କଟକ: ମା’ ଦୁର୍ଗାଙ୍କ ପୂଜା ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ନିର୍ବିଘ୍ନରେ ଦର୍ଶନ ସୁନିଶ୍ଚିତ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ରାଜପଥ-୬୫ ତଥା ଖୁଣ୍ଟୁଣୀରୁ ନରସିଂହପୁର ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପକ୍ଷରୁ ଏହି ମର୍ମରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଜାରି ଆଦେଶ ଅନୁଯାୟୀ, ଆଠଗଡ଼ ପୁଲିସ ଥାନା ଅଧୀନରେ ଖୁଣ୍ଟୁଣୀରୁ ନରସିଂହପୁର ପର୍ଯ୍ୟନ୍ତ ରାଜ୍ୟ ରାଜପଥ ୬୫ର ଉଭୟ ପାର୍ଶ୍ବରେ ଥିବା ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ୧୭ ଅକ୍ଟୋବରରୁ ୨୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ନିଷିଦ୍ଧ କରାଯାଇଛି । ପଥର, କଂକ୍ରିଟ୍ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍, ଟିପ୍ପର, ଡମ୍ପର, ହାଇୱା, ଟ୍ରେଲର୍ ଏବଂ ଟ୍ରାନ୍ଜିଟ୍ ମିକ୍ସର୍ ସମେତ ଖାଲି ଓ ବୋଝେଇ ଭାରୀଯାନ ଏହି କଟକଣା ପରିସରଭୁକ୍ତ ହେବେ । ତେବେ ଜରୁରିକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ, ବସ୍, ଅଗ୍ନିଶମ ଗାଡ଼ି ଓ ପୁଲିସ ଗାଡ଼ି ସମେତ ଏଲ୍ପିଜି, ଇନ୍ଧନ, କ୍ଷୀର, ଔଷଧ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ସାମଗ୍ରୀ ପରିବହନ କରୁଥିବା ଯାନବାହନକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।କଟକଣାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ କଟକ ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ, ଚୌଦ୍ୱାରସ୍ଥିତ ଚାରବାଟିଆ ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଖଣି ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।’










