କଟକ: ଆଜି ବିଜୟା ଦଶମୀ । ବିଦାୟ ନେବେ ମା’ ଦୁର୍ଗା । ମା’ଙ୍କ ବିଦାୟରେ ଭକ୍ତଙ୍କ ମନରେ ଯେତିକି ଭାବବିହ୍ୱଳତା, ସେତିକି ରହିଛି ଆସନ୍ତା ବର୍ଷ ପୁଣି ମା’ଙ୍କ ଆଗମନକୁ ଅପେକ୍ଷା । ଦଶହରାର ଏହି ପବିତ୍ର ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ଦର୍ଶନ ଓ ବିଦାୟ ପର୍ବ । ବିଶେଷକରି ବଙ୍ଗୀୟ ରୀତିନୀତିରେ ପୂଜା ହେଉଥିବା ମଣ୍ଡପଗୁଡ଼ିକରେ ପାଳନ କରାଯାଉଛି ପାରମ୍ପରିକ ସିନ୍ଦୂର ଖେଳ ।କଟକର ସେକ୍ ବଜାର ଦୁର୍ଗାପୂଜା ମଣ୍ଡପରେ ମଧ୍ୟ ଧୁମ୍ଧାମରେ ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଛି। ବଙ୍ଗୀୟ ପରମ୍ପରା ଅନୁଯାୟୀ, ସଧବା ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୂର ଅର୍ପଣ କରିବା ସହ ପରସ୍ପରକୁ ସିନ୍ଦୂର ଲଗାଇ ଏହି ପରମ୍ପରା ପାଳନ କରିଛନ୍ତି । ମା’ଙ୍କୁ ବିଦାୟ ଦେବା ପୂର୍ବରୁ ମହିଳାମାନେ ମା’ଙ୍କ ମଥାରେ ସିନ୍ଦୂର ଲଗାଇ ଆଶୀର୍ବାଦ କାମନା କରିଛନ୍ତି । ବଙ୍ଗୀୟ ପରମ୍ପରାରେ ସିନ୍ଦୂର ଖେଳର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ବିଜୟା ଦଶମୀ ଦିନ ମା’ଙ୍କୁ ସିନ୍ଦୂର ଅର୍ପଣ କରିବା ପରେ ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି । ଏହି ପରମ୍ପରା ମହିଳାଙ୍କ ମଧ୍ୟରେ ସ୍ନେହ, ସୌହାର୍ଦ୍ଦ୍ୟ ଓ ଏକତାର ବାର୍ତ୍ତା ଦେଇଥାଏ ।










