28.1 C
Bhubaneswar
Thursday, May 7, 2026
Homeଓଡିଶାବନ୍ଦର-ଭିତ୍ତିକ ବିକାଶ ପୂର୍ବ ଭାରତର ପ୍ରଗତିକୁ ଆଗେଇ ନେବ- ମୁଖ୍ୟମନ୍ତ୍ରୀ

ବନ୍ଦର-ଭିତ୍ତିକ ବିକାଶ ପୂର୍ବ ଭାରତର ପ୍ରଗତିକୁ ଆଗେଇ ନେବ- ମୁଖ୍ୟମନ୍ତ୍ରୀ

ମୁନ୍ଦ୍ରା, ଗୁଜରାଟ : ‘‘ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ।’’ ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ ଅବସରରେ ଶିଳ୍ପ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି କହିଛନ୍ତି। ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ‘ଟୁ-କୋଷ୍ଟ ଷ୍ଟ୍ରାଟେଜି’ ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ସେ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଶିଳ୍ପ ଇକୋସିଷ୍ଟମର ପ୍ରତିଯୋଗିତାମୂଳକ ପରିବେଶରେ ଭାରତ ଯେପରି ଦୀର୍ଘକାଳୀନ ଭାବେ ଦକ୍ଷତାର ସହ ଅଭିବୃଦ୍ଧି ହାସଲ କରିପାରିବ, ସେଥିପାଇଁ ସନ୍ତୁଳିତ ଉପକୂଳ ବିକାଶ ଅପରିହାର୍ଯ୍ୟ । ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଛନ୍ତି ।

ଭାରତର ପଶ୍ଚିମ ଉପକୂଳର ବ୍ୟାପକତା ଏବଂ ଦକ୍ଷତାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି କହିଥିଲେ । ସେ ଓଡ଼ିଶାକୁ ଦେଶର ପରବର୍ତ୍ତୀ ଶିଳ୍ପ ଅଭିବୃଦ୍ଧିର ଏକ ଗେଟ୍‌-ୱେ (Gateway) ଭାବେ ଦର୍ଶାଇଥିଲେ। ସେ କହିଥିଲେ ଯେ ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଏବଂ ଶିଳ୍ପ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଥିବାବେଳେ, ପୂର୍ବ ଉପକୂଳ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି ଏବଂ ଓଡ଼ିଶା ସେହି ସଫଳତାର ପୁନରାବୃତ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ମୁନ୍ଦ୍ରା ଶିଳ୍ପାଞ୍ଚଳ ଏବଂ SEZ ପରିଦର୍ଶନ କରିଥିଲେ। ସେମାନେ କଣ୍ଟେନର ଜେଟି, ଭେରି ଲାର୍ଜ କ୍ରୁଡ୍ କ୍ୟାରିଅର୍ (VLCC) ଜେଟି, ତମ୍ବା ଉତ୍ପାଦନ ୟୁନିଟ୍, ସୌର ସେଲ୍ ଏବଂ ପବନ ଚଳିତ ଟର୍ବାଇନ୍ ଉପକରଣ ନିର୍ମାଣ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ।

ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା-
୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ
୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି

ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ମୁଁ ପାରାଦୀପ ମାଟିର ସନ୍ତାନ ଏବଂ ପାରାଦୀପ କିଭଳି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ପରିବର୍ତ୍ତନ ଆଣିଛି ତାହା ମୁଁ ନିଜେ ଦେଖିଛି। ଆଜି ଆମେ ସେହି ମୂଳଦୁଆ ଉପରେ ବନ୍ଦର-ଭିତ୍ତିକ ଶିଳ୍ପାୟନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରୁଛୁ।” ସୂଚନାଯୋଗ୍ୟ ଯେ, ଧାମରା, ପାରାଦୀପ ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ସହିତ ଓଡ଼ିଶା ଭାରତର ପୂର୍ବ ଉପକୂଳରେ ବିକାଶର ଏକ ପ୍ରଭାବଶାଳୀ ଇଞ୍ଜିନ ଭାବେ ଉଭା ହେଉଛି। ଏହି ଗସ୍ତ ଦ୍ୱାରା ବନ୍ଦର-ଭିତ୍ତିକ ଶିଳ୍ପାୟନ ଉପରେ ଓଡ଼ିଶାର ରଣନୈତିକ ଗୁରୁତ୍ୱ ବୃଦ୍ଧି ପାଇଛି । ଉପକୂଳ ଭିତ୍ତିଭୂମି ରାଜ୍ୟର ଅର୍ଥନୈତିକ ସମ୍ପ୍ରସାରଣର ମେରୁଦଣ୍ଡ ଭାବେ ଉଭା ହେଉଛି। ଶିଳ୍ପ କରିଡର, ଲଜିଷ୍ଟିକ୍ସ ହବ୍ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (SEZ) ମାଧ୍ୟମରେ ଓଡ଼ିଶା ଏଭଳି ଏକ ସମନ୍ୱିତ ବ୍ୟବସ୍ଥା ଗଠନ କରୁଛି, ଯାହା ଓଡ଼ିଶାର ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରକୁ ବିଶ୍ୱ ବଜାର ସହିତ ସହଜରେ ଯୋଡ଼ିପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking