ଓ ଜନ୍ନି ବେୟାର୍‌ଷ୍ଟୋ ଇନିଂସ୍ ଓପନ୍ କରିଥିଲେ । ନିୟମିତ କ୍ୟାପ୍‌ଟେନ୍ ଶିଖର ଧୱନ୍ ଆହତ ହୋଇଥିବା କାରଣରୁ ତାୟଡ଼େଙ୍କୁ ତାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ଉଭୟ ଓପ୍ନର୍ ୨୭ ରନ୍‌ର ଭାଗୀଦାରି କରିଥିବା ବେଳେ ତାୟଡ଼େ (୧୫)ଙ୍କୁ ଆଉଟ୍ କରି ଆଭେସ୍ ଖାନ୍ ରାଜସ୍ଥାନ ରୟାଲ୍ସକୁ ପ୍ରଥମ ସଫଳତା ଦେଇଥିଲେ । ପ୍ରଥମ ୬ ଓଭର୍‌ରେ ପଞ୍ଜାବ ଏକ ୱିକେଟ୍ ହରାଇ ୩୮ ରନ୍ କରିପାରିଥିଲା । ପର ଓଭର୍‌ରେ ୟୁଜବେନ୍ଦ୍ର ଚହଲ୍ ରାଜସ୍ଥାନକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଓଭର୍‌ର ତୃତୀୟ ବଲ୍‌ରେ ପ୍ରଭଶିମରନ୍ ସିଂହ (୧୦) ବଡ଼ ଶଟ୍ ଖେଳିବାକୁ ଯାଇ ମିଡ୍ ୱିକେଟ୍‌ରେ ଧ୍ରୁବ ଜୁରେଲଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ ।

ଅଷ୍ଟମ ଓଭର୍‌ର ଶେଷ ବଲ୍‌ରେ କେଶବ ମହାରାଜ ଓପ୍ନର୍ ଜନ୍ନି ବେୟାରଷ୍ଟୋ (୧୯)ଙ୍କୁ ଶିମରନ୍ ହେଟ୍‌ମେୟର୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ । ଶଶାଙ୍କ ସିଂହ ମାତ୍ର ୯ ରନ୍ କରି ଦୁଲଦୀପ୍ ସେନ୍‌ଙ୍କ ବଲ୍‌ରେ ଧ୍ରୁବ ଜୁରେଲ୍‌ଙ୍କ କ୍ୟାଚ୍ ଦେଇ ଫେରିଥିଲେ । ୧୭ତମ ଓଭର୍‌ରେ ଆଭେସ୍‌ଙ୍କ ବଲ୍‌ରେ ଶଟ୍ ଖେଳିବାକୁ ଯାଇ ଜିତେଶ ଶର୍ମା (୨୯) କ୍ୟାଚ୍ ହୋଇଥିଲେ । ପର ଓଭର୍‌ରେ ଲିଭିଙ୍ଗ୍‌ଷ୍ଟୋନ୍ (୨୧) ରନ୍‌ଆଉଟ୍ ହୋଇଥିଲେ । ଇମ୍ପାକ୍ଟ ପ୍ଲେୟର୍ ଆଶୁତୋଷ ଶର୍ମା ୧୬ ବଲ୍‌ରେ ଗୋଟିଏ ଚୌକା ଓ ତିନିଟି ଛକା ସହାୟତାରେ ସର୍ବାଧିକ ୩୧ ରନ୍ କରି ଶେଷ ବଲ୍‌ରେ ଟ୍ରେଣ୍ଟ୍ ବୋଲ୍ଟଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହି ଇନିଂସ୍ ବଳରେ ପଞ୍ଜାବ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଆଭେସ୍ ଖାନ୍ ଓ କେଶବ ମହାରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବୋଲ୍ଟ, କୁଲଦୀପ୍ ସେନ୍ ଓ ଚହଲ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking