29.1 C
Bhubaneswar
Sunday, May 5, 2024
Homeଅପରାଧଅପରେସନ୍ ‘ହଟ ପର୍‌ସୁଟ୍‌’: ଆଣ୍ଠେଇଲା କଟୁରି ଗ୍ୟାଙ୍ଗ୍‌

ଅପରେସନ୍ ‘ହଟ ପର୍‌ସୁଟ୍‌’: ଆଣ୍ଠେଇଲା କଟୁରି ଗ୍ୟାଙ୍ଗ୍‌

ଭୁବନେଶ୍ୱର: କିଛିଦିନ ହେବ ରାଜଧାନୀର ସୁନାଦୋକାନୀଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ୍‌ପାଟ କରୁଥିଲେ । ସାମନ୍ତରାପୁରରୁ ଆରମ୍ଭ କରି ଯାଁଳା ପର୍ଯ୍ୟନ୍ତ । ସବୁଆଡେ ଏମାନଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ଶେଷରେ ଏହି ‘କଟୁରି ଗ୍ୟାଙ୍ଗ୍‌’ ଧରା ପଡ଼ିବା ପରେ କମିଶନରେଟ୍ ପୁଲିସ ଆଗରେ ଆଣ୍ଠେଇଛି । ଏହି ଗ୍ୟାଙ୍ଗ୍‌ର ୬ଜଣ ଅପରାଧୀଙ୍କ ସମେତ ଜଣେ ମହିଳା ରିସିଭର୍‌ଙ୍କୁ ପୁଲିସ ଗିରଫ କରିଛି । ଏନେଇ ଖଣ୍ଡଗିରି ଥାନା ପୁଲିସ ଆର୍ମସ ଆକ୍ଟରେ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗର ପିଚୁବସ୍ତିର ଜଗନ ଓରଫ ରବି ଶତପଥୀ(୨୨), ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ପପୁନି ମାଝି(୨୭), ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭବାନୀପୁରର କୃଷ୍ଣ ଓରଫ ପବିତ୍ର ଚର୍ଚ୍ଚି(୨୩), ଭରତ ଖୁଣ୍ଟିଆ (୨୭), ନୟାପଲ୍ଲୀ ଭୋଇସାହିର ଅମିର ଭୋଇ(୨୫), ବାଣପୁରର ସନ୍ତୋଷ ପରିଡା(୨୯) । ଏଥିସହ କ୍ୟାପିଟାଲ ଥାନା ଅନ୍ତର୍ଗତ ପିଚୁବସ୍ତିରେ ରହୁଥିବା ମହିଳା ରିସିଭର୍ ଜେସ୍ନାରାଣୀ ମହାପାତ୍ର(୪୦) । ଏମାନଙ୍କ ଠାରୁ ୧୨୬ଗ୍ରାମର ସୁନାଗହଣା ଓ ୨୩୦୦ଗ୍ରାମର ରୂପା ଗହଣା ଜବତ ହୋଇଛି । ଏଥିରେ ୧୪ଟି ସୁନାଚେନ୍‌(୯୬ଗ୍ରାମ), ୧୬ଟି ସୁନାମୁଦି(୩୦ଗ୍ରାମ), ୨୩୦୦ଗ୍ରାମର ରୂପାଗହଣା ରହିଛି ।

ସେହିପରି ଅପରାଧରେ ବ୍ୟବହୃତ ଗୋଟିଏ ଆପାଚି ଓ ପଲ୍ସର ବାଇକ ଜବତ କରାଯାଇଛି । ମଙ୍ଗଳବାର ପୁଲିସ ସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା କହିଛନ୍ତି । ଏହି ଗ୍ୟାଙ୍ଗ୍‌କୁ ଧରିବାକୁ ଅପରେସନ୍ ‘ହଟ୍ ପର୍‌ସୁଟ’ କରାଯାଇଥିଲା । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଡିସିପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାସ୍କ୍ୱାଡ୍ ମୁଖ୍ୟ ସଞ୍ଜୀବ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ସଫଳ ହୋଇଛି । ଏଥିରେ ନୟାପଲ୍ଲୀ ଥାନା, ଭରତପୁର ଓ ଖଣ୍ଡଗିରି ଥାନାର ପିଓପିଡ଼ି ଟିମ୍ ସାମିଲ ଥିଲେ । ଆବଶ୍ୟକସ୍ଥଳେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ ବୋଲି ପୁଲିସ କମିଶନର କହିଛନ୍ତି ।
ସୂଚନା ଅନୁଯାୟୀ, ନିକଟରେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳାରେ ସୁନାଦୋକାନୀଙ୍କୁ କଟୁରିରେ ଆକ୍ରମଣ କରି ଲୁଟ୍ କରାଯାଇଥିଲା । ସେହିପରି ସାମନ୍ତରାପୁର ଅଞ୍ଚଳରେ ବନ୍ଧୁକ ଫୁଟାଇ ସୁନାଦୋକାନୀଙ୍କୁ ଲୁଟ୍ ଉଦ୍ୟମ ହୋଇଥିଲା ।

ଖାଲି ଏତିକି ନୁହେଁ, ଖଣ୍ଡଗିରି ଥାନା ଅନ୍ତର୍ଗତ ସୌଭାଗ୍ୟନଗରରେ ଥିବା ଜୁଏଲାରୀ ଦୋକାନୀଙ୍କୁ ମଧ୍ୟ ଆକ୍ରମଣ କରି ୬ରୁ ୭ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ । ଏହିସବୁ ଘଟଣାକୁ ଅନୁସନ୍ଧାନ କରିବାରୁ ଏଥିରେ ଗୋଟିଏ ଅପରାଧୀ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା । ତେଣୁ ପୁଲିସ ଅପରାଧୀଙ୍କୁ ଧରିବାକୁ ଚେଷ୍ଟା କରୁଥିବାବେଳେ ଗତ ୧୧ତାରିଖ ବିଳମ୍ବିତ ରାତି ୨ଟାରୁ ୩ଟା ମଧ୍ୟରେ ବରମୁଣ୍ଡା ଖେଳପଡ଼ିଆରେ ଚକରା ଗ୍ୟାଙ୍ଗ୍ ଡକାୟତି କରିବାକୁ ଯୋଜନା କରୁଥିବା ଖବର ମିଳିଥିଲା । ଏହି ସମୟରେ ପୁଲିସ ସେଠାରେ ଚଢ଼ାଉ କରି ପୁଲିସ ଆଉ ଚକରା ଗ୍ୟାଙ୍ଗ୍ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପରକୁ ଅପରାଧୀମାନେ ବୋମା ଏବଂ ଗୁଳି ମାଡ଼ କରିଥିଲେ । ଫଳରେ ପୁଲିସ ଏନ୍‌କାଉଣ୍ଟର କରିବାକୁ ଚେଷ୍ଟା କରିଥିଲା ।

ଏହି ସମୟରେ ଚକରା ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ପଡ଼ିଯାଇଥିଲେ । ହେଲେ ସେଠାରୁ ଚକରାର ସହଯୋଗୀ ଜଗନ ଶତପଥୀ, ରାଜେଶ ମହାପାତ୍ର, ପ୍ରକାଶ ନାୟକ ଓ କୁଲୁ ନାମକ ଅପରାଧୀ ଖସି ପଳାଇଥିଲେ । ପୁଲିସ ଟିମ୍ ସେମାନଙ୍କ ଘରେ ଚଢ଼ାଉ କରି ଖାଲି ହାତରେ ଫେରିଥିଲା । ଅନ୍ୟ ସହଯୋଗୀ ଏବଂ ଅପରାଧ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଖଣ୍ଡିଗିରି ଥାନା ପୁଲିସ ଚକରା ବାରିକକୁ ଗତ ଶନିବାର ଠାରୁ ୫ଦିନିଆ ରିମାଣ୍ଡରେ ନେଇ ଖୋଳତାଡ୍ କରୁଛି । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ତାକୁ ଜେରା କରାଯିବ । ଏହାରି ଭିତରେ ଚକରାକୁ ପଚାରିବାରୁ ସେ ତା’ ଗ୍ୟାଙ୍ଗ୍ ସଦସ୍ୟଙ୍କ ସମ୍ପର୍କରେ ସୂଚନା ଦେଇଥିଲା । ଏହାପରେ ପୁଲିସ ସେମାନଙ୍କ ଘରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଥିବାବେଳେ ଆହୁରି ୪ଜଣ ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଡିସିପି ପ୍ରତୀକ ଗୀତା ସିଂ କହିଛନ୍ତି ।

-କଟୁରି ଗ୍ୟାଙ୍ଗ୍ ବିରୋଧରେ ୨୨ମାମଲା
ଏହି ଗ୍ୟାଙ୍ଗ୍ ଭୁବନେଶ୍ୱର, ଖୋର୍ଦ୍ଧା ଓ ନୟାଗଡ଼ରେ ଡକାୟତି, ଲୁଟପାଟ୍ କରି ଆତଙ୍କ ଖେଳାଇଥିଲେ । ଏମାନଙ୍କ ବିରୋଧରେ କମିଶନରେଟ୍ ପୁଲିସର ଭୁବନେଶ୍ୱର ସହରାଞ୍ଚଳ ପୁଲିସରେ ୨୦ଟି ମାମଲା ଥିବାବେଳେ ବେଗୁନିଆ ଥାନା, ରଣପୁର ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି । ଭୁବନେଶ୍ୱର ପୁଲିସର ଖଣ୍ଡଗିରି ଥାନାରେ ୪ଟି, ନୟାପଲ୍ଲୀ ଥାନାରେ ୪ଟି, ବଡ଼ଗଡ ଥାନାରେ ୪ଟି, ଶ୍ରୀଲିଙ୍ଗରାଜ ଥାନାରେ ୨ଟି, ଭରତପୁର, ଚନ୍ଦକା, ସହିଦନଗର, ଇନ୍‌ଫୋଭ୍ୟାଲି, କ୍ୟାପିଟାଲ, ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି ।

-ଏମିତି ଲୁଟୁଥିଲେ ଅପରାଧୀ
ଏହି ଅପରାଧୀ ଗ୍ୟାଙ୍ଗ ପ୍ରଥମେ ବାଇକ୍ ଚୋରି କରୁଥିଲେ । ପରେ ସେହି ଚୋରା ବାଇକ୍‌ରେ ବନ୍ଧୁକ ଏବଂ କଟୁରି ଧରି ବିଳମ୍ବିତ ରାତିରେ ବୁଲୁଥିଲେ । ରାଜଧାନୀର ବିଭିନ୍ନ ସୁନାଦୋକାନୀଙ୍କୁ ଟାର୍ଗେଟ୍ କରିଥିଲେ । ସୁନାଦୋକାନୀଙ୍କ ଫେରିବା ବାଟକୁ ଚାହିଁ ଲୁଟ୍ ଯୋଜନା କରୁଥିଲେ । ପ୍ରଥମେ ଅଟକାଉଥିଲେ । ପରେ ବନ୍ଧୁକ ଓ କଟୁରି ଦେଖାଇ ସର୍ବସ୍ୱ ଲୁଟି ନେଉଥିଲେ ।

-ବିଜେଡ଼ି ନେତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କଟୁରି ଗ୍ୟାଙ୍ଗ୍‌ର ମୁଖ୍ୟ
ଏହି ଗ୍ୟାଙ୍ଗ୍ ସମ୍ପର୍କରେ ଖୋଳତାଡ଼ କରିବାରୁ କମିଶନରେଟ୍ ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଗ୍ୟାଙ୍ଗ୍‌ର ସଦସ୍ୟମାନେ ଖାଲି ଲୁଟପାଟ୍‌, ଡକାୟତି କରୁନଥିଲେ । ବରଂ ହତ୍ୟା କରିବାକୁ ମଧ୍ୟ ପଛାଉନଥିଲେ । ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ୨୦୧୯ରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଜଣେ ବିଜେଡ଼ି ନେତାଙ୍କୁ ହତ୍ୟା କରିଥିଲା । ଏହିପରେ ସମ୍ପୃକ୍ତ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ି ଜେଲ ଯାଇଥିଲା । ପରେ ପାରୋଲ୍‌ରେ ଆସି ଫେରାର୍ ହୋଇଯାଇଛି । ଫେରାର୍ ହେବା ପରେ ସେ ଅନେକ ଅପରାଧରେ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି । ଏମିତିକି ଏହି ଅଭିଯୁକ୍ତ କଟୁରି ଗ୍ୟାଙ୍ଗ୍‌ର ମୁଖ୍ୟ ସାଜି ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ରେ ଅପରାଧ କରୁଛି । ସମସ୍ତଙ୍କୁ ଧରିଥିବାବେଳେ ପୁଲିସ ତାକୁ ଧରିପାରିନାହିଁ । ତେଣୁ ତାକୁ ଧରିବାକୁ ଯୋଜନା ଚାଲିଛି ।

-ପୁଅ ସାମ୍ରାଜ୍ୟକୁ ମା’ ଦେଖୁଥିଲେ
ଏହି ଗ୍ୟାଙ୍ଗ୍ ସଦସ୍ୟଙ୍କ ସମେତ ଜ୍ୟୋସ୍ନାରାଣୀ ମହାପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି । କଟୁରି ଗ୍ୟାଙ୍ଗ୍‌ର ସଦସ୍ୟମାନେ ଲୁଟ୍ ସୁନାଗହଣା ଜ୍ୟୋସ୍ନାରାଣୀଙ୍କୁ ଦେଉଥିଲେ । ପରେ ସେ ଏହାକୁ ବଜାରରେ ବିକ୍ରି କରୁଥିଲେ । ମହିଳା ହେତୁ କେହି ତାଙ୍କ ଉପରେ ସନ୍ଦେହ କରୁନଥିଲେ । ସୌଭାଗ୍ୟନଗର ସୁନାଦୋକାନୀଙ୍କ ଠାରୁ ଲୁଟ୍ ହୋଇଥିବା ସମସ୍ତ ସୁନା ଜିନିଷ ତାଙ୍କ ଠାରୁ ଜବତ ହୋଇଛି । ସେପଟେ ଜ୍ୟୋସ୍ନାରାଣୀଙ୍କ ସମ୍ପର୍କରେ ଆଉ ଏକ ତଥ୍ୟ ପୁଲିସ ହାତରେ ଲାଗିଛି । ତାଙ୍କ ପୁଅ ରାଜେଶ ମହାପାତ୍ର ଜଣେ କୁଖ୍ୟାତ ଅପରାଧୀ । ସେ ଏବେ ଫେରାର୍ ଅଛି । ତେଣୁ ପୁଲିସର ୱାଣ୍ଟେଡ୍ ତାଲିକାରେ ସେ ଅଛି । କିଛିଦିନ ତଳେ ପୁଲିସ ତାଙ୍କ ଘରକୁ ଯାଇ ଭଙ୍ଗାରୁଜା କରିଥିଲା । ପୁଅ ଯିବା ପରେ ଜ୍ୟୋସ୍ନାରାଣୀ ତା’ର ଅପରାଧ ସାମ୍ରାଜ୍ୟ ଦେଖୁଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking