34.1 C
Bhubaneswar
Thursday, April 25, 2024
Homeଓଡିଶାଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସେବାୟତ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସେବାୟତ

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକାର୍ଯ୍ୟକୁ ନେଇ ସେବାୟତମାନେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଶ୍ରୀମନ୍ଦିରର ସେବାୟତ ରଘୁନାଥ ଗୋଚ୍ଛିକାର, ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବିନାୟକ ଦାସମହାପାତ୍ର, ହରେକୃଷ୍ଣ ଖୁଣ୍ଟିଆ, ବଟକୃଷ୍ଣ ମୋଜଲା ଅଦାଲତରେ ଏକ ରିଟ୍‌ପିଟିସନ୍ ଦାଖଲ କରିଛନ୍ତି । ଆବେଦନକାରୀମାନେ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନିଜର ଫାଇଦା ପାଇଁ ଅଯଥାରେ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରୁଛନ୍ତି । ପୁରୀକୁ ଆସୁଥିବା ଲକ୍ଷଲକ୍ଷ ପର୍ଯ୍ୟଟକ ତଥା ସେବାୟତଙ୍କ ସ୍ୱାର୍ଥକୁ ଖୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଆଦେଶ ଦେବାକୁ ସେବାୟତମାନେ ପିଟିସନ୍‌ରେ ପ୍ରାର୍ଥନ କରିଛନ୍ତି ।

ଏହି ପ୍ରକଳ୍ପ କାର୍ଯ୍ୟରେ ସେବାୟତମାନେ ଅତ୍ୟନ୍ତ ଉତ୍ସାହୀ ଅଛନ୍ତି ଏବଂ ପୁରୀର ସମସ୍ତ ଜନସାଧାରଣ ଓ ସେବାୟତଙ୍କ ପକ୍ଷରୁ ଏହି ମାମଲା ରୁଜୁ କରିଛନ୍ତି ବୋଲି ଆବେଦନକାରୀମାନେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ପିଟିସନ୍‌ରେ ପ୍ରକଳ୍ପକାର୍ଯ୍ୟ ସମର୍ଥନରେ ଅନେକ ଦୃଢଯୁକ୍ତି ଦର୍ଶାଯାଇଛିି । ଶ୍ରୀମନ୍ଦିର ଆଇନ ୧୯୫୫ ଅନୁସାରେ ୧୧୯ ପ୍ରକାରର ସେବାୟତ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ସେବାପାଇଁ ଖଞ୍ଜା ଯାଇଛନ୍ତି । ସେବାୟତମାନେ ଜଗନ୍ନାଥଙ୍କ ସେବାରୁ ସେମାନଙ୍କର ଦୈନିକ ରୋଜଗାର କରିଥାନ୍ତି । ବଂଶାନୁକ୍ରମିକ ଭାବେ ସେବାୟତମାନେ ଏହି ସେବା ପୂଜା କରି ଆସୁଛନ୍ତି । ଶ୍ରୀମନ୍ଦିର ଉନ୍ନତି ପାଇଁ ମୃଣାଳିନୀ ପାଢୀଙ୍କ ପକ୍ଷରୁ ଆଗତ ମାମଲାରେ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶନାମା ସମ୍ପର୍କରେ ପିଟିସନ୍‌ରେ ଉଲ୍ଳେଖ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କ୍ଲକ ରୁମ୍‌, ପ୍ୟାଭିଲିଅନ୍‌, ପୁରୁଷ ଏବଂ ମହିଳା ପାଇଖାନା, ସେବାୟତଙ୍କ ପାଇଁ ପୃଥକ ପାଇଖାନା ଆଦି ନିର୍ମାଣ କରାଯାଉଛି । ଏହିସବୁ ନିର୍ମାଣ ମନ୍ଦିରର ବିକାଶ, ସେବାୟତଙ୍କ ଜୀବନଧାରଣ ମାନଦଣ୍ଡରେ ଉନ୍ନତି ପାଇଁ ସହୟକ ହେବ ।

ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସୁନ୍ଦର ଅନୁଭୂତି ପାଇବା ପାଇଁଏହି ପ୍ରକଳ୍ପ କରାଯାଉଛି । ଏହି ପ୍ରକଳ୍ପ ଓଡ଼ିଶା କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ପାଇଛି । ବିଧାନସଭାରେ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଏଥିପାଇଁ ସମ୍ମତି ପ୍ରଦାନ କରିଥିଲେ । ଯେତେବେଳେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲା ଏବଂ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ କରାଗଲା ଏଥିପାଇଁ ସବୁଆଡ଼ୁ ଶୁଭେଚ୍ଛା ତଥା ପ୍ରଶଂସାର ସୁଅ ଛୁଟିଥିଲା । ଯେତେବେଳେ ଏହି ପ୍ରକଳ୍ପ ଲାଗି ଆବଶ୍ୟକ ଜମି ତଥା ଘର ଛାଡିଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ପୁରୁଷ ପୁରୁଷ ଧରି ରହି ଆସୁଥିବା ଆବେଦନକାରୀଙ୍କ ପରିବାର ଏଥିପାଇଁ ଆବଶ୍ୟକ ଜମି ସରକାରଙ୍କ ହାତକୁ ଟେକି ଦେଇଥିଲେ । କିନ୍ତୁ ଏହି ପ୍ରକଳ୍ପ ଆରମ୍ଭ ହୋଇଯିବା ପରେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ, ଆର୍ଥିକ ସୁବିଧା ତଥା ରାଜନୈତିକ ଅଭିଳାଷ ପୂରଣ ପାଇଁ ଏହି ପ୍ରକଳ୍ପକୁ ବିରୋଧ କରି ଚାଲିଛନ୍ତି । ରାଜ୍ୟ ସରକାର ଏହି ପ୍ରକଳ୍ପ ଲାଗି ନ୍ୟାସନାଲ ମନୁମେଣ୍ଟ ଅଥରିଟି(ଏନ୍‌ଆଇଏ)ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଠାରୁ ଅନୁମତି ନେଇନଥିବା ଏବଂ ଏହି ପ୍ରକଳ୍ପ ଦ୍ୱାରା ମନ୍ଦିର ତଥା ପୁରାତନ କୀର୍ତ୍ତିରାଜି ପ୍ରତି ବିପଦ ରହିଛି ବୋଲି ପ୍ରଚାର କରାଯାଉଛି । ଏପରିକି ସେବାୟତମାନେ ପ୍ରଶାସନ ଆଗରେ ଆତ୍ମସମର୍ପଣକରି ଦେଇଛନ୍ତି ବୋଲି ଯେଉଁ ମିଥ୍ୟା ପ୍ରଚାର କରାଯାଉଛି ତାହା ଆବେଦନକାରୀଙ୍କୁ ମର୍ମାହତ କରିଛି ।

ଏପରିକି ଜଗନ୍ନାଥ ମନ୍ଦିର ପରିଚଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଏହି ପ୍ରକଳ୍ପକୁ ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ଭିିତ୍ତିହୀନ ବୋଲି କହି ସାରିଛନ୍ତି । ଯେଉଁମାନେ ଏହି ପ୍ରକଳ୍ପକୁ ନେଇ ବିଭିନ୍ନ ମିଥ୍ୟା ପ୍ରଚାର କରୁଛନ୍ତି ସେହିସବୁ କଥାର କୌଣସି ବୈଜ୍ଞାନିକ ସମ୍ମତ ନାହିଁ । ଏହି ପ୍ରକଳ୍ପ ଦ୍ୱାରା ପୁରୀର ଅଧିବାସୀ, ସେବାୟତ ଏବଂ ମନ୍ଦିରକୁ ବହୁ ଲାଭ ମିଳିବ । କିନ୍ତୁ ସାମାନ୍ୟ କିଛି ଲୋକଙ୍କ ବିରୋଧ ପାଇଁ ଏହି ପ୍ରକଳ୍ପ ବନ୍ଦ ହେବା ଉଚିତ୍ ନୁହେଁ ବୋଲି ଆବେଦନକାରୀମାନେ ପିଟିସନ୍‌ରେ ଦର୍ଶାଇଛନ୍ତି । ଗତ ଫେବ୍ରୁଆରୀରେ ଏଏସ୍‌ଆଇ ଡିଜି ଏହି ପ୍ରକଳ୍ପ ସ୍ଥାନକୁ ପରିଦର୍ଶନ କରି ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ ।

କିନ୍ତୁ ତାଙ୍କ କନିଷ୍ଠ ଅଧିକାରୀମାନେ ଏଥିରେ ସହମତି ପ୍ରକାଶ ନକରି ଏହି ପ୍ରକଳ୍ପ ପାଇଁ ଅନୁମୋଦନ ନିଅଯାଇନି ବୋଲି କହୁଛନ୍ତି । ତେଣୁ ସମସ୍ତରଙ୍କର ଉନ୍ନତି ଦୃଷ୍ଟିରୁ ଆବେଦନକାରୀମାନେ ବାଧ୍ୟହାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶ୍ରୀମିର ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟ ଯେଉଁସବୁ ଆଦେଶ ଦେଇଥିଲେ ତାହା କିପରି ତୁରନ୍ତ କାର୍ଯ୍ୟକାରୀ କରାଯିବ ସେହି ମର୍ମରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେର୍ଶ ଦିଅନ୍ତୁ ବୋଲି ପିଟିସନ୍‌ରେ ପ୍ରାର୍ଥନା କରଯାଇଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଏଏସ୍‌ଆଇ ଅନୁମତି ଦେବାସହ ସହଯୋଗ କରିବାକୁ ମଧ୍ୟ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଏଏସ୍‌ଆଇ ଡିଜି, ଏଏସ୍‌ଆଇ ଓଡ଼ିଶା ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking