ଭୁବନେଶ୍ୱର : ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସମ୍ମୁଖରେ ଦୁଇଟି ଭିନ୍ନ ସମୟର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରୁଛି । ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୨୪ ବର୍ଷର ରୂପାନ୍ତରକାରୀ ଶାସନ ଏବଂ ବିଜେପି ସରକାରଙ୍କ ୨୮ ମାସର ଅପାରଗତା ଅସହାୟତା ଓ ଜନବିରୋଧୀ ଶାସନର ଚିତ୍ର ।ଏକ ପ୍ରେସ ବିବୃତ୍ତିରେ ମିଡ଼ିଆ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ଲାଭ କରିଥିଲା । ରାଜ୍ୟର ଜିଏସଡିପି ୧୮ ଗୁଣ ବୃଦ୍ଧି ପାଇ ୨୦୦୦ରେ ୪୬,୫୭୬ କୋଟି ଟଙ୍କାରୁ ୨୦୨୪ରେ ୮,୬୧,୫୦୭ କୋଟି ଟଙ୍କାକୁ ବଢ଼ିଥିଲା । ସେହିପରି ମୁଣ୍ଡପିଛା ଆୟ ୧୬ ଗୁଣ ବୃଦ୍ଧି ପାଇ ୧୦,୨୧୧ ଟଙ୍କାରୁ ୧,୬୫,୩୦୩ ଟଙ୍କାକୁ ବଢ଼ିଥିଲା । ରାଜ୍ୟ ବଜେଟ୍ର ଆକାର ୨୪ ଗୁଣ ବୃଦ୍ଧି ପାଇ ୨୦୦୦ରେ ୧୦,୦୦୦ କୋଟି ଟଙ୍କାରୁ ୨୦୨୪ରେ ୨,୫୫,୦୦୦ କୋଟି ଟଙ୍କାକୁ ପହଞ୍ଚିଥିଲା । ଏହି ସମୟରେ ଓଡ଼ିଶା ଦେଶରେ ସବୁଠାରୁ କମ୍ ଋଣ ଭାର ରଖିଥିଲା, ଯାହା ମାତ୍ର ୭୮,୦୦୦ କୋଟି ଟଙ୍କା ଥିଲା ଏବଂ ନୀତି ଆୟୋଗ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବାରମ୍ୱାର ସର୍ବଶ୍ରେଷ୍ଠ ଆର୍ଥିକ ସୁପରିଚାଳନା ରାଜ୍ୟ ଭାବେ ସ୍ୱୀକୃତି ପାଇଥିଲା । ସେହିଭଳି କୃଷି କ୍ଷେତ୍ରରେ ସଫଳତା ପାଇଁ ୫ଥର କୃଷି କର୍ମଣ ପୁରସ୍କାର ମିଳିଥିଲା ।
ସାମାଜିକ କ୍ଷେତ୍ରରେ, ଶିଶୁ ମୃତୁ୍ୟ ହାର ଦେଶରେ ସର୍ବାଧିକ ହ୍ରାସ ପାଇ ୧୯୯୯-୨୦୦୦ରେ ୮୯.୫ରୁ ୨୦୧୯-୨୦୨୧ରେ ୩୬.୧କୁ ଖସିଥିଲା, ସେହିପରି ମାତୃମୃତୁ୍ୟ ହାର ଦ୍ୱିତୀୟ ସର୍ବାଧିକ ହ୍ରାସ ପାଇ ୨୦୦୧-୨୦୦୩ରେ ୩୫୮ରୁ ୨୦୧୮-୨୦୨୦ରେ ୧୧୯କୁ ଖସିଥିଲା । ସମ୍ପୂର୍ଣ୍ଣ ଟୀକାକରଣ କଭରେଜ୍ ୧୯୯୯-୨୦୦୦ରେ ୪୪ ପ୍ରତିଶତରୁ ୨୦୨୩-୨୦୨୪ରେ ୯୬ ପ୍ରତିଶତକୁ ବଢ଼ି ଦେଶରେ ସର୍ବାଧିକ ହୋଇଥିଲା ଏବଂ ୧୯୯୯-୨୦୦୦ରେ ମେଡିକାଲରେ ପ୍ରସବ ମାତ୍ର ୨୨ ପ୍ରତିଶତରୁ ୨୦୨୩-୨୦୨୪ରେ ୯୬ ପ୍ରତିଶତକୁ ଉନ୍ନୀତ ହୋଇ ପୁଣି ଥରେ ଭାରତରେ ସର୍ବାଧିକ ହୋଇଥିଲା । ଓଡ଼ିଶା ବାରମ୍ୱାର ବିପର୍ଯ୍ୟୟ ପରିଚାଳନା, ଜଳ ସଂରକ୍ଷଣ, ଏମଏସଏମଇ ବିକାଶ, ଖଣିଜ ବିକାଶ, ପିଡିଏସ ବଣ୍ଟନ ଏବଂ କ୍ରୀଡ଼ା ପ୍ରୋତ୍ସାହନରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ଏହି ସଫଳତାଗୁଡ଼ିକ ବିଜେଡି ଅଧୀନରେ ଶୃଙ୍ଖଳିତ ଆର୍ଥିକ ପରିଚାଳନା, ଜନକଲ୍ୟାଣକାରୀ ନୀତି ଏବଂ ନିରବଚ୍ଛିନ୍ନ ରାଜନୈତିକ ସ୍ଥିରତାର ଫଳ ଥିଲା ।
ଡ. ମହାନ୍ତି ଆହୁରି କହିଛନ୍ତି ଯେ, ଏହାର ବିପରୀତରେ ବିଜେପି ସରକାର ମାତ୍ର ୨୮ ମାସରେ ନବୀନ ବାବୁଙ୍କ ୨୪ ବର୍ଷର କଠିନ ପରିଶ୍ରମର ଫଳଗୁଡ଼ିକୁ କ୍ରମାଗତ ଭାବେ ନଷ୍ଟ କରି ଓଡ଼ିଶାକୁ ବହୁବିଧ ସଙ୍କଟରେ ପକାଇଛି । ସଂଶୋଧିତ ଏମଏମଡିଆର ଆଇନ ଦ୍ୱାରା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଇସାରିଛି ଏବଂ ଭବିଷ୍ୟତରେ ବାର୍ଷିକ ୧୨,୦୦୦ କୋଟି ଟଙ୍କାର କ୍ଷତି ଘଟାଇବ । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୨,୬୦୦ରୁ ଅଧିକ ତ୍ରୁଟି ରହିଛି । ମାତ୍ର ଅଠର ମାସରେ ମହିଳାଙ୍କ ବିରୁଦ୍ଧରେ ୪୮,୭୯୮ଟି ଅପରାଧ ମାମଲା ଦାଖଲ ହୋଇଛି ଏବଂ ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶା ବର୍ତ୍ତମାନ ସାର୍ବଜନୀନ ସ୍ଥାନରେ ଯୌନ ନିର୍ଯ୍ୟାତନାରେ ପ୍ରଥମ, ହିଂସାତ୍ମକ ଅପରାଧରେ ପ୍ରଥମ ଏବଂ ମହିଳାଙ୍କ ବିରୁଦ୍ଧରେ ଅପରାଧରେ ଦ୍ୱିତୀୟ ସ୍ଥାନରେ ରହିଛି । ଜେଏସଡବ୍ଲୁ ଇଭି ଓ ବ୍ୟାଟେରି, ଆର୍ସେଲର ମିତ୍ତଲ ଷ୍ଟିଲ, ଏସ. ରାମ ଏନ. ରାମ ସେମିକଣ୍ଡକ୍ଟର, ୱାରୀ ସୋଲାର ଏବଂ ୱେଲ୍ସ୍ପନ ପ୍ରକଳ୍ପ ସମେତ ଅନେକ ପ୍ରମୁଖ ଶିଳ୍ପ ପ୍ରକଳ୍ପ ରାଜ୍ୟ ଛାଡ଼ି ଚାଲିଯାଇଛନ୍ତି ।
ରପ୍ତାନୀ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ତମରୁ ୨୦୨୪ରେ ୧୫ତମକୁ ଖସିଛି, ସେହିପରି ଜାତୀୟ ଷ୍ଟାର୍ଟଅପ୍ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠରୁ ୨୦୨୫ରେ ୨୦ତମକୁ ଖସିଛି । ଶିକ୍ଷା ବ୍ୟବସ୍ଥା ୨୬ଟି ପରୀକ୍ଷା ବିଫଳତା ଓ ଘୋଟାଲା ହୋଇଛି । ଋଣ ମୋଟ ୧.୫୬ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି, ଯେଉଁଥିରୁ ମାତ୍ର ଦୁଇ ବର୍ଷରେ ୧.୩୮ ଲକ୍ଷ କୋଟି ଟଙ୍କା ଯୋଗ ହୋଇଛି ଏବଂ ଏହି ଋଣର ୪୦ ପ୍ରତିଶତ ଉଚ୍ଚ ସୁଧ ଦରର ଖୋଲା ବଜାର ଋଣରୁ ଆସିଛି । ଓଡ଼ିଶା ଲଗାତାର ଦେଶରେ ସର୍ବାଧିକ ମୂଦ୍ରାସ୍ଫୀତି ହାର ରେକର୍ଡ କରିଛି ଏବଂ ଗତ ଦୁଇ ବର୍ଷରେ ୪୪୮ଟି ପ୍ରବାସ ଶ୍ରମିକ ମୃତ୍ୟୁ ଘଟିଛି ।ଓଡ଼ିଶାବାସୀ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି ଯେ, ବିଜେଡି ସରକାର ଦୁଇ ଦଶନ୍ଧି ଧରି ରାଜ୍ୟକୁ ଗଢ଼ିଥିଲା ଏବଂ ବିଜେପି ସରକାର ୨୮ ମାସ ସମୟରେ ଓଡ଼ିଶା ଲୋକଙ୍କ ଅଧିକାରକୁ ଖଣି ମାଲିକଙ୍କ ହାତକୁ ଟେକି ଦେଇଛନ୍ତି । ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା, ଆର୍ଥିକ ସତର୍କତା, ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଏବଂ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶୀ ବିକାଶ ପଥକୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି ।










