ଭୁବନେଶ୍ୱର: ଚାଲିଥିବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (ଏସ୍ଆଇଆର୍)-୨୦୨୬ ସମୟରେ ପ୍ରକୃତ ଓ ଯୋଗ୍ୟ ଭୋଟରମାନଙ୍କ ନାମ ବାଦ୍ ଦେବା ପାଇଁ ଫର୍ମ-୭ର ଅପବ୍ୟବହାରକୁ ନେଇ ତୁରନ୍ତ କଡ଼ା ପଦକ୍ଷେପ ନେବାକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି ପ୍ରତିନିଧି ମଣ୍ଡଳୀ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଏକ ସ୍ମାରକପତ୍ରରେ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ୍ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଳିଥିବା ରିପୋର୍ଟ ଓ ଅଭିଯୋଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରକୃତ ଭୋଟରମାନଙ୍କ ବିରୋଧରେ, ବିଶେଷକରି ମୁସଲିମ୍, ଖ୍ରୀଷ୍ଟିଆନ୍, ବୌଦ୍ଧ ଏବଂ ଅନ୍ୟ ଯୋଗ୍ୟ ନାଗରିକଙ୍କ ବିରୋଧରେ ଫର୍ମ-୭ ଆବେଦନ ଦାଖଲ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଥିବା ବିଜେଡି କହିଛି । ଏସ୍ଆଇଆର୍-୨୦୨୬ ଅଧୀନରେ ଦାବି ଓ ଆପତ୍ତି ଦାଖଲ କରିବାର ସମୟସୀମା ୧୯ ଅଗଷ୍ଟ ୨୦୨୬ରେ ଶେଷ ହୋଇଛି । ତେଣୁ ଏହାପରେ ଏସ୍ଆଇଆର୍ ଡ୍ରାଫ୍ଟ ଭୋଟର ତାଲିକା ସମ୍ୱନ୍ଧୀୟ ଯେକୌଣସି ନାମ ବାଦ ପ୍ରସ୍ତାବ ପ୍ରକ୍ରିୟାକରଣ କରାଯାଉଥିଲେ, ତାହା ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ । କୌଣସି ପ୍ରକୃତ ଭୋଟରଙ୍କ ନାମ ବାଦ୍ ଦିଆଯିବା ଉଚିତ ନୁହେଁ । କୌଣସି ଭୋଟରଙ୍କୁ ନାମ ବାଦ ଦେବା ପୂର୍ବରୁ ତାଙ୍କୁ ନୋଟିସ୍ କରିବା, ନିଜ ପକ୍ଷ ରଖିବାର ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ । ବିଶେଷକରି ଯେଉଁ ଅଞ୍ଚଳରେ ସଂଖ୍ୟାଲଘୁ ଜନସଂଖ୍ୟା ଅଧିକ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ), ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆରଓ), ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ) ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅଧିକ ସତର୍କତା ଅବଲମ୍ୱନ କରିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେବାକୁ ବିଜେଡି ଅନୁରୋଧ କରିଛି ।
୧୯ ଅଗଷ୍ଟ ପରେ ପ୍ରକ୍ରିୟାକରଣ କରାଯାଉଥିବା ଫର୍ମ-୭ ଆବେଦନ ଏବଂ ନାମ ବାଦ ପ୍ରସ୍ତାବ ଗୁଡ଼ିକର, ବିଶେଷକରି ଏସ୍ଆଇଆର୍-୨୦୨୬ ଭୋଟର ତାଲିକା ସମ୍ୱନ୍ଧୀୟ ମାମଲାଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ କରାଯାଉ । ସଂଖ୍ୟାଲଘୁ ଜନସଂଖ୍ୟା ଅଧିକ ଥିବା ଅଞ୍ଚଳଗୁଡ଼ିକରେ ନିର୍ବାଚନମଣ୍ଡଳୀୱାରୀ ଏବଂ ବୁଥ୍ୱାରୀ ଫର୍ମ-୭ର ଯାଞ୍ଚ କରାଯାଉ । ଆଇନଗତ ପ୍ରକ୍ରିୟା ଅନୁସାରେ, ଯେଉଁଠାରେ ପ୍ରକୃତ ଭୋଟରଙ୍କ ନାମ ଭୁଲ୍ ବଶତଃ ବାଦ୍ ଦିଆଯାଇଥିବା ପ୍ରମାଣିତ ହୁଏ, ସେଠାରେ ତୁରନ୍ତ ପଦକ୍ଷେପ ନିଆଯିବା ସହିତ ଫର୍ମ-୭ ଆବେଦନ, ନୋଟିସ୍, ଶୁଣାଣି ସହିତ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବାକୁ ବିଜେଡି ଦାବି କରିଛି । ଧର୍ମ, ସମ୍ପ୍ରଦାୟ, ଜାତି, ଭାଷା, ଲିଙ୍ଗ କିମ୍ୱା ରାଜନୈତିକ ସମ୍ପର୍କ ନିର୍ବିଶେଷରେ ପ୍ରତ୍ୟେକ ଯୋଗ୍ୟ ନାଗରିକ ନିର୍ବାଚନୀ ପ୍ରକ୍ରିୟାରେ ସମାନ ସୁରକ୍ଷା ପାଇବାର ଅଧିକାରୀ । ଏକ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଗଣତାନ୍ତ୍ରିକ ପ୍ରକ୍ରିୟାର ଭିତ୍ତି ହେଉଛି ଭୋଟର ତାଲିକାରୁ ପ୍ରକୃତ ଭୋଟରଙ୍କ ନାମ ଯେପରି ବାଦ୍ ନ ପଡ଼ିବା । ଜଣେ ଯୋଗ୍ୟ ଭୋଟରମାନଙ୍କ ନାମ ବାଦ ପଡ଼ିଲେ ନିର୍ବାଚନୀ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିବ । ତେଣୁ ଏହି ପ୍ରସଙ୍ଗକୁ ବିଚାର କରି ରାଜ୍ୟର ସମସ୍ତ ଡିଇଓ ଓ ଇଆରଓଙ୍କୁ, ଯେଉଁଠାରୁ ଅଭିଯୋଗ ଆସୁଛି, ସେଠାରେ ନିରପେକ୍ଷ ଯାଞ୍ଚ ପାଇଁ ନିଦେ୍ର୍ଦଶ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛି ବିଜେଡି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ଶେଖ ନିଜାମୁଦ୍ଦିନ, ରିଜ୍ୱାନା ବେଗମ, ଡ଼ ଲେନିନ ମହାନ୍ତି, ବିଜୟ ନାୟକ, ଡ଼ ପି୍ରୟବ୍ରତ ମାଝୀ, ସକିଲ ଉଲ୍ ରହେମାନ, ମୁସ୍ରଫ ଖାନ୍, ମହମ୍ମଦ ମୋବିନ୍, ଅସଫର ଇକ୍ବାଲ, ଜାକିର ଖାନ୍, ଜୟାନନ୍ଦ ନାୟକ, ଭାଗ୍ୟବତୀ ମହାରଣା, ଜମିଲ୍ ଅଖତର ଖାନ୍, ଅଖତର ଅଲ୍ଲୀ ଖାନ, ଶେଖ୍ ବାବୁ, ଶେଖ୍ ତାହିର, ହବିବୁଲ୍ଲା ଖାନ, ଶେଖ ସାହାଜାହାନ ଓ ସିକନ୍ଦର ଆଲାମ ପ୍ରମୁଖ ସାମିଲ୍ ଥିଲେ ।










