ଚୀନରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ଘୂର୍ଣ୍ଣିଝଡ଼ ‘ସୌଦେଲ୍’ (Soudelor) ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରବଳ ବର୍ଷା ଓ ପରବର୍ତ୍ତୀ ଭୂସ୍ଖଳନ ଯୋଗୁଁ ଚୀନରେ ବ୍ୟାପକ ଧନଜୀବନ ହାନି ଘଟିଛି । ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ନିଖୋଜ ଥିବା ସୂଚନା ମିଳିଛି । ଗତ ଶନିବାର ଜିଆଙ୍ଗସି ପ୍ରଦେଶର ମିଙ୍ଗକେଙ୍ଗ ଗ୍ରାମରେ ମଡସ୍ଲାଇଡ୍ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ପୁଣି ପୂର୍ବ ଚୀନର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଆଉ ୬ ଜଣଙ୍କର ଜୀବନ ଯାଇଛି। ସେହିପରି ନିକଟସ୍ଥ ଜୁଓଆନ୍ ଓ ତାଙ୍ଗହୁ ସହରରେ ଅନ୍ୟ ଏକ ଭୂସ୍ଖଳନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଏବେ ବି ନିଖୋଜ ଅଛନ୍ତି । ଗତ ମାସ ଶେଷ ଆଡ଼କୁ ଚୀନର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ଘୂର୍ଣ୍ଣିଝଡ଼ ‘ସୌଦେଲ୍’ ଯୋଗୁଁ କ୍ରମାଗତ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଅନେକ ସହରରେ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଏବଂ ପରିବହନ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ମିଙ୍ଗକେଙ୍ଗ ଗ୍ରାମରେ ଭୂସ୍ଖଳନ ଯୋଗୁଁ ବହୁ ଘରଦ୍ୱାର ଭାଙ୍ଗିରୁଜି ମାଟିରେ ମିଶି ଯାଇଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ବେଶ୍ ଜୋରଦାର କରାଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ ୧୭୦ରୁ ଉର୍ଦ୍ଧ୍ୱ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ତେବେ କ୍ରମାଗତ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିମାନେ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।










