ଭୁବନେଶ୍ୱର: କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ୬ ମାସର ସମ୍ମାନ ରାଶି ମଞ୍ଜୁରୀକୁ ନେଇ ରାଜ୍ୟରେ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀ ଏହାକୁ ଭେଟି ବୋଲି କହିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ।ବିଜେଡି କହିଛି, ସରକାର ଯାହାକୁ ଭେଟି ବୋଲି କହୁଛନ୍ତି, ତାହା ପ୍ରକୃତରେ ଭେଟି ନୁହେଁ, ବରଂ ଏକ ବିଳମ୍ବିତ ନିଷ୍ପତ୍ତି । ଏଭଳି ବିଳମ୍ବ ଅତ୍ୟନ୍ତ ଦୁଃଖଦାୟକ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, କ୍ରେଡିଟ୍ ନେବା ପାଇଁ ସରକାର ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଭେଟି ଦେଇଥିବା କଥା କହୁଛନ୍ତି। କିନ୍ତୁ ଏବେ ମିଳିଥିବା ଅର୍ଥ ସେମାନଙ୍କ ପ୍ରାପ୍ୟ। ଏହାକୁ ଭେଟି କହିବା ଉଚିତ ନୁହେଁ ବୋଲି ସେ ମତ ରଖିଛନ୍ତି।
ଅନ୍ୟପଟେ, ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଛି। ପିଛିଲା ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ପ୍ରଦାନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି।










