ଓଡ଼ିଶାରେ ଚଳିତ ଖରିଫ ଋତୁ (୨୦୨୬-୨୭) ପାଇଁ ଧାନ ବିକ୍ରି ନିମନ୍ତେ ଚାଷୀଙ୍କ ପଞ୍ଜୀକରଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ରାଜ୍ୟରେ ଏଥର ସର୍ବକାଳୀନ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି , ଚଳିତ ବର୍ଷ ମୋଟ ୨୨ ଲକ୍ଷ ୨୮ ହଜାର ଚାଷୀ ସେମାନଙ୍କ ଧାନ ବିକ୍ରି କରିବା ପାଇଁ ସଫଳତାର ସହ ପଞ୍ଜୀକରଣ କରିଛନ୍ତି । ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷ ୬୭ ହଜାର ଥିଲା । ଅର୍ଥାତ୍ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୨ ଲକ୍ଷ ୬୧ ହଜାରରୁ ଅଧିକ ନୂଆ ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଅଦିନିଆ ପ୍ରବଳ ବର୍ଷା ଯୋଗୁଁ ଅନେକ ଚାଷୀ ନିର୍ଦ୍ଧାରିତ ସମୟ (ଅଗଷ୍ଟ ୩୧) ସୁଦ୍ଧା ପଞ୍ଜୀକରଣ କରିପାରିନଥିଲେ । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ଏହି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି । ଏହି ରେକର୍ଡ ସଂଖ୍ୟକ ପଞ୍ଜୀକରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱ ଓ ସରକାରଙ୍କ କୃଷକ କଲ୍ୟାଣକାରୀ ନୀତି ପ୍ରତି ଚାଷୀଙ୍କ ଅଗାଧ ଭରସାର ପ୍ରତିଫଳନ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ, ସ୍ୱଚ୍ଛ ଧାନ କ୍ରୟ ବ୍ୟବସ୍ଥା ଏବଂ ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି , “ଆମେ ସମସ୍ତ ପଞ୍ଜୀକୃତ ଯୋଗ୍ୟ ଚାଷୀଙ୍କଠାରୁ ନିଶ୍ଚିତ ଭାବେ ଧାନ କିଣିବୁ । କୌଣସି ଜଣେ ହେଲେ ବି ଯୋଗ୍ୟ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ ।”










