27.2 C
Bhubaneswar
Thursday, April 16, 2026
Homeଓଡିଶାଅସତ୍ୟ ପ୍ରଚାରକଙ୍କୁ କେବଳ କଂଗ୍ରେସ ତଡ଼ିପାରିବ

ଅସତ୍ୟ ପ୍ରଚାରକଙ୍କୁ କେବଳ କଂଗ୍ରେସ ତଡ଼ିପାରିବ

ଭୁବନେଶ୍ୱର: ଦଳ ମଧ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ସମସ୍ତଙ୍କ ଆସ୍ଥା ଏବଂ ବିଶ୍ୱାସକୁ ନେଇ ଜିଲ୍ଲାୱାରୀ ସଭାପତି ଚୟନ ହେବ। ଏଆଇସିସି ପକ୍ଷରୁ ଏହି ମର୍ମରେ ନିଷ୍ପତ୍ତି ନିଆଯିବା ପରେ ସଙ୍ଗଠନ ସୃଜନ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସାରା ଓଡ଼ିଶାରେ ଚୟନ ପ୍ରକ୍ରିୟା ଜାରୀ ରହିଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ପୂର୍ବତନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜେଡି ଶିଲମ ପ୍ରକାଶ କରିଛନ୍ତି । ଶ୍ରୀ ଶିଲମ ପୁଣି କହିଛନ୍ତି ଯେ, ଏହି ସଂଗଠନ ସୃଜନ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦଳୀୟ ଜିଲ୍ଲା ପାଇଁ ଏଆଇସିସି ପକ୍ଷରୁ ଜଣେ ଏବଂ ପିସିସି ପକ୍ଷରୁ ୩ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ରହିବେ। ଆମେ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ସହିତ ଭେଟିବା ସହ କଂଗ୍ରେସ ବିଚାରଧାରା ସହିତ ସମାନତା ଥିବା ଗୋଷ୍ଠୀ, ସାମାଜିକ ସଙ୍ଗଠନ, ମହିଳା ସଙ୍ଗଠନ ଆଦିଙ୍କ ସହ ଆଲୋଚନା କରିବୁ। ଏହାଛଡ଼ା ଅଣ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ମଧ୍ୟ ମତାମତ ନେବୁ । କଂଗ୍ରେସ ଜାତି ଧର୍ମ ବର୍ଣ୍ଣ ଇତ୍ୟାଦି ଭିତରେ କିଛି ପ୍ରଭେଦ କରେନାହିଁ। ତେଣୁ ସବୁ ବର୍ଗରୁ ଯେମିତି ପ୍ରତିନିଧିତ୍ବ ହୋଇପାରିବ ସେଥିପ୍ରତି ଆମ ଦୃଷ୍ଟି ରହିବ ।

କଂଗ୍ରେସ ଗାନ୍ଧୀଜୀ, ନେହେରୁ, ଇନ୍ଦିରା ଏବଂ ରାଜୀବଙ୍କ ନୀତି ଆଦର୍ଶରେ ଚାଲିବା ଦଳ । ବର୍ତ୍ତମାନ ବେଶଧାରୀ, ନାଟକବାଜୀଙ୍କ ଯେଉଁ ଅସତ୍ୟ ପ୍ରଚାର ଶାସନ ଚାଲିଛି, ତାକୁ କେବଳ କଂଗ୍ରେସ ତଡ଼ିପାରିବ। ବର୍ତ୍ତମାନ ପିସିସି ସଭାପତି କଠିନ ପରିଶ୍ରମ କରୁଛନ୍ତି। ଯଦି ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ ଏଭଳି ପରିଶ୍ରମ କରନ୍ତି ତେବେ କଂଗ୍ରେସ ଆଗକୁ ଶକ୍ତିଶାଳୀ ହେବା ସହ ଶାସନକୁ ନିଶ୍ଚୟ ଆସିପାରିବ। ପର୍ଯ୍ୟବେକ୍ଷକ ଶ୍ରୀ ଶିଲମ ଗଣମାଧ୍ୟମଙ୍କୁ ମଧ୍ୟ ଏହି ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ବିଷୟରେ ନିଜ ବହୁମୂଲ୍ୟ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ଶିଲମ ଏଇଆସିସି ତରଫରୁ ଭୁବନେଶ୍ୱର ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ସେ ବ୍ଲକ ସ୍ତରକୁ ଯାଇ କଂଗ୍ରେସ ଲୋକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ଅଛି । ଏହି ସଙ୍ଗଠନ ସୃଜନ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ଜେଡି ଶିଲମଙ୍କ ସହ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ପର୍ଯ୍ୟବେକ୍ଷକ ସୁଜିତ ପାଢ଼ୀ, ଭୁବନେଶ୍ୱର ଜିଲ୍ଲା ସଂଯୋଜକ ବିଶ୍ୱଜିତ ଦାସ, ପିସିସି ପର୍ଯ୍ୟବେକ୍ଷକ ଅମ୍ରିତା ଦାସ ଏବଂ ସମସିଦା ତୟାବ ଉପସ୍ଥିତ ଥିଲେ ।

ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସମୟ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ଶିଲମ୍ ଯୋଗ ଦେଇ କହିଥିଲେ ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଏକ ଦକ୍ଷ ସଂଗଠକଙ୍କୁ ଜିଲ୍ଲା ସଭାପତି ଭାବେ ବାଛିବାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାକୁ ସ୍ଵଚ୍ଛ ଓ ପାରଦର୍ଷି କରିବା ପାଇଁ ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ଏହି ଅବସରରେ ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ବହୁମୂଲ୍ୟ ମତାମତ ଏବଂ ସଂଗଠନକୁ ସୁଦୃଢ କରିବା ନିମନ୍ତେ ପ୍ରସ୍ତାବ ମୌଖିକ କିମ୍ବା ଲିଖିତ ଆକାରରେ ଦେବାପାଇଁ ଅନୁରୋଧ କରିଥିଲେ। ତାଙ୍କର ଆଗାମୀ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଅବସରରେ ସେ ଜଣ ଜଣ କରି ସମସ୍ତଙ୍କୁ କାର୍ଯ୍ୟକର୍ତ୍ତା ଙ୍କୁ ଭେଟିବା ସହିତ ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ମଧ୍ୟରେ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡ ପ୍ରତିନିଧି, ବ୍ଲକ୍ ପ୍ରତିନିଧି, ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଵତନ୍ତ୍ର ରୂପେ ବୈଠକ ଏବଂ ସାମାଜିକ ସଂଗଠନ ତଥା ଗାନ୍ଧୀ ବିଚାରଧାରାରେ ବିଶ୍ବାସ ରଖୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking