ଭୁବନେଶ୍ୱର : ରାଜ୍ୟରେ ଜଳସେଚନର ବିସ୍ତାର ହେଲେ ଚାଷ ବଢ଼ିବ, ଚାଷ ବଢ଼ିଲେ ଚାଷୀଙ୍କ ଆୟ ବଢ଼ିବ ଏବଂ ଚାଷୀ ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ । ଏହାକୁ ମୂଳ ଆଧାର କରି ଓଡ଼ିଶାର ଚାଷୀଙ୍କ କ୍ଷେତକୁ ଜଳ ପହଁଚାଇବା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଗତ ଦୁଇ ବର୍ଷରେ ଓଡ଼ିଶାରେ ପ୍ରାୟ ୫୪ ହଜାର କୋଟିର ଜଳ ଭିତିଭୂମି କାର୍ଯ୍ୟ ଅନୁମୋଦିତ ହୋଇଛି । ଏହା କେବଳ ଏକ ବଡ଼ ଆର୍ôଥକ ଆକଳନ ନୁହେଁ; ଏହା ଓଡ଼ିଶାର ଚାଷୀଙ୍କ ଭବିଷ୍ୟତରେ ଏକ ବଡ଼ ନିବେଶ । ଗତ ଦୁଇ ବର୍ଷରେ ପ୍ରାୟ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଅତିରିକ୍ତ ଜଳସେଚନ ସୁବିଧା ପହଞ୍ଚିଛି । ଏହା ଚାଷୀଙ୍କୁ ବର୍ଷା ଉପରେ ନିର୍ଭରଶୀଳତା କମାଇ ଅଧିକ ନିଶ୍ଚିତତାର ସହ ଚାଷ କରିବାର ସୁଯୋଗ ଦେବ । ରାଜ୍ୟରେ ୭୭୦ଟି ନୂଆ ଚେକ୍ ଡ୍ୟାମ୍ ଏବଂ ୯ଟି ନଦୀ ଗର୍ଭାଜଳ ସଂରକ୍ଷଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଏଥିସହ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି । ଅର୍ଥାତ୍ ଜଳସେଚନ ସହିତ ଜଳ ସଂରକ୍ଷଣକୁ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି । ସେହିପରି ଗତ ଦୁଇ ବର୍ଷରେ ରାଜ୍ୟରେ ୬ଟି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ ଓ ୩୨ଟି ମାଇନର୍ ଇରିଗେସନ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଏହା ସହିତ ୫୮ଟି ନୂଆ ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପରେ କାମ ଚାଲିଛି, ଯାହା ଉଚ୍ଚଭୂମି ଓ ଜଳସେଚନରୁ ବଂଚିତ ଅଂଚଳର ଚାଷୀଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ଅନ୍ୟ ପଟେ ଦୀର୍ଘଦିନ ଧରି ଅଟକି ରହିଥିବା କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ଉପରେ କାନୁପୁର ଜଳସେଚନ ପ୍ରକଳ୍ପର ଡ୍ୟାମ୍ କାର୍ଯ୍ୟ ଗତ ଅଗଷ୍ଟ ୩୧ରେ ସମ୍ପୂର୍ଣ୍ଣ ହୋଇଛି । ରାଜ୍ୟରେ କେନାଲ୍ ନେଟୱାର୍କ ଆସନ୍ତା ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରି ପ୍ରାୟ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରହିଛି । ଏହା ଘୋଷଣାର ସରକାର ନୁହେଁ, କାମର ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ପୂର୍ବରୁ ବର୍ଷ ବର୍ଷ ଧରି ଯେଉଁ ଜଳସେଚନ ପ୍ରକଳ୍ପଗୁଡ଼ିକ ଫାଇଲ୍ ଓ ପ୍ରଶାସନିକ ଜଟିଳତା ମଧ୍ୟରେ ଅଟକି ରହୁଥିଲା, ଆଜି ସେଗୁଡ଼ିକୁ ଗତି ମିଳୁଛି । ଓଡ଼ିଶାର ଚାଷୀଙ୍କ କ୍ଷେତକୁ ନିଶ୍ଚିତ ଜଳ ଯୋଗାଣ ଏବଂ ରାଜ୍ୟର କୃଷି ଅର୍ଥନୀତିକୁ ନୂଆ ଶକ୍ତି ଦେବା ଦିଗରେ ‘ଡବଲ୍ ଇଞ୍ଜିନ୍’ ସରକାର ଏକ ଐତିହାସିକ ଅଧ୍ୟାୟ ଲେଖୁଛି । ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ଜଳଶକ୍ତି ସମ୍ମିଳନୀରେ ଓଡ଼ିଶାର ଜଳସେଚନ ଓ ଜଳସମ୍ପଦ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ରାଜ୍ୟର କୃଷକ ସମାଜ ପାଇଁ ଆଶା ଓ ଆତ୍ମବିଶ୍ୱାସର ନୂଆ ସନ୍ଦେଶ ଦେଇଛି । ଏହି ଐତିହାସିକ ପଦକ୍ଷେପ ପାଇଁ ରାଜ୍ୟବାସୀଙ୍କ ତରଫରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆ.ର୍ ପାଟିଲଜୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।










