25.1 C
Bhubaneswar
Tuesday, October 13, 2026
Homeଓଡିଶାନୂଆଦିଲ୍ଲୀରେ ୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

ନୂଆଦିଲ୍ଲୀରେ ୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟରେ ଆରମ୍ଭ ହୋଇଛି ୬୨ତମ ‘ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାର’। ଏହି ଅନ୍ତର୍ଜାତୀୟ ସ୍ତରର ମେଳାରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଓଡ଼ିଶା ମଣ୍ଡପକୁ ଉଦ୍‌ଘାଟନ କରିଛନ୍ତି।ଏହି ଅବସରରେ ସେ ‘ଓଡ଼ିଶା ମଣ୍ଡପ’ କୁ ବୁଲି ଦେଖିବା ସହ ଏଠାରେ ପ୍ରଦର୍ଶିତ ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦର ପ୍ରଶଂସା କରିଛନ୍ତି।‘‘ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦର ବିଶେଷ ଚାହିଦା ରହିଛି। ତେଣୁ, ଏହାକୁ ଦେଶ ବିଦେଶର ବିଭିନ୍ନ ବ୍ୟବସାୟିକ ସଂସ୍ଥା, ଡିଜାଇନର ଓ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଲାଗି ଏହି ମେଳା ଏକ ପ୍ରମୁଖ ମାଧ୍ୟମ ହେବ। ଏହାସହ ଆମ ରାଜ୍ୟର ବୁଣାକାର ଓ କାରିଗରମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ସହ ସେମାନଙ୍କ ଜୀବିକା ସଶକ୍ତ ହେବ,’’ ବୋଲି କହିଛନ୍ତି ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର। ନୂଆଦିଲ୍ଲୀର ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟଠାରେ ଅକ୍ଟୋବର ୧୩ ରୁ ୧୭ ତାରିଖ ଯାଏ ଚାଲିବ ଏହି ମେଳା। ଏଠାରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଓଡ଼ିଶା ମଣ୍ଡପ’ ରେ ରାଜ୍ୟର ଅନନ୍ୟ କଳାକୃତି ଓ ବୟନ ଐତିହ୍ୟକୁ ପ୍ରଦର୍ଶନ କରାଯାଉଛି।

ଓଡ଼ିଶାର ବିଶେଷ ପରିଚୟ ବହନ କରୁଥିବା ପଟ୍ଟଚିତ୍ର, ଟେରାକୋଟା, ପଥର ଖୋଦେଇ ସାମଗ୍ରୀ, ପିପିଲି ଚାନ୍ଦୁଆ, ଶାମୁକା କାରୁକାର୍ଯ୍ୟ, ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଏବଂ ଢୋକ୍ରା କାରିଗରି ଆଦି ଏହି ମେଳାରେ ବିଶେଷ ଆକର୍ଷଣ ପାଲଟିଛି।ସେହିପରି ସମ୍ବଲପୁରୀ ବସ୍ତ୍ର, ଓଡ଼ିଶା ଇକତ୍, ବମକାଇ ଶାଢ଼ି, ଖଣ୍ଡୁଆ ପାଟ, କୋଟପାଡ଼ ଶାଢି, ଗୋପାଳପୁର ଟସର ଶାଢ଼ି ଏବଂ ହବସପୁରୀ ଶାଢ଼ି ସହ କରୁଣା ରେଶମ ରୁ ପ୍ରସ୍ତୁତ ଶାଢ଼ି ଏହି ମେଳାରେ ପ୍ରଦର୍ଶିତ ହେଉଛି। ଏହାସହ ହସ୍ତତନ୍ତରୁ ପ୍ରସ୍ତୁତ ଲାପଟପ୍ ବ୍ୟାଗ, ବେଡସିଟ୍, ଜ୍ୟାକେଟ୍, ଫାଇଲ୍, ପର୍ସ ସହିତ ଅନ୍ୟାନ୍ୟ ଘରସଜା ସାମଗ୍ରୀ ଏଠାରେ ଆକର୍ଷଣ ପାଲଟିଛି। ବିଭିନ୍ନ ପ୍ରକାର ରେଶମ ସୂତା ପ୍ରସ୍ତୁତିର ଲାଇଭ୍ ଡେମୋନଷ୍ଟ୍ରେସନ ମଧ୍ୟ ଏଠାରେ କରାଯାଉଛି। ଏହିସବୁ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ସୂକ୍ଷ୍ମ କାରୁକାର୍ଯ୍ୟ, ପାରମ୍ପରିକ ଡିଜାଇନ୍ ଓ ନିଖୁଣ କାରିଗରି ଦେଶ ବିଦେଶର ଦର୍ଶକ ଓ ବ୍ୟବସାୟୀଙ୍କୁ ବେଶ୍ ଆକର୍ଷିତ କରୁଛି। ସେମାନେ ଉତ୍ପାଦ ସବୁକୁ ଦେଖିବା ସହ ଉପସ୍ଥିତ ବୁଣାକାର ଓ କାରିଗରଙ୍କୁ ଅଗ୍ରିମ ଅର୍ଡର ମଧ୍ୟ ଦେଇଛନ୍ତି।ଉଦଘାଟନୀ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଅବସ୍ଥାପିତ ଅତିରିକ୍ତ ଆବାସିକ ଆୟୁକ୍ତ ଶ୍ରୀମତୀ ସୁଚରିତା ଷଡ଼ଙ୍ଗୀ, ଅତିରିକ୍ତ ନିର୍ଦ୍ଦେଶକ ସେରିକଲଚର ତଥା ରେଶମ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଇଣ୍ଡିଆ ଏକ୍ସପୋ ସେଣ୍ଟର ଓ ମାର୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ସୁଦୀପ ସମରେନ୍ଦ୍ର ସରକାର, ‘ଫିକି’ର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବ୍ରଜ କିଶୋର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking