ଭଦ୍ରକ : ମୃତ୍ୟୁ ବି ଏମିତି ଆସେ । ଷ୍ଟେସନ୍ ଭିତରକୁ ଆସିଲେ, ପ୍ଲାଟଫର୍ମରେ ଠିଆ ହୋଇଥିଲେ । ହଠାତ୍ ଟ୍ରେନ୍ ଆସିବାରୁ ସାମ୍ନାକୁ ଡେଇଁପଡ଼ିଲେ । ଯାହାଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଜିଆରପି ପୋଲିସ ଅଧିନ ଭଦ୍ରକ ରେଳ ଷ୍ଟେସନ୍ ପରିସରରେ ଅଘଟଣ ଘଟିଛି । ଜିଆରପି ପୋଲିସର ତଥ୍ୟ ଅନୁସାରେ, ଜଣେ ଯୁବକ ଭଦ୍ରକ ଷ୍ଟେସନର ୩ ନମ୍ୱର୍ ପ୍ଲାଟଫର୍ମରେ ଠିଆ ହୋଇଥିଲେ । ଏହି ସମୟରେ ଡାଉନ୍ ଲାଇନରେ 03104 ପୂଜା ସ୍ପେସାଲ୍ ଟ୍ରେନ୍ କୋଲକାତା ଅଭିମୁଖେ ଯାଉଥିଲା । ଏହି ସମୟରେ ଯୁବକ ଜଣକ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଯୁବକଙ୍କ ଯାଞ୍ଚ ପରେ କୌଣସି କାଗଜପତ୍ର ମିଳିନଥିବାରୁ ପରିଚୟ ଜଣାପଡିନାହିଁ ।ସେପଟେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କରିଲେ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ନେଇପାରେ ପୋଲିସ ।









