ବ୍ୟୟ ହେବ ୧୩୩.୮୧ କୋଟି, ୨୪ ମାସରେ ସମାପ୍ତ କରାଯିବ
ଭୁବନେଶ୍ୱର : ପୁରୀ ଜିଲ୍ଲା ଅସ୍ତରଙ୍ଗ (ନୂଆଗଡ଼)ରେ ମତ୍ସ୍ୟ ବନ୍ଦର ପର୍ଯ୍ୟାୟ-୨ ନିର୍ମାଣ ପାଇଁ ଆର୍ôଥକ ବିଡ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ନିର୍ମାଣ ଖର୍ଚ୍ଚ ଜିଏସ୍ଟି ବ୍ୟତୀତ ୧୩୩.୮୧ କୋଟି ବ୍ୟୟ ହେବ ବୋଲି ଆକଳନ ହୋଇଛି। ୨୪ ମାସରେ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଯୋଜନା କରାଯାଇଛି। ଉକ୍ତ ବନ୍ଦର ଆଧୁନିକ ମତ୍ସ୍ୟ ଭିଭିଭୂମିକୁ ସୁଦୃଢ଼ କରିବା ସହ ଏକ ସ୍ଥାୟୀ ତଥା ଉଚ୍ଚ ମୂଲ୍ୟବିଶିଷ୍ଟ ମତ୍ସ୍ୟ କ୍ଷେତ୍ର ପାଇଁ ରାଜ୍ୟର ଦୀର୍ଘକାଳୀନ ଦୃଷ୍ଟିକୋଣକୁ ସମର୍ଥନ କରିବ।
ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଥିସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରକଳ୍ପ ପରିଚାଳନା ଓ ବୈଷୟିକ ସହାୟତାପରାମର୍ଶଦାତା ଭାବେ ଆଇଆଇଟି ମାଡ୍ରାସ୍କୁ ମନୋନୀତ କରାଯାଇଛି। ଏହି ବନ୍ଦରରେ ଅବତରଣ ଓ ବର୍ଥିଂ ସ୍ଥାନ, ଆଇଡଲ୍ କ୍ଲେ, ନିଲାମ ହଲ୍, ଜାଲ୍ ମରାମତି ଶେଡ୍, ସରଞ୍ଜାମ ଶେଡ୍, ବଜାର ପରିସର, ସ୍କ୍ରିପୱେ ଓ ଡଙ୍ଗା ମରାମତି ସୁବିଧା ସମେତ ଏକ ସମନ୍ୱିତ ସୁବିଧା ଉପଲବ୍ଧ ହେବ। ୨୪ ଘଣ୍ଟିଆ ଜଳ ଓ ବିଦ୍ୟୁତ୍ ଯୋଗାଣ ଦ୍ୱାରା ସ୍ୱଚ୍ଛ ଓ ସ୍ୱାସ୍ଥ୍ୟସମ୍ମତ ମାଛ ପରିଚାଳନାରେ ସହାୟକ ହେବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ଏବଂ ସମଗ୍ର ମାଛ ବିପଣନ ଶୃଙ୍ଖଳାକୁ ସୁଦୃଢ଼ କରିବ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ୧୯୬୦ ଯନ୍ତ୍ରଚାଳିତ ମାଛଧରା ଜାହାଜ ପାଇଁ ସୁରକ୍ଷିତ ଅବତରଣ ଓ ବାର୍ଥିଂ ସୁବିଧା ଯୋଗାଇବ। ବାର୍ଷିକ ୫୫,୮୭୬ ମେଟ୍ରିକ ଟନ୍ ମାଛ ଧରାକୁ ପରିଚାଳନା କରିପାରିବ। ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୪୯୬.୩୬ କୋଟି ଆକଳନ ହୋଇଛି। ପ୍ରାୟ ୩୫,୦୦୦ ମତ୍ସ୍ୟଜୀବୀ ଓ ଅନ୍ୟାନ୍ୟ ହିତାଧିକାରୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମାଛର ଅମଳୋତ୍ତର କ୍ଷତି ପ୍ରାୟ ୨୦% ରୁ ୭%କୁ ହ୍ରାସ କରିବା ଲକ୍ଷ୍ୟ ରହିଛି। ଏଥିସହ ଉନ୍ନତ ଅବତରଣ, ପରିଚାଳନା, ନିଲାମ, ଭଣ୍ଡାରଣ ଓ ବଜାର-ସଂଯୁକ୍ତ ଭିତ୍ତିଭୂମି ଦ୍ୱାର ମତ୍ସ୍ୟଜୀବୀମାନେ ସେମାନଙ୍କ ଧରାଯାଇଥିବା ମାଛର ଅଧିକ ମୂଲ୍ୟ ପାଇପାରିବେ। ଏହି ପ୍ରକଳ୍ପ ଉପଭୋକ୍ତା ଓ ବଜାରରେ ପହଞ୍ଚୁଥିବା ମାଛର ଗୁଣବତ୍ତା ଓ ସଂରକ୍ଷଣ କାଳ (ଶେଲ୍ଫ୍ ଲାଇଫ୍) ଉନ୍ନତ କରିବ। କୋଷ୍ଟ ଗାର୍ଡ ଓ ମେରାଇନ୍ ପୁଲିସ୍ ଜାହାଜ ପାଇଁ ସୁରକ୍ଷିତ ବର୍ଡିଂ ସୁବିଧା ଦ୍ୱାରା ଏହି ବନ୍ଦର ସାମୁଦ୍ରିକ ସୁରକ୍ଷା ଓ ଉପକୂଳ ନିରାପତ୍ତାକୁ ସୁଦୃଢ଼ କରିବ। ବାତ୍ୟା ଓ ଅନ୍ୟାନ୍ୟ ପ୍ରତିକୂଳ ପାଗ ସମୟରେ ମାଛଧରା ଜାହାଜମାନେ ସୁରକ୍ଷିତ ବର୍ଥିଂ ସୁବିଧା ପାଇବେ। ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଓ ଭିଜନ -୨୦୩୬ ଓ ୨୦୪୭କୁ ସହାୟତା ମିଳିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।










