25.1 C
Bhubaneswar
Tuesday, October 13, 2026
Homeଓଡିଶାରାୟଗଡ଼ା ଜିଲ୍ଲା କାଶୀପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଜନସମୁଦ୍ର

ରାୟଗଡ଼ା ଜିଲ୍ଲା କାଶୀପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଜନସମୁଦ୍ର

ମିଛ ପ୍ରତିଶ୍ରୁତି ଓ ମିଛ ପ୍ରଚାର ହେଉଛି ବିଜେପିର ରାଜନୈତିକ ପରିଚୟ
ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଟିକିରିସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ଆରମ୍ଭ ହୋଇଥିବା ଏହି ବିଶାଳ ପଦଯାତ୍ରାରେ ପ୍ରାୟ ୩ ହଜାର ବିଜେଡି କର୍ମୀ ସାମିଲ ହୋଇ ହାଟପଦା ଠାରେ ପହଞ୍ଚିଥିଲା ।

ଏହି ଅବସରରେ ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ମିଛ ପ୍ରତିଶ୍ରୁତି ଓ ମିଛ ପ୍ରଚାର ହେଉଛି ବିଜେପିର ରାଜନୈତିକ ପରିଚୟ । ନିର୍ବାଚନ ସମୟରେ ଲୋକଙ୍କୁ ଅନେକ ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ବିଜେପି ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ । ବିଜେପି ନିର୍ବାଚନ ଇସ୍ତାହାରରେ ୩୦୦ ୟୁନିଟ୍ ମାଗଣା ବିଜୁଳି, ମାସିକ ୩ ହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଓ ଚାଷୀ ମାନଙ୍କୁ ସବସିଡି ଦେଇ ସମସ୍ତ ବଳକା ଧାନ କ୍ରୟ କରିବା ନେଇ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାର ପରିଣତ ହୋଇଛି । ରାଜ୍ୟବାସୀ ଆଜି ଅନେକ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜେପି ସରକାରକୁ ଆସିବା ଦିନଠୁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ସୁବିଧା ପାଉଥିଲେ । ବିଜେଡି ସରକାରର ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ବିଜେପି ବଦଳାଇପାରେ, କିନ୍ତୁ ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକଙ୍କ ଅବଦାନ ଓ ଜନସାଧାରଣଙ୍କ ମନରେ ତାଙ୍କ ପ୍ରତି ଥିବା ବିଶ୍ୱାସକୁ କେବେ ବଦଳାଇ ପାରିବ ନାହିଁ । ଖଣି ଏବଂ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬ ଗୃହୀତ ହେବା ପରେ ପ୍ରାକୃତିକ ସମ୍ପଦ ଉପରେ ଓଡ଼ିଶାର ଥିବା ଅଧିକାରକୁ ଛଡ଼ାଇ ନେଇଛନ୍ତି ଡବଲ ଇଞ୍ଜିନ ସରକାର । ବିଜୁ ଜନତା ଦଳ ଏହି ବିଲ୍କୁ ସଂସଦରେ ବିରୋଧ କରି ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ପାଇଁ ନିଜର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିଛି ।

ଶ୍ରୀ ଦାସବର୍ମା ଆହୁରି କହିଥିଲେ ଯେ, ଓଡ଼ିଶାର ହକ୍, ଅଧିକାର ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ ଏହି ଲଢ଼େଇ ରାଜରାସ୍ତାରୁ ସଂସଦ ଯାଏଁ ଆହୁରି ତୀବ୍ର ହେବ । ବିଜୁ ଜନତା ଦଳ କେବଳ ଏକ ରାଜନୈତିକ ଦଳ ନୁହେଁ; ଏହା ଓଡ଼ିଶାର ସ୍ୱାଭିମାନ, ଜନସେବା ଓ ଅଧିକାରର ଲଢ଼େଇର ପ୍ରତୀକ । ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ଜରିଆରେ ବିଜେଡି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ସହ ଜନବିରୋଧୀ ନୀତି ବିରୋଧରେ ନିଜର ସ୍ୱରକୁ ଆହୁରି ଶାଣିତ କରିବ । ମିଛ ପ୍ରତିଶ୍ରୁତିର ରାଜନୀତି ନୁହେଁ, ଜନସେବାର ରାଜନୀତି ହିଁ ଓଡ଼ିଶାର ଭବିଷ୍ୟତ ଗଢ଼ିବ । ଜନତାଙ୍କ ଅଧିକାର, ଓଡ଼ିଶାର ସ୍ୱାଭିମାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଜନତା ଦଳର ଲଢ଼େଇ ଜାରି ରହିବ । ଏହି ଜନସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ଝୀନ ହିକକା, ବରିଷ୍ଠ ନେତା ସୁଧିର ଦାସ, ଜଗଦୀଶ ପାତ୍ର, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ ମହିଳା ନେତ୍ରୀ, ଯୁବ ଓ ଛାତ୍ର ଏବଂ ହଜାର ହଜାର କର୍ମୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking