ସୁନ୍ଦରଗଡ଼: ବିଜେପିରୁ ନିଲମ୍ବିତ ଯୁବ ନେତା ପ୍ରକାଶ ପାଶୱାନଙ୍କ ଦୁର୍ଗାପୁର ପାହାଡ଼ରେ ଥିବା ବେଆଇନ୍ ଅଫିସକୁ ବନବିଭାଗ ପକ୍ଷରୁ ଭଙ୍ଗାଯାଇଛି । ବେଆଇନ ଭାବରେ ଜଙ୍ଗଲ ଜମି ଉପରେ ଅଫିସଟି ତିଆରି କରାଯାଇଥିଲା । ତେଣୁ ବନ ବିଭାଗ ଓ ପୁଲିସ ପ୍ରଶାସନ ଶନିବା ଏହି ଅଫିସଟିକୁ ଭାଙ୍ଗିଦେଇଛନ୍ତି । ପୂର୍ବରୁ ଶ୍ରୀ ପାସୱାନଙ୍କ ୨୧ ନମ୍ବର ସେକ୍ଟରରେ ଥିବା ଅଫିସକୁ ମଧ୍ୟ ସିଲ କରାଯାଇଥିଲା । ସର୍କିଟ ହାଉସ ଘଟଣାରେ ବିହାର ସମସ୍ତିପୁରରୁ ଗିରଫ ହୋଇ ଜେଲରେ ପ୍ରକାଶ ପାଶୱାନ ଅଛନ୍ତି । ଅଗଷ୍ଟ୧୪ ତାରିଖ ରାତିରେ କୌଣସି ଏକ ସୂତ୍ରରୁ ଖବର ପାଇ ପାନପୋଷ ସର୍କିଟ ହାଉସର ରୁମ୍ ନମ୍ବର ୧୦୭ରେ ରେଡ୍ କରିଥିଲା ପୁଲିସ । ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୪ଟି ବନ୍ଧୁକ, ୩ଟି ମାଗାଜିନ, ୯ଟି ଅଫୁଟା ଗୁଳି ଜବତ କରିଥିଲା । ଅଭିଯୁକ୍ତ ରାକେଶ ସାହୁଙ୍କ ପାଖରୁ ୨ଟି ବନ୍ଧୁକ ମିଲିଥିଲା ।
ଏହି ଘଟଣାକୁ ନେଇ କଂଗ୍ରେସ ଯୁବନେତା ପ୍ରକାଶ ପାଶୱାନଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା । ପ୍ରକାଶଙ୍କ କଥାରେ ଉପଜିଲ୍ଲାପାଳ ସର୍କିଟ ହାଉସରେ ତାଙ୍କ ନାଁରେ ବୁକିଂ କରିଥିଲେ । ସେଠାରେ ଅପରାଧିକତତ୍ତ୍ୱଙ୍କୁ ରଖି ଅପରାଧିକ କାର୍ଯ୍ୟକଳାପ କରିବାକୁ ପରୋକ୍ଷରେ ପ୍ଲାନକରୁଥିଲେ କି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଥିଲା । ଏହା ପରେ ପ୍ରକାଶ ପାଶୱାନଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିଦେ୍ର୍ଧଶକ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ବିଶୃଙ୍ଖଳିତ ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିବାର ସୂଚନା ମିଳିଥିଲା । ପାନପୋଷ ସର୍କିଟ ହାଉସ୍ ବୁକିଂ ଓ ବନ୍ଧୁକ ଜବତ ଘଟଣା ପରେ ଗିରଫରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ପ୍ରକାଶ ପାଶୱାନ । କିନ୍ତୁ ତାଙ୍କ ନାଁରେ ଗିରଫ ବିହୀନ ପରୱାନା ଜାରି କରିଥିଲା ରଘୁନାଥପାଲି ପୁଲିସ । ଏହା ପରେ ବିହାର ସମସ୍ତିପୁରରୁ ତାଙ୍କୁ ଗିରଫ କରାଯାଇଥିଲା ।










