ରାୟଗଡ଼ା : ଗାଁ ରାସ୍ତା ଖରାପ ଥିବାରୁ ଆସିପାରିଲାନି ଆମ୍ୱୁଲାନ୍ସ । ଶେଷ ବାଧ୍ୟ ହୋଇ ଏକ କିଲୋମିଟ ଦୂର ଯାଏଁ ଷ୍ଟ୍ରେଚରରେ ବୁହା ହେଲେ ଗୁରୁତର ପ୍ରସୂତୀ। ଅଧ ବାଟରେ ଆମ୍ୱୁଲାନ୍ସ ଅଟକି ରହିଥିବା ବେଳେ ପ୍ରାୟ ଏକ କିଲୋମିଟର ଦୂର ଯାଏଁ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶୁଙ୍ଗେର ପଞ୍ଚାୟତର ସରମବାଇ ଗାଁର ଏହି ଦୃଶ୍ୟ ପ୍ରଶାସନିକ ବ୍ୟବସ୍ଥା ଓ ବିକାଶ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଆଜି ସକାଳେ ସରମବାଇ ଗାଁର ଜଣେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତୁରନ୍ତ ଡାକ୍ତରଖାନା ନେବାକୁ ଆମ୍ୱୁଲାନ୍ସକୁ ଡାକିଥିଲେ ପରିବାର ଲୋକ । ଖବର ପାଇ କାଶୀପୁରରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲେ ମଧ୍ୟ ଗାଁକୁ ଯିବାରେ ରାସ୍ତା ସମସ୍ୟା ସାଜିଥିଲା । ଏଭଳି ସ୍ଥିତିରେ ହାର ନମାନି ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ, ହେଲପର ଅବିରାମ ନାଏକ ଓ ଫାର୍ମାସିଷ୍ଟ ବିନ୍ଦୁ ସାଗର ବାଘ ଷ୍ଟ୍ରେଚର ସାହାଯ୍ୟରେ ଗୁରୁତର ମହିଳାଙ୍କୁ ପ୍ରାୟ ଏକ କିଲୋମିଟର ବୋହି ସରମବାଇ ସ୍କୁଲ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ମହିଳାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଭର୍ତ୍ତି କରାଯାଇଛି ।










