ନୂଆଦିଲ୍ଲୀ : ଆଜି ବି ମନରୁ ଲିଭି ପାରୁନି ପହଲଗାମ ସ୍ଥିତ ବୈସାରଣ ଘାଟିରେ ଘଟିଥିବା ସେ ବର୍ବର , ଜଘନ୍ୟ କାଣ୍ଡ । ଆଜି ବି ଏହି ଖବର ଶୁଣିଲେ ସାରା ବିଶ୍ୱର ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି । ସ୍ତବ୍ଧ ହୋଇଯାଉଛି ମନ । ତାରିଖ ଏପ୍ରିଲ ୨୨, ୨୦୨୫ । ସମୟ ପାଖାପାଖି ଅପରାହ୍ନ ୧ଟାରୁ ୨ଟା ୪୫ ମଧ୍ୟରେ ସବୁକିଛି ହୋଇଗଲା ଓଲଟ ପାଲଟ । ଛୁଟି ନେଇ କିଏ କାହା ପରିବାର ଆଉ ସାଙ୍ଗମାନଙ୍କ ସହ ଛୁଟି କଟାଇବାକୁ ଆସିଥିଲେ ପହଲଗାମ । ସେଠାରେ ଯିଏ ଯାହା କାର୍ଯ୍ୟରେ ବ୍ୟସ୍ତ ଥିଲେ । କିଏ ଫଟୋ ଉତ୍ତୋଳନ କରୁଥିଲେ ଆଉ କେହି ପ୍ରକୃତିର ମନୋଲୋଭା ଦୃଶ୍ୟକୁ ଦେଖି ଚାହିଁ ବସିଥିଲେ । ହେଲେ କିଛି ବୁଝିବା ଆଗରୁ ଆତଙ୍କବାଦୀମାନେ ହଠାତ ଆସି ପର୍ଯ୍ୟଟକଙ୍କ ମୁଣ୍ଡରେ ବନ୍ଧୁକ ରଖି ସେମାନଙ୍କୁ କେଉଁ ଧର୍ମ ପଚାରି କଲମା ପଢିବା ପାଇଁ କହିଥିଲେ । ଆଉ ଯିଏ ନ ପଢିପାଲିଲା ତାକୁ ସେଠି ହିଁ କିଛି ନ ବୁଝି ବିବେକହୀନ ମଣିଷ ପରି ସେଠାରେ ସୁଟ କରିଦେଇଥିଲେ । ଏମିତିରେ ପ୍ରାୟ ୨୬ ପର୍ଯ୍ୟଟଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଆଉ ସେହି ସବୁଜ ଗାଲିଚାର ବୁକୁ ଉପରେ ଟଳିପଡିଥିଲା ୨୬ ପର୍ଯ୍ୟଟକଙ୍କ ନିରୀହ , ନିଷ୍ପାପ, ନିସ୍ତେଜ ଶରୀରଗୁଡିକ । ସେତେବେଳେ କିଏ କାହା ସ୍ୱାମୀକୁ ହରାଇଲା ଆଉ କିଏ ବାପାଙ୍କୁ ମଧ୍ୟ ହରାଇଲା । କିଏ ଜାଣିଥିଲା ଯେ, ବରଫ ତୁଷାରପାତରେ ଆସ୍ତରଣ ଜାଗାଟି ରକ୍ତ ମଞ୍ଚ ପାଲଟି ଯିବ । ସ୍ୱପ୍ନ ନେଇ ଆସିଥିବା ପର୍ଯ୍ୟଟକଙ୍କ ସ୍ୱପ୍ନ ଅଧୁରା ରହିଗଲା । ଆଉ ଏ ସବୁର ମୁକ ସାକ୍ଷୀ ପାଲଟି ଥିଲା ଶହ ଶହ ପାଇନ ଗଛ । ହେଲେ ସେ ବା କଣ କରିପାରିବ ।ଏହାସବୁ ପରେ ପ୍ରତିଶୋଧ ନେଇଥିଲା ଭାରତ । ଦେଖାଇଥିଲା ରୌଦ୍ର ରୂପ । ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ଏହି ଅପରେସନ ସିନ୍ଦୂର ଜରିଆରେ ମଧ୍ୟରାତ୍ରିରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ପୁରା ମାଟିରେ ମିଶାଇ ଦେଇଥିଲେ ଭାରତୀୟ ଯବାନ । ପରେ ୨୮ ଜୁଲାଇ ୨୦୨୫ରେ ସେନା ଓ ଜମ୍ମୁ କାଶ୍ମୀର ପୋଲିସଙ୍କୁ ଅପରେସନ ମହାଦେବରେ ବଡ ସଫଳତା ମିଳିଥିଲା । ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା , ଯାହା ପୀଡତଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳତା ସାଉଁଟି ଥିଲା ।










