ନୂଆଦିଲ୍ଲୀ : ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରେ କେଉଁ ଖବର ଓ ଭିଡିଓ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ତାହାକୁ ନେଇ ମେଟା ଉପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । କେବଳ ଆପତ୍ତିଜନକ ବିଷୟବସ୍ତୁ ହଟାଇବା ନୁହେଁ, ବରଂ କେଉଁ ଆଧାରରେ ଗୋଟିଏ ପୋଷ୍ଟ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି, ସେହି ଆଲଗୋରିଦମ୍ର ମଧ୍ୟ ସମୀକ୍ଷା କରିବାକୁ ମେଟାକୁ ପରାମର୍ଶ ଦେଇଛି କେନ୍ଦ୍ର । ଏକପାଖିଆ ତଥ୍ୟ, ଭ୍ରମାତ୍ମକ ଖବର ଏବଂ ବିନା ପ୍ରସଙ୍ଗରେ ଭିଡିଓ ପ୍ରସାରଣକୁ ନେଇ ସରକାର ଚିନ୍ତା ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅକ୍ଟୋବର ୧୦ ତାରିଖରେ ଜାରି କରିଥିବା ଏକ ପରାମର୍ଶରେ ମେଟାକୁ ନିଜର କଣ୍ଟେଣ୍ଟ ରିକମେଣ୍ଡେସନ୍ ଓ ରାଙ୍କିଂ ସିଷ୍ଟମ୍ର ସମୀକ୍ଷା କରିବାକୁ କହିଛି । ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ଯେପରି ବିଶ୍ୱସନୀୟ, ପ୍ରାସଙ୍ଗିକ ଏବଂ ବିଭିନ୍ନ ଦୃଷ୍ଟିକୋଣର ତଥ୍ୟ ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି ।
ସରକାରଙ୍କ ଚିନ୍ତା ହେଉଛି, ଯଦି କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ବିଷୟବସ୍ତୁକୁ ଆଲଗୋରିଦମ୍ ବାରମ୍ବାର ଅଧିକ ପ୍ରୋତ୍ସାହନ ଦିଏ, ତେବେ ଲୋକଙ୍କ ମଧ୍ୟରେ ଭ୍ରମ, ଭୟ ଓ ଅସ୍ଥିରତା ସୃଷ୍ଟି ହୋଇପାରେ। ବିଶେଷକରି ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା ସମ୍ବେଦନଶୀଳ ଘଟଣା ସମୟରେ ଏହାର ପ୍ରଭାବ ଗମ୍ଭୀର ହୋଇପାରେ ।ମେଟାକୁ ଏଭଳି ଏକ ଦୃଢ଼ ବ୍ୟବସ୍ଥା ବିକଶିତ କରିବାକୁ କୁହାଯାଇଛି, ଯାହା ଆଲଗୋରିଦମ୍ ଜରିଆରେ ଅସ୍ୱାଭାବିକ ଭାବେ ଅଧିକ ପ୍ରସାର ପାଉଥିବା ପୋଷ୍ଟଗୁଡ଼ିକୁ ଚିହ୍ନଟ କରିପାରିବ । ସରକାରଙ୍କ ମତରେ, କୌଣସି ପୋଷ୍ଟକୁ କେବଳ ପ୍ଲାଟଫର୍ମରେ ରଖିବା ଏବଂ ଆଲଗୋରିଦମ୍ ମାଧ୍ୟମରେ ତାହାକୁ ବ୍ୟାପକ ଭାବେ ପ୍ରସାର କରିବା ଦୁଇଟି ଭିନ୍ନ କଥା। ତେଣୁ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକର ଦାୟିତ୍ୱ ମଧ୍ୟ ବଢ଼ିବା ଆବଶ୍ୟକ । ମେଟାକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ଏ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଇବାକୁ କୁହାଯାଇଛି।










