ଭୁବନେଶ୍ୱର: ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଚାରୋଟି ନୂତନ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଥିଲେ। ଏଗୁଡିକ ମଧ୍ୟରେ ମୟୁରଭଞ୍ଜରେ ନୂତନ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ, ଓ ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ରହିଛି। ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଇତିମଧ୍ୟରେ ସମସ୍ତ ଚାରୋଟି କଲେଜର ଡିପିଆର ପ୍ରସ୍ତୁତ ହୋଇ ସାରିଛି ଏବଂ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ ନିମନ୍ତେ ସ୍ଥାନ ଚୟନ ମଧ୍ୟ ସରିଛି। ଚାରୋଟି କଲେଜ ପାଇଁ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ମଧ୍ୟ ହୋଇସାରିଛି। ମୟୁରଭଞ୍ଜରେ ହେବାକୁ ଥିବା କୃଷି ମହାବିଦ୍ୟାଳୟ ନିମନ୍ତେ ସର୍ବମୋଟ ୭୭ ଟି ପୋଷ୍ଟ ସୃଷ୍ଟି କରାଯାଇଛି। ସେଥିରେ ୨୪ ଗୋଟି ଶିକ୍ଷକ ପୋଷ୍ଟ ଓ ୫୩ ଗୋଟି ଅଣଶିକ୍ଷକ ପୋଷ୍ଟ ତିଆରି ଶେଷ ହୋଇଛି। ଚଳିତ ଶିକ୍ଷା ବର୍ଷରୁ ମୟୁରଭଞ୍ଜରେ ଆରମ୍ଭ ହେବାକୁ ଥିବା କୃଷି ମହାବିଦ୍ୟାଳୟରେ ୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଖୁବ ଶୀଘ୍ର ସେମାନଙ୍କ ପାଠପଢା ଆରମ୍ଭ ହେବ ଏବଂ ଅନ୍ୟ ତିନୋଟି କଲେଜରେ ଆସନ୍ତା ଶିକ୍ଷା ବର୍ଷରୁ ନାମଲେଖା ଓ ପାଠପଢା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ଆଜିର ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଓୟୁଏଟି କୁଳପତି ଡ଼ ପ୍ରଭାତ କୁମାର ରାଉଳଙ୍କ ସମେତ ସମସ୍ତ ଚାରୋଟି ଜିଲ୍ଲାର ଜିଲ୍ଲାପାଳମାନେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଗଦେଇଥିଲେ।









