ଭୁବନେଶ୍ୱର: ଗୁରୁଦିବସରେ ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ଲୋୟର ପିଏମ୍ଜିରେ ହଜାର ହଜାର ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୧ ଦିନରେ ପହଞ୍ଚିଛି । ଆଜି ପୂରା ଦେଶ ଗୁରୁଦିବସ ପାଳୁଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଦ୍ୟାଳୟ ଛାଡ଼ି ରାଜଧାନୀର ଗାନ୍ଧୀ ମାର୍ଗରେ ଖୋଲା ଆକାଶ ତଳେ ୨୧ ଦିନ ଧରି ଭୋକ ଉପାସରେ ପଡ଼ିରହିଛନ୍ତି । ପ୍ରତିଶ୍ରୁତି ଦେଇ ପାଳନ ନକରିବା ଓ ସରକାରୀ ଉଦାସୀନତା ଯୋଗୁଁ ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ବୋଲି ସଂଘ କହିଛି । ଏହା ସହ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି ମଧ୍ୟ କରିଛି ।
ସଂଗଠନର ପ୍ରମୁଖ ଦାବି ହେଉଛି ପଚିଶରୁ ତିରିଶ ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନରୁ ବଞ୍ଚିତ ୧୯୪ ଓ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କର ଅବସର ପରେ ବଞ୍ଚିବା ପାଇଁ ଚାକିରି ସର୍ଭାବଳୀ ସହ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା । ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା । ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା । ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରିକରଣ । ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ ସହିତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷିକାମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବାର ଦାବି ରଖିଛି ଶିକ୍ଷକ ସଂଘ । ସମନ୍ୱୟ ସମିତି ଦ୍ୱାରା ଏହି ଗଣଧାରଣା ତିନି ସପ୍ତାହ ଅତିକ୍ରମ କରିବା ଉପରେ । ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନଥିବାର ଦେଖିବାକୁ ମିଳିଛି ।










