ନୂଆଦିଲ୍ଲୀ : ମଣିପୁରରେ ପୁଣି ଉଗ୍ର ରୂପ ନେଇଛି ଜାତିଗତ ହିଂସା । ରାଜ୍ୟରେ ଲଗାତାର ହତ୍ୟାକାଣ୍ଡକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଇମ୍ଫାଲ ପୂର୍ବ ଓ କାଙ୍ଗପୋକପି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସନ୍ଦିଗ୍ଧ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ନୋଙ୍ଗସୁମ ଓ ଖୋଙ୍ଗବାଲ ଥାଙ୍ଗଖୁଲ ଅଞ୍ଚଳରେ ସକାଳ ପ୍ରାୟ ୯ଟା ୪୦ ମିନିଟ୍ରେ ଏହି ଆକ୍ରମଣ ଘଟିଥିବା ଜଣାପଡ଼ିଛି । ପ୍ରାରମ୍ଭିକ ସୂଚନା ଅନୁସାରେ, କାଠ ସଂଗ୍ରହ କରିବା ପାଇଁ ପାହାଡ଼କୁ ଯାଇଥିବା ଏକ ଗୋଷ୍ଠୀ ଉପରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦୁଇ ମୈତେଇ ସମ୍ପ୍ରଦାୟର ବ୍ୟକ୍ତି ଆରୁବାମ ରୋନିଲ ଓ ଲାଇରେନଲାକପାମ ଇନାଓବିଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି ।
ଏହି ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ମୃତକଙ୍କ ମୃତଦେହକୁ ମଣିପୁର ମୁଖ୍ୟମନ୍ତ୍ରୀ ୟୁମନମ୍ ଖେମଚାନ୍ଦ ସିଂହଙ୍କ ସରକାରୀ ବାସଭବନର ଫାଟକ ବାହାରେ ରଖି ପ୍ରତିବାଦ କରିଥିଲେ । ଫଳରେ ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଭିଡ଼କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ଏହାପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ମଣିପୁରରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ମେ’ ୨୦୨୩ରୁ ଜାତିଗତ ସଂଘର୍ଷ ଲାଗି ରହିଛି । ଏହି ହିଂସା ଯୋଗୁଁ ବହୁ ଲୋକ ନିଜ ଘର ଛାଡ଼ି ବିସ୍ଥାପିତ ହୋଇଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପ୍ରୟାସ ସତ୍ତ୍ୱେ ରାଜ୍ୟରେ ଜାତିଗତ ଉତ୍ତେଜନା ଏବେ ବି ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ।










